Sunday, September 27, 2026
21.7 C
Odisha

    ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ – ସାମିଲ ହେବେ ୯ ଗ୍ରାଣ୍ଡ ମାଷ୍ଟର ଓ ୨୪ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜାନୁଆରୀ ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୪ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ସାମିଲ ହେବେ ବୋଲି ଗୁରୁବାର ଆୟୋଜକମାନେ ସୂଚନା ଦେଇଛନ୍ତି ।
    ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଂଟର ମୋଟ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ରଖାଯାଇଛି । ଇନ୍‌ଟରନ୍ୟାସ୍‌ନାଲ୍ ଚେସ୍ ଫେଡେରେସନ୍ (ଆଇସିଏଫ୍‌), ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (ଏଆଇସିଏଫ୍‌), ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ପ୍ରତିଯୋଗିତାକୁ ସହଯୋଗ ମିଳିଥିବା ଏଓସିଏର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
    ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥାଇ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଏକ ଆନ୍ତର୍ଜାତିକ କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସୋଆକୁ ଏକ ଚେସ୍ ହବ୍ ଭାବେ ପରିଗଣିତ କରିବା ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି ।
    ଜାନୁଆରୀ ୨୮ ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୮ ଦିନିଆ ଟୁର୍ଣ୍ଣାମେଂଟରେ ୧୪ ଟି ବିଭିନ୍ନ ଦେଶରୁ ପ୍ରାୟ ୮୦୦ ଚେସ୍ ଖେଳାଳୀ ଭାଗ ନେବେ ବୋଲି ଶ୍ରୀ ମହାପାତ୍ର କହିବା ସହ ଏହି ଆୟୋଜନକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସୋଆକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
    ଶ୍ରୀ ମହାପାତ୍ର କହିଥିଲେ ଯେ ଖେଳାଳୀମାନଙ୍କୁ ୩ଟି କ୍ୟାଟେଗୋରୀ ଯଥା-‘ଏ’, ‘ବି’ ଏବଂ ‘ସି’ ରେ ବିଭକ୍ତ କରାଯାଇଥିବା ବେଳେ ‘ଏ’ କ୍ୟାଟେଗୋରୀ ପାଇଁ ପୁରସ୍କାର ରାଶି ୨୦ ଲକ୍ଷ ଟଙ୍କା ରଖାଯାଇଛି । ‘ବି’ ଓ ‘ସି’ କ୍ୟାଟେଗୋରୀ ପାଇଁ ସାଢ଼େ ୭ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି ।
    ଡେନ୍‌ମାର୍କ, ଇଣ୍ଡୋନେସିଆ, ବାଂଲାଦେଶ, ଇରାନ୍‌, ଶ୍ରୀଲଙ୍କା, ଭିଏତନାମ, ବେଲାରୁସ, ଇଜିପ୍ଟ, ଫିଲିପାଇନ୍ସ, ଋଷିଆ, କାଜାକସ୍ତାନ, ଜାମ୍ବିଆ, ନେପାଳ ଓ ଆୟୋଜକ ଭାରତର ଉଜ୍ଜଳ ଚେସ ତାରକାମାନେ ଏହି ଟୁର୍ଣ୍ଣାମେଂଟରେ ଭାଗ ନେବେ ବୋଲି ସେ କହିଛନ୍ତି ।
    ଶ୍ରୀ ମହାପାତ୍ର କହିଥିଲେ ଯେ ବିଭିନ୍ନ ଦେଶରୁ ୪ ଜଣ ଗ୍ରାଣ୍ଡ ମାଷ୍ଟର, ୮ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର, ଜଣେ ମହିଳା ଗ୍ରାଣ୍ଡ ମାଷ୍ଟର ଓ ୩ ଜଣ ଇନଟରନ୍ୟାସ୍‌ନାଲ୍ ମାଷ୍ଟର ଏହି ଟୁର୍ଣ୍ଣାମେଂଟରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଭାରତରୁ ୫ ଜଣ ଗ୍ରାଣ୍ଡ ମାଷ୍ଟର, ୧୬ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଓ ୬ ଜଣ ମହିଳା ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଏଥିରେ ସାମିଲ ହୋଇଛନ୍ତି ।
    ଏହି ଟୁର୍ଣ୍ଣାମେଂଟର ୩ ଜଣ ଟପସିଡ ଖେଳାଳୀ ହେଲେ ଭାରତୀୟ ଗ୍ରାଣ୍ଡ ମାଷ୍ଟର ଦୀପ୍ତାୟନ୍ ଘୋଷ (୨୫୬୮ ଇଏଲ୍‌ଓ ପଏଂଟ୍ସ), ଇଣ୍ଡିଆନ୍ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଆରୋଣ୍ୟକ୍ ଘୋଷ (୨୫୪୧ ଇଏଲ୍‌ଓ ପଏଂଟ୍ସ) ଏବଂ ଇଜିପ୍ଟର ଗ୍ରାଣ୍ଡ ମାଷ୍ଟର ଫଜି ଅଧମ୍ (୨୫୨୨ ଇଏଲ୍‌ଓ ପଏଂଟ୍ସ) ।
    ସେହିପରି ଏହି ଟୁର୍ଣ୍ଣାମେଂଟରେ ସାମିଲ ହୋଇଥିବା ୩ ଜଣ ଟପ୍‌ସିଡ ମହିଳା ଖେଳାଳୀ ହେଲେ ଫିଲିପାଇନ୍ସର ୱିମେନ୍ ଗ୍ରାଣ୍ଡ ମାଷ୍ଟର ଫ୍ରେନା ଜେ. ମେ (୨୧୯୭ ଇଏଲ୍‌ଓ ପଏଂଟ୍ସ), ଭାରତର ମହିଳା ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଅର୍ପିତା ମୁଖାର୍ଜୀ (୨୧୮୬ ଇଏଲ୍‌ଓ ପଏଂଟ୍ସ) ଏବଂ ଡେନ୍‌ମାର୍କର ୱିମେନ୍ ଫାଇଡ୍ ମାଷ୍ଟର ନିଲସେନ୍ ଇ. ଫେଡେରିକା (୨୧୮୪ ଇଏଲ୍‌ଓ ପଏଂଟ୍ସ) ।
    ଏହି ଟୁର୍ଣ୍ଣାମେଂଟଟି ସର୍ବଶେଷ ଫାଇଡ୍ ରୁଲ୍ସ ଅଫ୍ ଚେସ୍ ଏବଂ ଫାଇଡ୍ ସୁଇଜ୍ ସିଷ୍ଟମ୍ ଦ୍ୱାରା ପରିଚାଳିତ ହେବାକୁ ଥିବା ବେଳେ କ୍ୟାଟେଗୋରୀ ‘ଏ’ ଏବଂ ‘ବି’ ରେ ୧୦ ରାଉଣ୍ଡ ଏବଂ କ୍ୟାଟେଗୋରୀ ‘ସି’ରେ ୯ ରାଉଣ୍ଡ ଖେଳାଯିବ । ଯେଉଁ ଖେଳାଳୀମାନେ ୨୦୨୩-୨୪ ଆର୍ଥିକ ବର୍ଷରେ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (ଏଆଇସିଏଫ୍‌) ଦ୍ୱାରା ପଞ୍ଜୀକୃତ ହୋଇଥିବେ ଏବଂ ଯେଉଁମାନଙ୍କର ଇଏଲ୍‌ଓ ରେଟିଂ ୧୯୦୦ କିମ୍ବା ତା’ଠାରୁ ଅଧିକ ଥିବ ସେହିମାନେ ହିଁ ଏହି ଟୁର୍ଣ୍ଣାମେଂଟରେ ଭାଗ ନେଇପାରିବେ । ସେହିପରି ବିଦେଶୀ ଖେଳାଳୀମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏକ ଉପଯୁକ୍ତ ଫାଇଡ୍ ଆଇଡିର ଆବଶ୍ୟକତା ପଡ଼ିବ ବୋଲି ଏଓସିଏର ସମ୍ପାଦକ ଶ୍ରୀ ଦେବବ୍ରତ ଭଟ୍ଟ କହିଛନ୍ତି ।
    ଟୁର୍ଣ୍ଣାମେଂଟଟି ଫେବୃଆରୀ ୪ ତାରିଖ ଦିନ ପୁରସ୍କାର ବିତରଣ ସହ ଉଦ୍‌ଯାପିତ ହେବ । ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏଓସିଏର କୋଷାଧ୍ୟକ୍ଷ ଶ୍ରୀ ଶଙ୍କର ପ୍ରସାଦ ମିଶ୍ର, ଫରେନ୍ ଲିଆସନିଂ ଅଫିସର ଶ୍ରୀ ମୁକ୍ତିକାନ୍ତ ମହାପାତ୍ର ଏବଂ ଇନ୍‌ଟରନ୍ୟାସନାଲ ଡେପୁଟି ଆର୍ବିଟର ଶ୍ରୀ ତପନ ମହାନ୍ତି ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ