Saturday, February 28, 2026
26 C
Odisha

    ରାଜ୍ୟ ସରକାରଙ୍କ ୟୁ ଟର୍ଣ୍ଣ: ଆଦିମ ଜନଜାତିଙ୍କୁ ପୂର୍ବଭଳି ମିଳିବ ପୁଷ୍ଟିକର ଖାଦ୍ୟ

    ଆଗକୁ ପଢନ୍ତୁ

    ରାୟଗଡ଼ା/କଲ୍ୟାଣସିଂହପୁର/ମାଲକାନଗିରି: ଆଦିମ ଜନଜାତିଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ଆରମ୍ଭ ହୋଇଥିବା ଓଡ଼ିଶା ଜନଜାତି ସମୁଦାୟ ପୁଷ୍ଟିକର ଉନ୍ନତି କାର୍ଯ୍ୟକ୍ରମ (ଓପିଏନ୍‌ଆଇପି) ସେପ୍ଟେମ୍ବର ୩୦ରେ ରାଜ୍ୟ ସରକାର ବନ୍ଦ କରିଦେଇଥିଲେ। ତେଣୁ ୧୫ହଜାରରୁ ଊର୍ଦ୍ଧ୍ବ ଶିଶୁ ଏବଂ ଗର୍ଭବତୀ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ ହୋଇଥିଲେ। ଯାହାଫଳରେ ଆଗକୁ ମାଲକାନଗିରି ଜିଲ୍ଲାର ବଣ୍ଡା, ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ କନ୍ଧ ଏବଂ ଲାଞ୍ଜିଆସୌରା ଜନଜାତିଙ୍କ ମଧ୍ୟରେ ଅପପୁଷ୍ଟି ବଢ଼ିବ ବୋଲି ଆଶଙ୍କା ରହିଥିଲା। ‘ସମ୍ବାଦ’ରେ ଏ ନେଇ ଖବର ପ୍ରକାଶ ପରେ ରାଜ୍ୟ ସରକାର ନିଷ୍ପତ୍ତି ବଳାଇବା ପାଇଁ ବ‌ାଧ୍ୟ ହୋଇଛନ୍ତି। ପୂର୍ବଭଳି ପୁଷ୍ଟିକର ଖାଦ୍ୟ ଯୋଗାଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୮ବର୍ଷ ଧରି ଆଇଫାଡ୍ ସହାୟତାରେ ଓଡ଼ିଶା ଆଦିମ ଜନଜାତି ସଶକ୍ତୀକରଣ ଓ ଜୀବିକା ଉନ୍ନତୀକରଣ ସଂସ୍ଥା (ଓପିଲିପି) ପକ୍ଷରୁ ରାୟଗଡ଼ା ଜିଲ୍ଲାର ବିଷମକଟକ, ମୁନିଗୁଡା, କଲ୍ୟାଣସିଂହପୁର, ଗୁଣପୁର ଏବଂ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଥିଲା। ଏଥିପାଇଁ ବିଷମକଟକ ଓ ମୁନିଗୁଡା ବ୍ଲକର ୧୨ଟି ଶିଶୁଗୃହରେ ୨୧୪ଜଣ ୭ମାସରୁ ଅଧିକ ଏବଂ ୩ ବର୍ଷରୁ କମ୍‌ ବୟସର ଶିଶୁ, ୨୦ଟି ମାତୃରନ୍ଧା ଖାଦ୍ୟ ବଣ୍ଟନ କେନ୍ଦ୍ରରେ ୧୧୭ଜଣ ଗର୍ଭବତୀ ଓ ପ୍ରସୂତି, ୯ଟି ରନ୍ଧାଖାଦ୍ୟ ବଣ୍ଟନ କେନ୍ଦ୍ରରେ ୮୯ଜଣ ୩ ବର୍ଷରୁ ୬ବର୍ଷ ବୟସର ଶିଶୁ ପୁଷ୍ଟିକର ଖାଦ୍ୟ ପାଉଥିଲେ। କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ଅଞ୍ଚଳରେ ୨ଟି ଶିଶୁଗୃହରେ ୩୫ଜଣ ୭ ମାସରୁ ଅଧିକ ଓ ୩ବର୍ଷରୁ କମ୍‌ ବୟସର ଶିଶୁ, ୧୭ଟି ମାତୃରନ୍ଧା ଖାଦ୍ୟ ବଣ୍ଟନ କେନ୍ଦ୍ରରେ ୫୯ଜଣ ଗର୍ଭବତୀ ଓ ୧୩ଟି ରନ୍ଧାଖାଦ୍ୟ ବଣ୍ଟନ କେନ୍ଦ୍ରରେ ୬୩ଜଣ ୩ ବର୍ଷରୁ ୬ବର୍ଷର ଶିଶୁ ପୁଷ୍ଟିକର ଖାଦ୍ୟ ପାଉଥିଲେ। ଗୁଣପୁର ବ୍ଲକ ପୁଟାସିଂ ଅନ୍ତର୍ଗତ କେରେବା ଏବଂ ସିନ୍ଧୁବା ଅଞ୍ଚଳରେ ଦୁଇଟି ଶିଶୁଗୃହରେ ୭ ମାସରୁ ଅଧିକ ଓ ୩ ବର୍ଷରୁ କମ୍‌ ୪୦ଜଣ ଲାଞ୍ଜିଆସୌରା ଶିଶୁ ଏବଂ ୧୩ ଗ୍ରାମର ୭୮ଜଣ ଗର୍ଭବତୀ ଏବଂ ପ୍ରସୂତି ଲାଭବାନ ହେଉଥିଲେ।

    ସେହିପରି ପଡ଼ାପୁଷ୍ଟି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ୩ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ୩୭୨୧ଜଣ ଶିଶୁ ଉପକୃତ ହେଉଥିଲେ। ୫୮୪୯ ଜଣ ଗର୍ଭବତୀ ଓ ପ୍ରସୂତି ମଧ୍ୟ ଯୋଜନାରୁ ଲାଭ ପାଉଥିଲେ। ମୁଦୁଲିପଡ଼ା, ଅଣ୍ଡ୍ରାହାଲ, ବଡ଼ଡୁରାଲ ଓ ରାସବେଡା ପଞ୍ଚାୟତର ୩୦ଟି ଗାଁରେ ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ୯ଟି ମାତୃ ଓ ଶିଶୁ ପୋଷଣ କେନ୍ଦ୍ର, ୨୧ଟି ଏସ୍‌ଏମ୍‌ଏଫ୍‌ସି ଏବଂ ୧୩ଟି ଏସ୍‌ଏଫ୍‌ସି ଜରିଆରେ ‌ଯୋଜନା ଜନଜାତିଙ୍କ ନିକଟରେ ପହଞ୍ଚୁଥିଲା। ଯୋଜନା ବନ୍ଦ ହୋଇଯିବାରୁ ସଂପୃକ୍ତ ଅଞ୍ଚଳରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ‌ସରକାର ‌ନିଷ୍ପତ୍ତି ବଦଳାଇବା ପରେ ଏହା ସ୍ବାଗତଯୋଗ୍ୟ ବୋଲି ଡିକେଡିଏ ସ୍ୱତନ୍ତ୍ର ଅଧିକାରୀ ମନୋଜ କୁମାର ସାହୁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    26 %
    2.3kmh
    5 %
    Sat
    28 °
    Sun
    36 °
    Mon
    36 °
    Tue
    37 °
    Wed
    38 °

    ସମ୍ବନ୍ଧିତ