Monday, September 28, 2026
24.7 C
Odisha

    ସିଙ୍ଗାପୁର ମଡେଲ୍‌ରେ ସେମିକଣ୍ଡକ୍ଟ୍‌ର ପାର୍କ: ବିଶ୍ବ ଦକ୍ଷତା କେନ୍ଦ୍ରର ଦ୍ବିତୀୟ ପର୍ଯ୍ୟାୟ ବିକାଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ସିଙ୍ଗାପୁର ଗସ୍ତ ସାରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଗସ୍ତ ସମୟରେ ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ, ଭିଏତନାମ ଓ ଜାପାନ ଭଳି ଦେଶର ୪୦୦ରୁ ଅଧିକ ନିବେଶକଙ୍କ ସହ ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା ହୋଇଛି। ରାଜ୍ୟରେ ସିଙ୍ଗାପୁର ଓ ମାଲେସିଆ ମଡେଲ୍‌ରେ ୨୦୦ ଏକର ଜମିରେ ଏକ ସେମିକଣ୍ଡକ୍ଟର ପାର୍କ ସ୍ଥାପନ କରିବା ନେଇ ପିଇପି ଇନୋଭେସନ ପ୍ରାଇଭେଟ୍ ଲିମିଟେଡ୍‌ ସହ ଆଲୋଚନା ହୋଇଛି। ସିଙ୍ଗାପୁରରେ ୨୫ରୁ ଅଧିକ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବରରେ ସ୍ଥାପନ କରାଯାଇଥିବା ବିଶ୍ବ ଦକ୍ଷତା କେନ୍ଦ୍ରର ଦ୍ବିତୀୟ ପର୍ଯ୍ୟାୟ ଲାଗି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ୍ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍‌) ସହି ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା କରିଛନ୍ତି। ଏହି କେନ୍ଦ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଂ, ଅଗମେଣ୍ଟେଡ୍‌ ରିଅଲିଟି (ଏଆର୍) ଓ ଭର୍ଚୁଆଲ୍‌ ରିଅଲିଟି (ଭିଆର୍) ଉପରେ ପାଠ୍ୟକ୍ରମ ଉପଲବ୍ଧ ହେବ। ସିଙ୍ଗାପୁରର ଜୁରଙ୍ଗ ପେଟ୍ରୋକେମିକାକ୍ସ କମ୍ପ୍ଲେକ୍ସ ଢାଞ୍ଚାରେ ପାରାଦୀପ ବନ୍ଦରର ବିକାଶ ଲାଗି ଜୁରଙ୍ଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ଏହି ପ୍ରକଳ୍ପରେ ଅଂଶଗ୍ରହଣ କରିବା ଲାଗି ସେମ୍ବକର୍ପ ଓ ଲିଣ୍ଡେ ଭଳି ସଂସ୍ଥା ଆଗ୍ରହ ଦେଖାଇଛନ୍ତି। ବନ୍ଦର ବିକାଶରେ ସିଙ୍ଗାପୁର ବନ୍ଦର କର୍ତ୍ତୃପକ୍ଷ, ଟିୟୁଏଏସ୍‌ ବନ୍ଦର, ଏପି ମୋଲର ମାର୍ସକ ଓ ଭୋପାକ୍ ଭଳି ସଂସ୍ଥା ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଜାହାଜ ରିସାଇକ୍ଲିଂ, କଣ୍ଟେନର ଉତ୍ପାଦନ ଓ ମଲ୍ଟିମୋଡାଲ୍ ଲଜିଷ୍ଟିକ୍ସରେ ସେମାନେ ସ‌ହଯୋଗ କରିବେ। ରାଜ୍ୟରେ ସ୍ଥାପନ ହେବାକୁ ଥିବା ସମସ୍ତ ନୂଆ ବନ୍ଦରରେ କଣ୍ଟେନର ଟର୍ମିନାଲ୍ ବିକାଶ କରାଯିବ। ସିଙ୍ଗାପୁରର ସନ୍‌ଟେକ୍ କନ୍‌ଭେନ୍‌ସନ୍ ସେଣ୍ଟର ସହ କଥାବାର୍ତ୍ତା ପରେ ଭୁବନେଶ୍ବରରେ ସେହି ଧରଣର ଏକ ପ୍ରଦର୍ଶନୀ କେନ୍ଦ୍ର ସ୍ଥାପନ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ତାହାକୁ ଏକ ବିଶ୍ବସ୍ତରୀୟ ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଓ ପ୍ରଦର୍ଶନୀ (ଏମ୍‌ଆଇସିଇ) କେନ୍ଦ୍ର ଭାବେ ବିକାଶ କରାଯିବ। ଏଥି ସହିତ ଆସିଆନ୍ ଦେଶଗୁଡ଼ିକ ସହ ଅଧିକ ବିମାନ ଚଳାଚଳ କରିବା ଉପରେ ରାଜ୍ୟ ସରକାର ବିଚାର କରୁଥିବା ଜଣାପଡ଼ିଛି।

    ବିଶ୍ବ ଦକ୍ଷତା କେନ୍ଦ୍ରର ଦ୍ବିତୀୟ ପର୍ଯ୍ୟାୟ ବିକାଶ
    ଭୁବନେଶ୍ବରରେ ହେବ ପ୍ରଦର୍ଶନୀ କେନ୍ଦ୍ର
    ଆସିଆନ୍ ସହ ବଢ଼ିବ ବିମାନ ସଂଯୋଗ
    ସବୁ ନୂଆ ବନ୍ଦରରେ କଣ୍ଟେନର ଟର୍ମିନାଲ୍

    ସିଙ୍ଗାପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଇସ୍ପାତ ଓ ଫେରୋକ୍ରୋମ୍ ସଂସ୍ଥା ଭିସା ଗ୍ରୁପ୍, ସେମିକଣ୍ଡକ୍ଟର କ୍ଷେତ୍ରର ସଂସ୍ଥା ସିଟି ମେଟ୍ରିକ୍ସ, ୟୁବିସିଟି, ଆଇହବ୍, ଜୈବ ସାର କ୍ଷେତ୍ରର ସଂସ୍ଥା ଓରିଣ୍ଡ ସିଙ୍ଗାପୁର ପିଟିଇ, ଗ୍ରିନ୍ ଆମୋନିଆ ନିର୍ମାତା ସେମ୍ବକର୍ପ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ ସହ ଆଲୋଚା କରିଥିଲେ। ସେହିପରି କୃଷି, ଫିନ୍‌ଟେକ୍‌, ଅକ୍ଷୟ ଶକ୍ତି ଓ ସ୍ମାର୍ଟ ସିଟି ସମାଧନ ସମ୍ପର୍କରେ ଏଗ୍ରୋକର୍ପ ଇଣ୍ଟରନ୍ୟାସନାଲ୍, ଅରିଅନ୍‌ପ୍ରୋ ପେମେଣ୍ଟ ସଲ୍ୟୁସନ୍ସ, ୟଙ୍ଗନାମ ଇଞ୍ଜିନିୟରିଂ, ଗ୍ରେମେଟିକ୍ସ, ଏଲିକ୍ସିର ଟେକ୍ନୋଲୋଜି ସହ କଥାବାର୍ତ୍ତା ହୋଇଥିଲେ। ଶିଳ୍ପ ଗ୍ୟାସ୍‌ ଓ ସମନ୍ବିତ ପାଇପ୍‌ ନେଟ୍‌ୱର୍କ ସମ୍ପର୍କରେ ଲିଣ୍ଡେ ଇଣ୍ଡିଆ ସହ ଆଲୋଚନା ହୋଇଥିଲା। ଭିତ୍ତିଭୂମି ପ୍ରକଳ୍ପ ସଂକ୍ରାନ୍ତରେ କ୍ୟାପିଟାଲ୍‌ ଲ୍ୟାଣ୍ଡ୍‌ ଇନଭେଷ୍ଟମେଣ୍ଟ, ଗ୍ରିନ୍ ହାଇଡ୍ରୋଜନ୍ ପାଇଁ ଭିନା ଏନର୍ଜି, ଇଞ୍ଜିନିୟରିଂ ଓ ଡାଟା ସେଣ୍ଟର ପାଇଁ ଏଭରଷ୍ଟୋନ୍ କ୍ୟାପିଟାଲ୍‌, ପିଇଟି ରିସାଇକ୍ଲିଂ କାରଖାନା ନେଇ ଇଣ୍ଡୋରାମା ସହ ଆଲୋଚନା ହୋଇଛି।

    ଅନ୍ୟ ପକ୍ଷରେ ସ୍ମାର୍ଟସିଟି ସମାଧାନ ସମ୍ପର୍କରେ ପିଏସ୍‌ଏ ହରାଇଜନ୍‌ସ, ବର୍ଜ୍ୟଜଳ ପରିଚାଳନା ନେଇ ଇକୋସଫ୍ଟ ଓ ପ୍ଲାଟାଫୋର୍ମା ଏସିଆ ସହ ଆଲୋଚନା କରାଯାଇଥିବା ବେଳେ କଣ୍ଟେନର୍ ଟର୍ମିନାଲ୍‌ ସମ୍ପର୍କରେ ଏପି ରୋଲର ମାର୍ସକ ଗ୍ରୁପ୍ ସହ ଆଲୋଚନା ହୋଇଛି। ଇଣ୍ଡଷ୍ଟ୍ରିଆଲ୍ ରେଫ୍ରିଜରେସନ୍ ଉତ୍ପାଦନ ଲାଗି ଫାନ୍ ବାଚ୍‌, ଗ୍ରିନ୍ ଆମୋନିଆ ପାଇଁ ଜେରା ଓ ଆଇଏଚ୍‌ଆଇ-ଜାପାନ, ଗୁରୁତ୍ବପୂର୍ଣ୍ଣ ଖଣିଜ ଲାଗି ମାସନ ହାଇ ଟେକ୍, ସେମିକଣ୍ଡକ୍ଟର ଲାଗି ଏସିଇ ଗ୍ୟାସେସ୍‌ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରବାସୀ ଓଡ଼ିଆଙ୍କୁ ସାକ୍ଷାତ କରି ରାଜ୍ୟ ବିକାଶରେ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୪୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଅଂଶଗ୍ରହଣ କରିଥିଲେ। ସିଙ୍ଗାପୁରର ସମସ୍ତ ନିବେଶକ ଓ ପ୍ରବାସୀ ଓଡ଼ିଆଙ୍କୁ ସେ ୨୦୨୫ ଜାନୁଆରି ୨୮ ଓ ୨୯ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ଲାଗି ଆମନ୍ତ୍ରଣ କରିଛନ୍ତି। ସିଙ୍ଗାପୁର ଗସ୍ତ ବେଶ୍ ଫଳପ୍ରଦ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ନିବେଶ କରିବାକୁ ନିବେଶକମାନେ ଆଗ୍ରହୀ ଥିବା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି। ବନ୍ଦର, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିବେଶର ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ