Saturday, March 14, 2026
28.9 C
Odisha

    ରାଜ୍ୟ ସଂଗ୍ରହାଳୟ: କାର୍ଯ୍ୟକ୍ରମ ଆୟୋଜନ ପାଇଁ ବ୍ୟଗ୍ର କାହିଁକି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଦାୟିତ୍ୱ, କର୍ତ୍ତବ୍ୟ ଓ କାର୍ଯ୍ୟ ପରିସର କ’ଣ? ବିଗତ ପାଞ୍ଚ ବର୍ଷରେ ରାଜ୍ୟ ସଂଗ୍ରହାଳୟ ପକ୍ଷରୁ କେଉଁ କେଉଁ କାର୍ଯ୍ୟ ସମ୍ପାଦନ ହୋଇଛି ଏବଂ ଏଥିପ୍ରତି କେତେ ଟଙ୍କା ବ୍ୟୟ ହୋଇଛି? ବିଧାନସଭାରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଉତ୍ତର ରଖି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯେଉଁ ଉତ୍ତର ରଖିଛନ୍ତି ତାହା ଅନେକଙ୍କୁ ଚକିତ କରିଛି। ରାଜ୍ୟ ସଂଗ୍ରହାଳୟ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରତି ବର୍ଷ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୧୮-୧୯ ଆର୍ଥକ ବର୍ଷରୁ ୨୦୨୩-୨୪ ପର୍ଯ୍ୟନ୍ତ ପ୍ରାୟ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସବୁଠାରୁ ବଡ଼ କଥା ହେଲା, ପୂର୍ବ ଓ ପର ସାଧାରଣ ବର୍ଷ ଗୁଡ଼ିକ ଅପେକ୍ଷା କରୋନା ମହାମାରୀ ସମୟରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକଙ୍କୁ ଏକାଠି କରାଯାଇଛି। ଆଉ ଏହି ସବୁ କାର୍ଯ୍ୟକ୍ରମରେ ମଧ୍ୟ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ ହୋଇଛି।
    ମନ୍ତ୍ରୀ ଆହୁରି ଜଣାଇଛନ୍ତି, ରାଜ୍ୟ ସଂଗ୍ରହାଳୟ ଠାରେ ସଂଗୃହୀତ ହୋଇ ଗଚ୍ଛିତ ରହିଥିବା ସମସ୍ତ ଦୁଷ୍ପ୍ରାପ୍ୟ ଓ ଦୁର୍ମୂଲ୍ୟ ପ୍ରାଚୀନ ସାମଗ୍ରୀ ଗୁଡିକର ଆବଶ୍ୟକୀୟ ରକ୍ଷଣାବେକ୍ଷଣ କାର୍ଯ୍ୟ ସଂପାଦନ ସଂଗ୍ରହାଳୟର ପ୍ରମୁଖ ଦାୟିତ୍ୱ ଓ କର୍ତ୍ତବ୍ୟ। ଏହି କ୍ରମରେ ଏଠାରେ ଗଚ୍ଛିତ ଥିବା ଉକ୍ତ ପ୍ରାଚୀନ ସାମଗ୍ରୀ ଗୁଡିକର ସଂରକ୍ଷଣ କାର୍ଯ୍ୟ ନିୟମିତ କରାଯାଇଥାଏ। ଏଥିସହ ସଂଗ୍ରହାଳୟରେ ଆଲୋଚନାଚକ୍ର, ପ୍ରଦର୍ଶନୀ, ରଜପର୍ବ, ଶ୍ରୀ ଗୁଣ୍ଡିଚା ଯାତ୍ରା ଭଳି କାର୍ଯ୍ୟକ୍ରମ କରାଯାଇଥାଏ ବୋଲି ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି। ତେବେ ମନ୍ତ୍ରୀ ଦେଇଥିବା ସୂଚନାକୁ ଲକ୍ଷ୍ୟ କଲେ ରାଜ୍ୟ ସଂଗ୍ରହାଳୟ ନିଜର ମୂଳ ଦାୟିତ୍ବ ଅପେକ୍ଷା ବିଭିନ୍ନ ସମୟରେ କାର୍ଯ୍ୟକ୍ରମ ମାନ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ଦେଖିବାକୁ ମିଳିଛି। ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଓ ସଂଗ୍ରହାଳୟ ପ୍ରତିଷ୍ଠା ଦିବସ ପରେ ସଂଗ୍ରହାଳୟ ଆୟୋଜନ କରିଥିବା ଅନେକ କାର୍ଯ୍ୟକ୍ରମ ସଂଗ୍ରହାଳୟର ପରିସରଭୁକ୍ତ ନୁହେଁ। ଆଉ ଏହି ସବୁ କାର୍ଯ୍ୟକ୍ରମରେ ଯେଉଁ ଖର୍ଚ୍ଚ ପରିମାଣ ପଡ଼ିଛି ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ୨୦୧୮-୧୯ ଆର୍ଥିକ ବର୍ଷରେ ୫ଟି କାର୍ଯ୍ୟକ୍ରମରେ ୧୩ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି।

    ୬ ବର୍ଷରେ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଛି ୯୦ ଲକ୍ଷ
    କରୋନା ବେଳେ ବି ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା
    କାହା ସ୍ବାର୍ଥରେ ପାଳନ ହେଉଛି ବିବିଧ କାର୍ଯ୍ୟକ୍ରମ

    ୨୦୨୦-୨୧ ମସିହାରେ କ‌ରୋନା ଭୟଙ୍କର ସ୍ଥିତି ଦେଖିବାକୁ ମିଳିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ବର୍ଷ ସଂଗ୍ରହାଳୟ ଦିବସ ପାଳନ କରାଯାଇ ୩ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି। ପ୍ରତ୍ନତତ୍ତ୍ବ ଗ୍ୟାଲେରି ସମ୍ପର୍କିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ କରାଯାଇ ପ୍ରାୟ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସେହି ସମୟରେ ଦକ୍ଷିଣ କୋରିଆ ଚିତ୍ରକଳା ପ୍ରଦର୍ଶନୀ କରାଯାଇ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ୨୦୨୦ରେ ପୂର୍ବ ବର୍ଷ ଅପେକ୍ଷା ଅଧିକ ତଥା ୧୬ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ହୋଇଛି। ୨୦୨୧-୨୨ରେ ପ୍ରାୟ ୧୧ ଲକ୍ଷ ଖର୍ଚ୍ଚ ହୋଇଛି। କରୋନା ସମୟରେ କେମିତି ଏତେ ଟଙ୍କା ଖର୍ଚ୍ଚ ହେଲା ତାହା ତଦନ୍ତ ସାପେକ୍ଷ। ସେହିପରି ୨୦୨୨-୨୩ରେ ୧୬ ଲକ୍ଷ ୫୪ ହଜାର ଏବଂ ୨୦୨୩-୨୪ରେ ୧୮ ଲକ୍ଷ ୨୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ତେବେ ନୂଆ ସରକାର ଆସିବା ପରେ ରାଜ୍ୟ ସଂଗ୍ରହାଳୟରେ କାର୍ଯ୍ୟକ୍ରମ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଏମିତିକି ପୁସ୍ତକ ଉନ୍ମୋଚନ କରାଯାଇ କେନ୍ଦ୍ରମନ୍ତ୍ରୀ ଏବଂ ମାତ୍ର ଗୋଟିଏ ଗ୍ୟାଲେରି ଉଦ୍‌ଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆସିଛନ୍ତି। ତେବେ ବାରମ୍ବାର କାର୍ଯ୍ୟକ୍ରମ ଆୟୋଜନ କରି କ୍ଷମତାସୀନ ନେତାଙ୍କୁ ସନ୍ତୁଷ୍ଟି କରାଯାଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

    ସମ୍ପୂର୍ଣ୍ଣ ତଥ୍ୟକୁ ଅନୁଧ୍ୟାନ କଲେ, ଏହି କାର୍ଯ୍ୟକ୍ରମ ଭିତରେ ଚିତ୍ରକଳା ପ୍ରଦର୍ଶନୀ, ରଜ ମହୋତ୍ସବ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ, ଆଜାଦି କା ଅମୃତ ମହୋତ୍ସବ, ବିଜୁ ପଟ୍ଟନାୟକ ଜୟନ୍ତୀ, ଗାନ୍ଧୀ ଜୟନ୍ତୀ, ମଧୁବାବୁ ତିରୋଧାନ ଦିବସ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜୟନ୍ତୀ, ଖଣ୍ଡଗିରି ମହୋତ୍ସବ, ପରମାନନ୍ଦ ଆଚାର୍ଯ୍ୟ ଜୟନ୍ତୀ, ଫକୀର ମୋହନ ସେନାପତି ଜୟନ୍ତୀ, ସତ୍ୟନାରାୟଣ ରାଜଗୁରୁ ଜୟନ୍ତୀ ପ୍ରମୁଖ ପାଳନ କରାଯାଇଛି। ତେବେ ଏହି ସବୁ ଜୟନ୍ତୀ ପାଳନ ମଧ୍ୟରୁ କିଛି ସାହିତ୍ୟ ଏକାଡେମୀ ଓ ସିଧାସଳଖ ସରକାର ପାଳନ କରୁଛନ୍ତି। ଚିତ୍ରକଳା ପାଇଁ ଲଲିତକଳା ଏକାଡେମୀ କାର୍ଯ୍ୟ କରୁଛି। ରଜ ମହୋତ୍ସବ ପର୍ଯ୍ୟଟନ ବିଭାଗ ପ୍ରତି ବର୍ଷ ପାଳନ କରୁଛି। ତେବେ ଏମିତି କ’ଣ ଆବଶ୍ୟକତା ପଡ଼ିବାରୁ ଓ କାହା ସ୍ବାର୍ଥରେ ଏହି ସବୁ କାର୍ଯ୍ୟକ୍ରମ ରାଜ୍ୟ ସଂଗ୍ରହାଳୟରେ ପାଳନ ହେଉଛି ତାହା ତଦନ୍ତ ସାପେକ୍ଷ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ