Tuesday, September 8, 2026
29.8 C
Odisha

    ହାଇକୋର୍ଟଙ୍କ ରାୟରେ ସୁପ୍ରିମ୍‌କୋର୍ଟ ଏକମତ

    ଆଗକୁ ପଢନ୍ତୁ

    କଟକ: ଗୋଟିଏ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ବ୍ୟକ୍ତି ଅନ୍ୟ ଏକ ମାମଲାରେ ଆଗୁଆ ଜାମିନ ଆବେଦନ କରି ପାରିବେ ବୋଲି ସୁପ୍ରିମ‌୍‌କୋର୍ଟ ରାୟ ଦେଇଛନ୍ତି। ଏକ ମାମଲାରେ ଅମର ଏସ୍‌. ମୁଲଚନ୍ଦାନି ଓ ଅନ୍ୟ ଜଣେ ଜେଲ୍‌ରେ ଥିବା ବେଳେ ଅନ୍ୟ ଏକ ମାମଲାରେ ସେମାନେ ସିଆର୍‌ପିସିର ଧାରା ୪୩୮ରେ ଦାୟର କରିଥିବା ଆଗୁଆ ଜାମିନ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଅପରପକ୍ଷ ଦାଖଲ କରିଥିବା ଆପତ୍ତିକୁ ବମ୍ବେ ହାଇକୋର୍ଟ ଖାରଜ କରିଥିଲେ। ଏପରି ଆଗୁଆ ଜାମିନ ଆବେଦନ ବିଚାର ପାଇଁ ଗ୍ରହଣୀୟ ବୋଲି ବମ୍ବେ ହାଇକୋର୍ଟ ପ୍ରଦାନ କରିଥିବା ୨୦୨୩, ଅକ୍ଟୋବର ୩୧ର ରାୟକୁ ସୁପ୍ରିମ୍‌କୋର୍ଟରେ ଅପରପକ୍ଷ ଚାଲେଞ୍ଜ କରିଥିଲେ।

    ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେବି ପାରଦିୱାଲା ଓ ଜଷ୍ଟିସ୍‌ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ଏକ ପୃଥକ ମାମଲାରେ ସଂପୃକ୍ତି କାରଣରୁ ବିଚାରାଧୀନ ‌ହାଜତରେ ଥିବା ଜଣେ ଅଭିଯୁକ୍ତ ତରଫରୁ ଆଗୁଆ ଜାମିନ ପାଇଁ ସିଆର୍‌ପିସିର ଧାରା ୪୩୮ରେ ଦାୟର ଆବେଦନ ଗ୍ରହଣୀୟ କି ନୁହେଁ ସେ ନେଇ କୋର୍ଟ ଶୁଣାଣି କରିଥିଲେ। ଉଲ୍ଲେଖନୀୟ କଥା ହେଉଛି, ଏହି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର ଚଳିତବର୍ଷ ପ୍ରଦାନ କରିଥିବା ରାୟକୁ ସୁପ୍ରିମ୍‌କୋର୍ଟରେ ଗ୍ରହଣୀୟ ହୋଇଛି। ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର ଏହି ପ୍ରସଙ୍ଗରେ ‘ସଂଜୟ କୁମାର ଷଡ଼ଙ୍ଗୀ ବନାମ ଓଡ଼ିଶା ସରକାର’ ମାମଲାର ଶୁଣାଣି କରି ୨୦୨୪, ଏପ୍ରିଲ ୧୦ରେ ପ୍ରଦାନ କରିଥିବା ରାୟର ନଜିର ଶୁଣାଣି ସମୟରେ ଉପସ୍ଥାପନ କରାଯାଇଥିଲା। ଗୋଟିଏ ମାମଲାରେ ହାଜତରେ ଥିବା ଅଭିଯୁକ୍ତ ତାଙ୍କ ବିରୋଧରେ ପଞ୍ଜୀକୃତ ପୃଥକ ମାମଲାରେ ଆଗୁଆ ଜାମିନ ପାଇଁ ପ୍ରାର୍ଥନା କରିବାରେ କୌଣସି ଆଇନଗତ ବାଧା ନାହିଁ ବୋଲି ଓଡ଼ିଶା ହାଇକୋର୍ଟଙ୍କ ଏହି ରାୟରେ ଉଲ୍ଲେଖ କରାଯାଇଥିଲା।

    ଏହି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଓ ବମ୍ବେ ହାଇକୋର୍ଟଙ୍କ ସମାନ ରାୟ ରହିଛି। ଅନ୍ୟପକ୍ଷରେ ଏହି ପ୍ରସଂଗରେ ଶୁଣାଣି କରି ରାଜସ୍ଥାନ, ଦିଲ୍ଲୀ, ଆହ୍ଲାବାଦ ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଗ୍ରହଣୀୟ ନୁହେଁ ବୋଲି ରାୟ ଦେଇଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଓଡ଼ିଶା ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଥିବା ବିଭିନ୍ନ ଆଇନଗତ ଦିଗ, ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀକୁ ସୁପ୍ରିମ୍‌କୋର୍ଟ ବିଚାରକୁ ନେଇଛନ୍ତି। ଗୋଟିଏ ମାମଲାରେ ହାଜତରେ ଥିବା ଅଭିଯୁକ୍ତ ପୃଥକ ମାମଲାରେ ଦାୟର କରୁଥିବା ଆଗୁଆ ଜାମିନ ଆବେଦନ ବିଚାର ପାଇଁ ଗ୍ରହଣୀୟ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଏଥି ସହିତ ବମ୍ବେ ହାଇକୋର୍ଟ ରାୟ ବିରୋଧରେ ଦାୟର ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି।

    ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଏପ୍ରିଲ୍‌ ୧୦ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର ଏହି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ। ରାୟରେ ଉଲ୍ଲେଖ କରାଯାଇଥିଲା ଯେ, ଗୋଟିଏ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଜଣେ ବ୍ୟକ୍ତି ଅନ୍ୟ ଏକ ମାମଲାରେ ଆଗୁଆ ଜାମିନ ଆବେଦନ କରି ପାରିବେ। ଯଦି ତାଙ୍କୁ ସେହି ମାମଲାରେ ଆଗୁଆ ଜାମିନ ମିଳେ ତେବେ ପୂର୍ବ ମାମଲାରେ ମୁକ୍ତ ହେବା ପରେ ସଂପୃକ୍ତ ଅଭିଯୁକ୍ତଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକ୍ଷମ ହେବ। ପୂର୍ବ ମାମଲାରେ ହେପାଜତରେ ଥିବା ବେଳେ ଜେରା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ ତଦନ୍ତକାରୀ ସଂସ୍ଥା ପଦକ୍ଷେପ ନେଇ ପାରିବ। ଯଦି ରିମାଣ୍ଡ ମଞ୍ଜୁର କରି ନିର୍ଦ୍ଦେଶ ପ୍ରଦାନ କରାଯାଏ ତେ‌ବେ ଅଭିଯୁକ୍ତ ଆଉ ଆଗୁଆ ଜାମିନ ପାଇଁ ଆବେଦନ କରି ପାରିବେ ନାହିଁ। ଏଭଳି କ୍ଷେତ୍ରରେ ସେ ନିୟମିତ ଜାମିନ ଲୋଡ଼ି ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଥିଲା। ଗୋଟିଏ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅଭିଯୁକ୍ତ ତାଙ୍କ ବିରୋଧରେ ରୁଜୁ ଅନ୍ୟ ଏକ ମାମଲାରେ ଆଗୁଆ ଜାମିନ ଲୋଡ଼ି ଦାୟର କରିଥିବା ଆବେଦନ ଆଇନ ଅନୁସାରେ ଗ୍ରହଣୀୟ ବା ନୁହେଁ ସେ ନେଇ ଶୁଣାଣି ସମୟରେ ପ୍ରଶ୍ନ ଉଠିଥିଲା। ଏହି ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ଓ ଦେଶର ଅନ୍ୟ ହାଇକୋର୍ଟ ପ୍ରଦାନ କରିଥିବା ରାୟର ନଜିର ଉପସ୍ଥାପନ କରାଯାଇଥିଲା। ଏଥି ସହିତ ସମ୍ବିଧାନ ପ୍ରଦତ୍ତ ବ୍ୟକ୍ତିଗତ ସ୍ବାଧୀନତା ମୌଳିକ ଅଧିକାର ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।

    ଅନୁସୂଚିତ ଜାତି ଓ ଜନଜାତିଙ୍କ ସୁରକ୍ଷା ପାଇଁ ରହିଥିବା ଆଇନରେ ରୁଜୁ ମାମଲାରେ ଆଗୁଆ ଜାମିନ ପ୍ରଦାନ ଉପରେ କଟକଣା ରହିଛି। ଏଭଳି କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆଗୁଆ ଜାମିନ ଆବେଦନ ଗ୍ରହଣୀୟ ନୁହେଁ। କିନ୍ତୁ ଗୋଟିଏ ମାମଲାରେ ଗିରଫ ହୋଇ ଜେଲ‌୍‌ରେ ଥିବା ଅଭିଯୁକ୍ତ ତାଙ୍କ ବିରୋଧରେ ରୁଜୁ ଅନ୍ୟ ନୂଆ ମାମଲାରେ ସିଆର୍‌ପିସିର ଧାରା ୪୩୮ରେ ଆଗୁଆ ଜାମିନ ଦାୟର କରିବାରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ ବୋଲି ହାଇକୋର୍ଟ ମତ ଦେଇଥିଲେ। ଜେଲ୍‌ରେ ରହି ଜଣେ ଅଭିଯୁକ୍ତ ପୃଥକ ମାମଲାରେ ଆଗୁଆ ଜାମିନ ପାଇଁ ଅଦାଲତରେ ଆବେଦନ କରିବା ପ୍ରସଙ୍ଗରେ ରହିଥିବା ଆଇନଗତ ଦ୍ବନ୍ଦ୍ବ ଓଡ଼ିଶା ହାଇକୋର୍ଟଙ୍କ ରାୟ ପରେ ଦୂର ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ତାଙ୍କ ବିରୋଧରେ ଅନ୍ୟ ଆପରାଧିକ ମାମଲା ରୁଜୁ ହୋଇଥିଲା। ଜେଲ୍‌ରେ ଥାଇ ନୂଆ ମାମଲାରେ ଆଗୁଆ ଜାମିନ ଲୋଡ଼ି ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    73 %
    3.3kmh
    96 %
    Tue
    29 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ