Wednesday, March 4, 2026
21.8 C
Odisha

    ସମ୍‌ରେ ଜାତୀୟ ଶିଶୁ ଶଲ୍ୟ ଦିବସ ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚଳିତ ଡିସେମ୍ବର ୨୯ ତାରିଖରେ ଜାତୀୟ ଶିଶୁ ଶଲ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲ୍‌ର ଶିଶୁ ଶଲ୍ୟ ବିଭାଗରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷଜ୍ଞ ଓ ଡାକ୍ତର ମାନେ ଶିଶୁ ଶଲ୍ୟ ସମ୍ପର୍କିତ ବିଭିନ୍ନ ରୋଗକୁ ନେଇ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ ।
    ପ୍ରତ୍ୟେକ ଶିଶୁ ଉତମ ଯତ୍ନ ଓ ଚିକିତ୍ସା ପାଇବା ପାଇଁ ହକ୍‌ଦାର । କେତେକ ଶିଶୁଙ୍କର ଶରୀରରେ ଜନ୍ମଗତ ତ୍ରୁଟି ଥିବା ବେଳେ କାହାର କାହାର ପରବର୍ତୀ ସମୟରେ ସମସ୍ୟା ଦେଖାଦେଇଥାଏ । ଶିଶୁମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା, କଫ, କାଶ ସହିତ କିଡ୍‌ନୀ, ପେଟ ସମସ୍ୟା ସହ ହୃଦଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ସେହିପରି ହାର୍ନିଆ ଓ ଚର୍ମ ସମସ୍ୟା ମଧ୍ୟ ଉପୁଜିଥାଏ । ତେଣୁ ଏହିସବୁ ସମସ୍ୟାରୁ ଶିଶୁମାନଙ୍କୁ ଉତମ ଚିକିତ୍ସା ଓ ଅସ୍ତ୍ରୋପଚାର ମାଧ୍ୟମରେ ସୁସ୍ଥ କରିବା ନିମନ୍ତେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଶିଶୁ ଶଲ୍ୟ ବିଶେଷଜ୍ଞମାନଙ୍କର ଆବଶ୍ୟକତା ରହିଛି ବୋଲି ଏହି ଅବସରରେ ବିଶେଷଜ୍ଞ ମାନେ ମତ ବ୍ୟକ୍ତ କରିଥିଲେ ।
    ଆଧୁନିକ ଶିଶୁ ଶଲ୍ୟ ଅସ୍ତ୍ରୋପଚାର ଦ୍ୱାରା ନବଜାତ ଶିଶୁଙ୍କ ଠାରୁ ଆରମ୍ଭ କରି ପିଲାକୁ ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଦେଖାଦେଉଥିବା ଅନେକ ଜଟିଳ ସମସ୍ୟା ଯେପରିକି ଏନ୍‌କମ୍ପାସିଂ ୟୁରିନାରୀ, ଗ୍ୟାଷ୍ଟ୍ରୋଇନ୍‌ଟେଷ୍ଟାଇନାଲ୍‌, ଚେଷ୍ଟ, ନ୍ୟୁରୋ ସର୍ଜିକାଲ ସମସ୍ୟା ସମେତ ବିଭିନ୍ନ ଜନ୍ମଗତ ତ୍ରୁଟିର ଚିକିତ୍ସା ଓ ଉପଚାର ହୋଇପାରୁଛି । ଶିଶୁ ଶଲ୍ୟ ବିଶେଷଜ୍ଞମାନେ ଅତ୍ୟାଧୁନିକ ପ୍ରକ୍ରିୟା ଯେପରିକି କି-ହୋଲ୍‌, ଏଣ୍ଡୋସ୍କୋପିକ୍‌, ଲାପ୍ରୋସ୍କୋପିକ୍ ଓ ରୋବୋଟିକ୍ ସର୍ଜରୀ ମାଧ୍ୟମରେ ଶିଶୁମାନଙ୍କର ସୁରକ୍ଷିତ ଅସ୍ତ୍ରୋପଚାର କରିପାରୁଛନ୍ତି । ସେହିପରି ମିନିମାଲି ଇନ୍‌ଭେସିଭ୍ ସର୍ଜରୀ, ପେଡିଆଟ୍ରିକ୍ ଆନେସଥେସିଆ ଓ ହାଇଲେଭେଲ ଇନ୍‌ଟେନ୍ସିଭ୍ କେୟାର ଦ୍ୱାରା ଶିଶୁମାନଙ୍କ ଉତମ ସ୍ୱାସ୍ଥ୍ୟ ସେବା ସମ୍ପନ୍ନ ହୋଇପାରୁଛି ବୋଲି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁ ଶଲ୍ୟ ବିଭାଗର ପ୍ରଫେସର (ଡାକ୍ତର) ଅନ୍ତର୍ଯ୍ୟାମୀ ପ୍ରାଧାନ କହିଥିଲେ ।
    ଭାରତରେ ପ୍ରତ୍ୟେକ ଦିନ ପ୍ରାୟ ୩୦୦୦ରୁ ଊର୍ଦ୍ଧ୍ୱ ଶିଶୁ ଜନ୍ମଗତ ତ୍ରୁଟି ନେଇ ଜନ୍ମ ଗ୍ରହଣ କରୁଥିବା ବେଳେ ଉପଯୁକ୍ତ ଶିଶୁ ଶଲ୍ୟ ସୁବିଧା ଓ ଆଇସିୟୁର ଅଭାବ ଯୋଗୁଁ ଗ୍ରାମାଂଚଳ ମାନଙ୍କରେ ଶିଶୁ ମୃତ୍ୟୁହାର ବଢ଼ୁଛି । ତେବେ ଉପଯୁକ୍ତ ଚିକିତ୍ସା ଓ ଅସ୍ତ୍ରୋପଚାର ମାଧ୍ୟମରେ ଶିଶୁ ମୃତ୍ୟୁହାର ରୋକା ଯାଇପାରିବ । ଭାରତରେ ୨୦୨୨ରେ ଶିଶୁ ମୃତ୍ୟୁ ହାର ୧୦୦୦ ଜନ୍ମ ପ୍ରତି ୨୭.୬୯ ରହିଛି । ୨୦୨୧ରେ ଏହି ହାର ୨୮.୭୭ ଥିଲା ।
    ତେବେ ଶିଶୁଙ୍କ ଚିକିତ୍ସା କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରର ସ୍ୱାସ୍ଥ୍ୟସେବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପ୍ରଦାନ କରାଯାଇଥାଏ । ଏଠାରେ ନବଜାତ ଶିଶୁଙ୍କ ଶରୀରରେ ଲାପ୍ରୋସ୍କୋପିକ ଅସ୍ତ୍ରୋପଚାର, ପେଟର ଅସ୍ତ୍ରୋପଚାର, ହୃଦ୍ ଅସ୍ତ୍ରୋପଚାର ଓ ଜନ୍ମଗତ ତ୍ରୁଟି ଥିବା ଶିଶୁମାନଙ୍କର ସମସ୍ୟା ଗୁଡ଼ିକର ଉନ୍ନତମାନର ଚିକିତ୍ସା ଓ ଅସ୍ତ୍ରୋପଚାର ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ୍ ସର୍ଜରୀ ବିଭାଗରେ ସମ୍ପନ୍ନ କରାଯାଇପାରୁଛି ବୋଲି ପ୍ରଫେସର ପ୍ରଧାନ କହିଥିଲେ ।
    ଏଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ମାଧ୍ୟମରେ ସମସ୍ତ ଶିଶୁ ଶଲ୍ୟ ସମସ୍ୟାଗୁଡ଼ିକର ଅସ୍ତ୍ରୋପଚାର ଓ ଚିକିତ୍ସା କରାଯାଉଛି ।
    ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ରଙ୍କ ସମେତ ଶିଶୁ ଶଲ୍ୟ ବିଭାଗର ପ୍ରଫେସର ହିରଣ୍ୟ କୁମାର ମହାନ୍ତି, ପ୍ରଫେସର ସୁଧାଂଶୁ ଏସ୍‌. ପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ଲଳିତ ପଣ୍ଡା, ଡାକ୍ତର ବିକ୍ରମ ବେହେରା, ଡାକ୍ତର ସନ୍ତୋଷ ସୁବୁଦ୍ଧି ଓ ଶିଶୁ ରୋଗ ବିଭାଗର ପ୍ରଫେସର ଅରକ୍ଷିତ ସ୍ୱାଇଁ, ପ୍ରଫେସର ସରୋଜ ଶତପଥୀ, ପ୍ରଫେସର ରତନ କୁମାର ଦାସ, ଡାକ୍ତର ପ୍ରିୟଙ୍କା ପଣ୍ଡା ଓ ଡାକ୍ତର ପୁଣ୍ୟପ୍ରଭା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    25 %
    1.7kmh
    0 %
    Tue
    21 °
    Wed
    35 °
    Thu
    37 °
    Fri
    37 °
    Sat
    38 °

    ସମ୍ବନ୍ଧିତ