Sunday, September 20, 2026
30.5 C
Odisha

    ସଂକୁଚିତ ହେଉଛି ଋଷିକୁଲ୍ୟା ମୁହାଣ: ଅଲିଭ୍‌ ରିଡ୍‌ଲେ ଗଣଅଣ୍ଡାଦାନକୁ ପ୍ରଭାବିତ କରିବା ଆଶଙ୍କା

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ମୁହାଣ ସଂକୁଚିତ ହେବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା କମୁଥିବାରୁ ନଦୀରେ ଆଉ ପୂର୍ବଭଳି ପ୍ରଖର ଜଳସ୍ରୋତ ନାହିଁ। ଋଷିକୁଲ୍ୟା ନଦୀରେ ବର୍ତ୍ତମାନ ଜଳସଂକଟ ଦେଖା ଦେଇଛି। ନଦୀଶଯ୍ୟାରେ ପାଣି କମୁଥିବାରୁ ସମୁଦ୍ରକୁ ବାଲି ନିଷ୍କାସିତ ହେବାରେ ସମସ୍ୟା ହେଉଛି। ଫଳରେ ଗଣଅଣ୍ଡାଦାନ ପାଇଁ ଆବଶ୍ୟକ ଓ ଅନୁକୂଳ ସାବ୍ୟସ୍ତ ହେଉଥିବା ନୂତନ ବେଳାଭୂମି ସୃଷ୍ଟି ହେବାରେ ସମସ୍ୟା ଦେଖା ଦେଉଥିବା ପରିବେଶବିତ୍‌ମାନେ କହୁଛନ୍ତି। ଯାହାକି ଏ ବର୍ଷ ପୁଣି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନକୁ ପ୍ରଭାବିତ କରିବା ନେଇ ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ତଥା ଋଷିକୁଲ୍ୟାର ଉପର ମୁଣ୍ଡରେ ସେଭଳି ବଡ଼ ଧରଣର ବର୍ଷା ହୋଇ ନାହିଁ। ଏଣୁ ଋଷିକୁଲ୍ୟାରେ ବନ୍ୟା ପାଣି ଆସି ନଥିଲା। ଦୁଇଟି ଲଘୁଚାପ ଓ ବାତ୍ୟା ‘ଦାନା’ ପ୍ରଭାବରେ ମଧ୍ୟ ସେଭଳି ବଡ଼ ବର୍ଷା ହୋଇ ନଥିଲା। ଋଷିକୁଲ୍ୟା ଶୁଷ୍କ ରହିଥିବାରୁ ସମୁଦ୍ରକୁ ମୁହାଣ ଦେଇ ପାଣି ଆସୁ ନାହିଁ। ଫଳରେ ମୁହାଣରେ ମଧ୍ୟ ପଟୁ ଜମି ପୋତି ହେବାକୁ ବସିଲାଣି।

    ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟା ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ପ୍ରତିବର୍ଷ ଫେବ୍ରୁଆରି ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ଋଷିକୁଲ୍ୟା ମୁହାଣରେ ଗଣଅଣ୍ଡାଦାନ ହୋଇଥାଏ। ଏବେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଥିବା ବେଳେ ଅଣ୍ଡାଦାନ ପାଇଁ ବିସ୍ତୀର୍ଣ୍ଣ ଓ ଫସ୍‌ଫସିଆ ନୂତନ ବାଲୁକାଶଯ୍ୟା ଆବଶ୍ୟକ। ପ୍ରତିବର୍ଷ ପୁରୁଣାବନ୍ଧରୁ ବଟେଶ୍ବର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସୃଷ୍ଟି ହେଉଥିବା ବାଲୁକା ଶଯ୍ୟାରେ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିଥାନ୍ତି। ଚଳିତ ବର୍ଷ ପୋଡ଼ମ‌ପେଟା ନିକଟରେ ଏକ ନୂତନ ବାଲୁକା ଶଯ୍ୟା ସୃଷ୍ଟି ହୋଇଛି। କିନ୍ତୁ ତାହା ଗଣଅଣ୍ଡାଦାନ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ପରିବେଶବିତମାନେ ମତ ଦେଉଛନ୍ତି। ୨୦୨୨-୨୩ରେ ପୋଡ଼ମପେଟାରୁ ବଟେଶ୍ବର ମଧ୍ୟରେ କଇଁଛଙ୍କ ଗଣଅଣ୍ଡାଦାନ ହୋଇଥିଲା। କିନ୍ତୁ ୨୦୨୩-୨୪ରେ ଗଣଅଣ୍ଡାଦାନ ହୋଇ ନଥିଲା। ଏଥର କଇଁଛଙ୍କ କେଉଁଠି ଅଣ୍ଡାଦାନ କରିବେ ତା’ର ଠିକ୍‌ ଆକଳନ କରାଯାଇ ପାରୁ ନାହିଁ। ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବୀନ୍ଦ୍ରନାଥ ସାହୁଙ୍କ କହିବା ଅନୁସାରେ, ପ୍ରତିବର୍ଷ କଇଁଛ ନୂଆ ବେଳାଭୂମିରେ ଅଣ୍ଡାଦାନ କରିଥାନ୍ତି। କାରଣ ବିଗତ ବର୍ଷରେ ଅଣ୍ଡାଦାନ କରିଥିବା ସ୍ଥାନରେ ଅଣ୍ଡା ଖୋଳପା ପଡ଼ି ତାହା ବାଲିରେ ମିଶି ଯାଇଥାଏ। ସେହି ଖୋଳପା ପ୍ରାକୃତିକ ପର୍ଯ୍ୟାୟରେ ନଷ୍ଟ ହେବାକୁ ଅଧିକ ସମୟ ଲାଗିଥାଏ। ବାଲୁକା ଶଯ୍ୟା ଶକ୍ତ ହେବାରୁ କଇଁଛ ଅଣ୍ଡାଦାନ ପାଇଁ ବାଲି ଖୋଳି ପାରନ୍ତି ନାହିଁ। ଏଣୁ ସେମାନେ ନୂଆ ବେଳାଭୂମି ଚିହ୍ନଟ କରି ଅଣ୍ଡାଦାନ କରିଥାନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।

    ବର୍ଷା ଅଭାବରୁ ପ୍ରଖର ସ୍ରୋତ ନଆସିବା ଫଳରେ ଋଷିକୁଲ୍ୟା ମୁହାଣ ସଂକୁଚିତ ହୋଇ ଯାଉଥିବା ବେଳେ ଜଳପ୍ରବାହ କମିଛି। ସେହିପରି ବାଲି ମାଫିଆଙ୍କ ବେଆଇନ ବାଲି ଉତ୍ତୋଳନ ଏ କ୍ଷେତ୍ରରେ ଗୁରୁତର ପରିବେଶଗତ ସମସ୍ୟା ପାଲଟିଛି। ବାରମ୍ବାର ବାଲି ଉଠାଣ ଯୋଗୁ ନଦୀର ବିଭିନ୍ନ ସ୍ଥାନରେ ବାଲୁକାଶଯ୍ୟା ‌ତଳୁ ମାଟି ଖୋଳିହୋଇ ଗାତ ସୃଷ୍ଟି ହୋଇଯାଉଛି। ଯାହାଦ୍ବାରା ସମୁଦ୍ରକୁ ବାଲି ଆସିପାରୁ ନାହିଁ। ଏଣୁ ନୂଆ ବେଳାଭୂମି ସୃଷ୍ଟି ହେବାରେ ସମସ୍ୟା ହେଉଛି। ସେହିପରି ମୁହାଣ ସଂକୁଚିତ ହେବା ଫଳରେ ଗୋଖରକୁଦା, ନୂଆପୋଡ଼ମପେଟା, ନୋଳିଆ ନୂଆଗାଁ, ପାଳିବନ୍ଧ, କାଇଁଚପୁର, ଦାମୋଦରପୁର ପ୍ରଭୃତି ଗ୍ରାମର ମତ୍ସ୍ୟଜୀବୀମାନେ ମଧ୍ୟ ସମୁଦ୍ରକୁ ଡଙ୍ଗା ନେବା ଆଣିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    65 %
    2.7kmh
    97 %
    Sun
    30 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ