Sunday, September 27, 2026
22.6 C
Odisha

    ପରିତ୍ୟକ୍ତ ଖଣି‌ରେ ବିଷାକ୍ତ ପାଣି: ବିପଦ ସାଜିଛି ୨୬ ଅଚଳ କ୍ରୋମାଇଟ୍‌ ଖଣି

    ଆଗକୁ ପଢନ୍ତୁ

    କାଳିଆପାଣି: ମାରାତ୍ମକ ହେକ୍ସାଭାଲେଣ୍ଟ୍‌ କ୍ରୋମିଅମ୍‌ ମିଶ୍ରିତ ବିଷାକ୍ତ ପାଣିରେ ଭରିରହିଛି ସୁକିନ୍ଦା କ୍ରୋମ୍‌ ଉପତ୍ୟକାର କ୍ରୋମାଇଟ୍‌ ଖଣି। ୭୫ ବର୍ଷ ଧରି ନିରନ୍ତର ଭାବେ କ୍ରୋମ୍‌ ଉତ୍ତୋଳିତ ହୋଇଆସୁଥିବା ଏହି ଉପତ୍ୟକାରେ ଏବେ ୨୬ଟି ଅଚଳ କ୍ରୋମାଇଟ୍‌ ଖଣି ଲୋକଙ୍କ ପାଇଁ ବିପଦ ସାଜିଛି। ପରିତ୍ୟକ୍ତ ଖଣିରୁ ସୃଷ୍ଟ ଏସବୁ କୃତ୍ରିମ ଜଳାଶୟର ଗଭୀରତା ୧୨୦ ଫୁଟରୁ ୨୫୦ ଫୁଟ ପର୍ଯ୍ୟନ୍ତ ରହିଛି। ଗୋଟିଏଗୋଟିଏ ଖଣି ୫ ଏକରରୁ ୭ ଏକର ଜମିରେ ପରିବ୍ୟାପ୍ତ। ଖଣି ଉପରୁ ପାଦଦେଶକୁ ଲମ୍ବିଥିବା କ୍ରୋମ୍ ଶିରା ପାଣିରେ ବୁଡ଼ିରହିଛି। ଏହି କ୍ରୋମାଇଟ୍‌ ପାଣି ସଂସ୍ପର୍ଶରେ ଆସିବା ଦ୍ବାରା ବିସ୍ତୃତ ‌ଜଳରାଶି ନିଷିଦ୍ଧ ହେକ୍ସାଭାଲେଣ୍ଟ୍‌ କ୍ରୋମିଅମ୍‌କୁ ରୂପାନ୍ତରିତ ହୋଇଥାଏ।

    ମୁମ୍ବାଇ ଆଇଆଇଟି ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଜୀବ ବିଜ୍ଞାନ ବିଭାଗ ପକ୍ଷରୁ ଶୁଭଦର୍ଶିନୀ ମହାନ୍ତି, ସୁଜାତା ହୋତା, ଅଙ୍କୁରି ବେନ୍ୟା, ଏମ୍‌ ସନ୍ଥୋଷ କୁମାର ଓ ଶିଖା ସିଂହଙ୍କ ମିଳିତ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ବିଷାକ୍ତ ହେକ୍ସାଭାଲେଣ୍ଟ୍‌ କ୍ରୋମିଅମ୍‌ ପ୍ରଭାବରୁ ମନୁଷ୍ୟ ଶରୀରରେ ପାକସ୍ଥଳି କର୍କଟ, ଗ୍ୟାଷ୍ଟ୍ରିକ, ଅଲସର, ଶ୍ବାସ, ଫୁସଫୁସ୍ ଜନିତ ରୋଗ, ଆଲର୍ଜି, ରକ୍ତହୀନତା, ଚର୍ମରୋଗ ହୋଇଥାଏ। ସେହିପରି ଶ୍ବାସକ୍ରିୟାରେ ସୂକ୍ଷ୍ମ କ୍ରୋମ୍‌ କଣିକା ନାକରେ ପ୍ରବେଶକରି ଫୁସଫୁସ କର୍କଟ ରୋଗର କାରଣ ହୋଇଥାଏ। ଏହି ବିଷ ଦାଉରୁ ଖଣି ଶ୍ରମିକ ଓ କର୍ମଚାରୀଙ୍କ ସମେତ ୧ ଲକ୍ଷ ୮୦ ହଜାର ପାରିପାର୍ଶ୍ବିକ ଅଞ୍ଚଳବାସୀ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। କ୍ରୋମାଇଟ୍‌ ଗନ୍ତାଘର କୁହାଯାଉଥିବା ସୁକିନ୍ଦା କ୍ରୋମ୍‌ ଉପତ୍ୟକରେ ୧୯୪୯ ମସିହାରେ ମିଶ୍ରିଲାଲ୍ ଜୈନ କମ୍ପାନି ପକ୍ଷରୁ ପ୍ରଥମେ ସାରୁଆବିଲ କ୍ରୋମାଇଟ୍‌ ଖଣି ଖୋଲା ଯାଇଥିଲା। ଏହାପରେ ଟାଟାଷ୍ଟିଲ ସୁକିନ୍ଦା କଲରଙ୍ଗିଅତ୍ତାରେ, ଓଡ଼ିଶା ଖଣି ନିଗମ କଲରଙ୍ଗିରେ, ଫେକର କମ୍ପାନି କାଠପାଳରେ ଓ ବିସିମହାନ୍ତି ଏଣ୍ଡ୍ ସନ୍ସ କମର୍ଦ୍ଦାରେ, ଇମ୍ଫା ଚିଙ୍ଗୁଡ଼ିପାଳରେ ଓ ଆଇଡିସି(ଇଫ୍‌କାଲ୍‌) ତଳଙ୍ଗିରେ କ୍ରୋମାଇଟ୍‌ ଖଣି ଖୋଲିଥିଲେ।

    ବ୍ୟବସାୟିକ ଦୃଷ୍ଟିକୋଣ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ମଞ୍ଜୁରି ଅଭାବରୁ ସୁକିନ୍ଦା ଉପତ୍ୟକାରେ ୨୬ଟି କ୍ରୋମାଇଟ୍‌ ଖଣି ୧୫ ରୁ ୩୫ ବର୍ଷ ଧରି ଅଚଳ ପଡ଼ିଛି। ଓଏମ୍‌ସିର ସର୍ବାଧିକ ୧୪ଟି ଖଣି କଲରଙ୍ଗି କ୍ରୋମାଇଟ୍‌ ଖଣିର ୫ଟି ଏ’ କ୍ବାରି, ବି’ କ୍ବାରି, ଇ’ କ୍ବାରି, ଏଫ୍‌’ କ୍ବାରି ଓ ଜି’ କ୍ବାରି, କାଠପାଳ କ୍ରୋମାଇଟ୍‌ ଖଣିର ଆଉ ୫ଟି ବି’ କ୍ବ‌ାରି, ପାହାଡ଼ ପିଟ୍‌, ବାଉଣ୍ଡରି ପିଟ୍‌, ନିମକଚ୍ଚା ଓ ବିରାଶାଳ ଡଙ୍ଗାକଟା କ୍ରୋମାଇଟ୍‌ ଖଣି, ତଳଙ୍ଗି କ୍ରୋମାଇଟ୍‌ ଖଣି ଏବଂ କାଳିଆପାଣି କ୍ରୋମାଇଟ୍‌ ଖଣିର ୩ଟି ୧ ନମ୍ବର କ୍ବାରି, ୨ ନମ୍ବର କ୍ବାରି ଓ ୩ ନମ୍ବର କ୍ବାରି କ୍ରୋମାଇଟ୍‌ ଖଣି, ପୂର୍ବରୁ ଟାଟାଷ୍ଟିଲ ମାଲିକାନାରେ ଥିବା ୫ଟି ଖଣି ଓବି-୧, ଓବି-୨, ଓବି-୩, ଓବି-୧୦(ଖ) ଓ ଓବି-୯ ଏବଂ ଏବେ ଟାଟାଷ୍ଟିଲ ମାଲିକାନାରେ ଥିବା ସାରୁଆବିଲ ଓ ହାତୀହୁଡ଼ି ଗାଁରେ ଥିବା ୨ଟି ଖଣି, ଫେକର କାଠପାଳ ଭୂତଳ କ୍ରୋମାଇଟ୍‌ ଖଣି ଜଙ୍ଗଲ ପିଟ୍‌ ଓ ମହେଶ୍ବର ପିଟ୍‌, ଇମ୍ଫା ଚିଙ୍ଗୁଡ଼ିପାଳ(ଓସ୍ତିଆ) କ୍ରୋମାଇଟ୍‌ ଖଣି ଏବଂ ଓସ୍ତପାଳ ଗାଁରେ ଆଇକତ କମ୍ପାନି ମାଲିକାନାରେ ସ୍ବଳ୍ପ ଗଭୀର ଖୋଳାଯାଇଥବା ୨ଟି ଖଣି ବର୍ଷବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହା ମଧ୍ୟରୁ ୭ ରୁ ୮ଟି ଖୋଲା ପରିତ୍ୟକ୍ତ ଖଣିର ପ୍ରଦୂଷିତ ନୀଳ ଜଳରାଶିରେ ପାର୍ଶ୍ବସ୍ଥ ଗ୍ରାମବାସୀ ଓ ସାଧାରଣ ପଥିକ ଅବାଧରେ ପଶି ସ୍ନାନଶୌଚ କରୁଛନ୍ତି। ଏ ସଂପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ଇଂ. ମଦନ ମୋହନ ସାହୁ କହିଛନ୍ତି ପରିସ୍ଥିତି ଅନୁଧ୍ୟାନ ପରେ ଆବଶ୍ୟକସ୍ଥଳେ ସତର୍କତାମୂଳକ ପଦକ୍ଷେପ ନିଆଯିବ ବୋଲି କହନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    96 %
    1.5kmh
    65 %
    Sat
    22 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ