Sunday, September 13, 2026
27.6 C
Odisha

    ନବାନ୍ନ ଅଭିଯାନ’ରେ ହିଂସା: ପୁଲିସ ଉପରକୁ ଟେକାମାଡ଼ କଲେ ଆନ୍ଦୋଳନକାରୀ

    ଆଗକୁ ପଢନ୍ତୁ

    କୋଲକାତା: କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ କରି ଆଜି ‘ପଶ୍ଚିମବଙ୍ଗ ଛାତ୍ର ସମାଜ’ ପକ୍ଷରୁ ଜୋରଦାର ଆନ୍ଦୋଳନ ହୋଇଛି। ବିଭିନ୍ନ ଛାତ୍ର ସଂଗଠନର ‘କୋଲକାତା ନବାନ୍ନ ଅଭିଯାନ’ ଆଜି ହିଂସାତ୍ମକ ମୋଡ଼ ନେଇଥିବା ବେଳେ ପୁଲିସ-ଛାତ୍ର ସଂଘର୍ଷ ଯୋଗୁଁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସାନ୍ତରାଗାଚ୍ଛିରେ କୋନା ଏକ୍ସପ୍ରେସ୍‌ୱେରେ ଆଜି ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ବଡ଼ଧରଣର ସଂଘର୍ଷ ଉପୁଜିଥିଲା। ନବାନ୍ନ (ସଚିବାଳୟ ଭବନ) ଆନ୍ଦୋଳନ ଯାତ୍ରାକୁ ଅଟକାଇବାପାଇଁ ପୁଲିସ ହାଓଡ଼ା ବ୍ରିଜ୍‌‌ରେ ବ୍ୟାରିକେଡ୍‌ ରଖିଥିବା ବେଳେ ଆନ୍ଦୋଳନକାରୀମାନେ ବ୍ୟାରିକେଡ ହଟାଇ ଆଗକୁ ବଢ଼ିଥିଲେ। ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ଜଳ ତୋପ ଓ ଲୁହବୁହା ଗ୍ୟାସ୍‌ ସେଲ୍‌ ପ୍ର‌ୟୋଗ କରିବା ସହ ଲାଠି ମାଡ଼ କରିଥିଲା। ‌ ଅନ୍ୟପକ୍ଷରେ ଆନ୍ଦୋଳନକାରୀମାନେ ମଧ୍ୟ ପୁଲିସ ଉପରେ ପଥର ମାଡ଼ କରିବା ସହ ହାଓଡ଼ା ବ୍ରିଜ୍‌ ଉପରକୁ ଚଢ଼ିଯାଇ ‘ନବାନ୍ନ ଅଭିଯାନ ଆନ୍ଦୋଳନ’କୁ ଏକ ଲଢ଼େଇରେ ପରିଣତ କରିଥିଲେ। ପଥର ମାଡ଼ରେ ୧୫ ଜଣ ପୁଲିସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ଆଜି ଦିନ ତମାମ ପୁଲିସ କାର୍ଯ୍ୟାନୁଷ୍ଠାନରେ ୨୦୦ରୁ ଅଧିକ ଆନ୍ଦୋଳନକାରୀ ଗିରଫ ହୋଇଥିବା ବେଳେ ରାତିରେ ବି ଛାତ୍ର ଆନ୍ଦୋଳନ ଜାରି ରହିଛି।

    ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ଆଜି ଛାତ୍ର ସମାଜ ପକ୍ଷରୁ ନବାନ୍ନ ଅଭିଯାନ ଆନ୍ଦୋଳନ ଆରମ୍ଭ ହୋଇଥିଲା। କୋଲକାତା ପୁଲିସ ଆଜି ସକାଳେ ପ୍ରଥମେ ୪ ଜଣଙ୍କୁ ଗିରଫ କରିବା ଖବର ପ୍ରଚାରିତ ହେବାପରେ ଉତ୍ତେଜନା ବଢ଼ିଥିଲା। ପୁଲିସ କହିଛି, ଗିରଫ ହୋଇଥିବା ୪ ଜଣ ହତ୍ୟା ଉଦ୍ୟମ ଏବଂ ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ । ଏହା ପୂର୍ବରୁ ବିଜେପିର ସୁଭେନ୍ଦୁ ଅଧିକାରୀ କହିଥିଲେ ଯେ ଗତକାଲି ମଧ୍ୟରାତ୍ରିଠାରୁ ୪ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନବାନ୍ନ ଅଭିଯାନ ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଜେପି ଆସନ୍ତାକାଲି ପଶ୍ଚିମବଙ୍ଗ‌ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ଏଭଳି ଏକଛତ୍ରବାଦୀ ଶାସନରେ ଲୋକଙ୍କ କଥା ଶୁଣିବାପାଇଁ କେହି ନଥିବାରୁ ଆମେ ବନ୍ଦ ଡାକରା ଦେବାପାଇଁ ବାଧ୍ୟ ହେଉଛୁ। ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଏହା ଦୁଷ୍କର୍ମକାରୀ ଓ ଅପରାଧୀଙ୍କୁ ସମର୍ଥନ କରୁଛି। ଅନ୍ୟପକ୍ଷେ ଟିଏମ୍‌ସି କହିଛି ରାଜ୍ୟରେ ଶାନ୍ତି ନଷ୍ଟ ପାଇଁ ଉଦ୍ୟମ ହୋଇଛି ଏବଂ ଏଥିରେ ବିଜେପିର ସମ୍ପୃକ୍ତି ରହିଛି। ନବାନ୍ନ ଅଭିଯାନ ଆନ୍ଦୋଳନ ଯାତ୍ରାକୁ କଡ଼ା ନିନ୍ଦା କରି ଟିଏମ୍‌ସି ସାଂସଦ ମହୁଆ ମୈତ୍ର ଆନ୍ଦୋଳନକାରୀଙ୍କୁ ଗୁଣ୍ଡା କହିଛନ୍ତି। ଏକ୍ସରେ ଏକ ପୋଷ୍ଟ୍‌ କରି‌ ମୈତ୍ର କହିଛନ୍ତି, ପୁଲିସ ଉପରକୁ ଆନ୍ଦୋଳନକାରୀ ପଥର ମାଡ଼ କରିବା ଦ୍ବାରା ଅନେକ ପୁଲିସ କର୍ମୀ ଆହତ ହୋଇଛନ୍ତି।

    ନବାନ୍ନ ଅଭିଯାନ ଆନ୍ଦୋଳନ ପାଇଁ ଆଜି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ରାଜ୍ୟ ସଚିବାଳୟ ନିକଟରେ ଆଜି ୨୦ରୁ ଅଧିକ ସ୍ଥାନରେ ବ୍ୟାରିକେଡ୍‌ ରଖାଯାଇଥିଲା। ସଚିବାଳୟ ପଥରେ ୬ ହଜାରରୁ ଅଧିକ ପୁଲିସ ମୁତୟନ ହୋଇଥିଲେ। ବିଭିନ୍ନ ଜିଲ୍ଲାରୁ ଅତିରିକ୍ତ ବାହିନୀ ମଧ୍ୟ ସୁରକ୍ଷାରେ ନିୟୋଜିତ ହୋଇଥିଲେ। ଆନ୍ଦୋଳନକାରୀଙ୍କ ଗତିବିଧି ଯାଞ୍ଚ କରିବାପାଇଁ ଡ୍ରୋନ୍‌ ଏବଂ ରୋବକପ୍‌ ବ୍ୟବହାର କରାଯାଇଥିଲା। ଇତିମଧ୍ୟରେ ପଶ୍ଚିମବଙ୍ଗ ପୁଲିସ ଆନ୍ଦୋଳନକୁ ବେଆଇନ ଘୋଷଣା କରିଛି ଏବଂ ସେମାନଙ୍କ ନିକଟରେ ଅନୁମତି ପାଇଁ କୌଣସି ଅନୁରୋଧ କରାଯାଇନି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଗିରଫ ଛାତ୍ରଙ୍କୁ ତୁରନ୍ତ ଖଲାସ କରାଯିବା ଦାବିରେ ବିଜେପି ପକ୍ଷରୁ କୋଲକାତା ପୁଲିସ ମୁଖ୍ୟାଳୟ ବାହାରେ ଆନ୍ଦୋଳନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ