Monday, August 24, 2026
24.2 C
Odisha

    ପୂଜାବ୍ରତରେ କାହିଁକି ପିଆଜ ରସୁଣ ମନା

    ଆଗକୁ ପଢନ୍ତୁ

    ହିନ୍ଦୁଧର୍ମରେ ଅନେକ ମାନ୍ୟତା ରହିଛି। ତନ୍ମଧ୍ୟରେ ପୂଜାବ୍ରତ ସମୟରେ ପିଆଜ ରସୁଣ ସେବନ ନ କରିବା ଅନ୍ୟତମ। ପିଆଜ ରସୁଣ ଯୁକ୍ତ ଖାଦ୍ୟ ଈଶ୍ୱରଙ୍କୁ ପ୍ରସାଦ ଭାବେ ମଧ୍ୟ ଅର୍ପଣ କରାଯାଇ ନ ଥାଏ। ଯଦିଓ ପିଆଜ ରସୁଣ ମଧ୍ୟରେ ଔଷଧୀୟ ଗୁଣ ଭରି ରହିଛି। ତେବେବି ଏହାକୁ ପୂଜା ବ୍ରତରେ ସେବନ କରିବା ନିଷିଦ୍ଧ। ହେଲେ କାହିଁକି, ଜାଣନ୍ତୁ ସେ ସମ୍ପର୍କରେ…

    ହିନ୍ଦୁଧର୍ମରେ ଖାଦ୍ୟକୁ ତିନିଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଉଛି ସାତ୍ତ୍ୱିକ। କ୍ଷୀର, ଦହି, ଘିଅ, ଚାଉଳ, ମୁଗ, ପନିପରିବା ଆଦି ସାତ୍ତ୍ୱିକ ଆହାର ଅନ୍ତର୍ଭୁକ୍ତ। ଏହି ଖାଦ୍ୟ ସକାରାତ୍ମକତା, ଶାନ୍ତି, ସଞ୍ଜମତା, ଜ୍ଞାନ ଆଦି ବୃଦ୍ଧି କରିଥାଏ। ତେଣୁ ଏସବୁକୁ କେବଳ ଉପବାସ ସମୟରେ ନୁହେଁ ସବୁଦିନ ଗ୍ରହଣ କଲେ ଭଲ। ଦ୍ୱିତୀୟ ହେଉଛି ରାଜସିକ। ରାଗ, ଖଟା, ଅଧିକ ଲୁଣି, ଚଟପଟା ଆଦି ଖାଦ୍ୟ ଯାହା ରଜୋଗୁଣ ବଢାଏ ସେଗୁଡ଼ିକ ରାଜସିକରେ ଅନ୍ତର୍ଭୁକ୍ତ। ଏହା ପାଟିକୁ ସ୍ବାଦିଷ୍ଟ ହେଲେ ବି ଶରୀର ପାଇଁ ଭଲ ନୁହେଁ। ତୃତୀୟ ହେଉଛି ତାମସିକ। ପିଆଜ, ରସୁଣ, ଛତୁ, ମାଛ ମାଂସ, ଅଣ୍ଡା ଆଦି ତମୋଗୁଣ ବଢାଇଥାଏ। ଏହି ଖାଦ୍ୟ ଉତ୍ତେଜନା, ଅହଂକାର, କ୍ରୋଧ, ଆଳସ୍ୟ, ଅଜ୍ଞାନତା, ବିଳାସୀ ଆଦି ଗୁଣ ବଢାଇଥାଏ। ତେଣୁ ଏହି ଖାଦ୍ୟ ନା ଶରୀର ପାଇଁ ନା ମନ ପାଇଁ ଭଲ।
    ଶ୍ରୀମଦ ଭଗବଦ ଗୀତାର ୧୭ମ ଅଧ୍ୟାୟରେ ଲେଖାଯାଇଛି ଯେ, ବ୍ୟକ୍ତି ଯେମିତି ଭୋଜନ କରନ୍ତି ସେହିଭଳି ତାଙ୍କ ପ୍ରକୃତି ହୋଇଥାଏ। ଯେଉଁ ଭୋଜନ କଲେ ପାଟିରୁ ଦୁର୍ଗନ୍ଧ ବାହାରେ ତାକୁ ତାମସିକ ବୋଲି କୁହାଯାଏ। ପିଆଜ ରସୁଣ ତିବ୍ର ଗନ୍ଧଯୁକ୍ତ ତାମସିକ ଖାଦ୍ୟ। ଉତ୍ତେଜନା, ଅଜ୍ଞାନତା ବୃଦ୍ଧି କରୁଥିବା ଏହି ଖାଦ୍ୟକୁ ଖାଇଲେ ଆଧ୍ୟାତ୍ମିକ ମାର୍ଗରେ ଚାଲିବାରେ ବାଧା ଉତ୍ପନ୍ନ ହୋଇଥାଏ ଓ ବ୍ୟକ୍ତିଙ୍କ ଚେତନା ପ୍ରଭାବିତ ହୁଏ। ତେଣୁ ସାଧୁସନ୍ଥ ଏଭଳି ଖାଦ୍ୟଠୁ ଦୂରେଇ ରୁହନ୍ତି। ବୈଷ୍ଣବ ଓ ଜୈନ ଧର୍ମର ପ୍ରାୟ ଲୋକ ପିଆଜ ରସୁଣ ବ୍ୟବହାର କରନ୍ତି ନାହିଁ। କାରଣ ସେମାନେ ପ୍ରାୟତଃ ବ୍ରତରେ ରୁହନ୍ତି ଓ ନିୟମର ପାଳନ କରନ୍ତି।
    ପୌରାଣିକ କଥାବସ୍ତୁରେ ପିଆଜ: କୁହାଯାଏ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରି ଯେବେ ସମୁଦ୍ର ମନ୍ଥରୁ ବାହାରିଥିବା ଅମୃତକୁ ଦେବତାଙ୍କ ମଧ୍ୟରେ ବାଣ୍ଟୁଥିଲେ ସେତେବେଳେ ରାହୁ ନାମକ ଦୈତ୍ୟ ଦେବତା ବେଶ ଧାରଣ କରି ଲୁଚି ଲୁଚି ଆସି ଦେବତାଙ୍କ ଧାଡିରେ ବସି ଯାଇଥିଲେ। ଆଉ ଭଗବାନ ବିଷ୍ଣୁ ରାହୁ ପାଟିରେ ବି ଅମୃତ ଢାଳି ଦେଇଥିଲେ। ଏହି ସମୟରେ ଚନ୍ଦ୍ର ଦେବତା ଜାଣି ନେଇଥିଲେ ଯେ ଏ ଦେବତା ନୁହେଁ ଦୈତ୍ୟ ରାହୁ ବୋଲି। ଭଗବାନ ବିଷ୍ଣୁ ତତ୍‌କ୍ଷଣାତ ନିଜ ଅସଲ ରୂପକୁ ଆସି ସୁଦର୍ଶନ ଚକ୍ର ପେଶଣ କରି ରାହୁର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ। ଫଳରେ ଅମୃତ ରାହୁର ତଣ୍ଟିରୁ ତଳକୁ ଖସି ପାରି ନ ଥିଲା। ରାହୁର କଟାମୁଣ୍ଡରୁ ଯେଉଁ ରକ୍ତ ଭୂମିରେ ପଡ଼ିଲା ସେଇଥିରୁ ପିଆଜ ରସୁଣଗଛ ସୃଷ୍ଟି ହୋଇଥିବା କୁହାଯାଏ। ଯେହେତୁ ଏଥିରେ ଅମୃତ ଓ ରକ୍ତ ଉଭୟ ମିଶିଥିଲା ସେଥିପାଇଁ ଏହି ଗଛରେ ଅନେକ ଔଷଧୀୟ ଗୁଣ ମହଜୁଦ ଅଛି। ହେଲେ ଏଥିରେ ଦାନବ ରକ୍ତ ବି ଥିବାରୁ ଏହା ତୀବ୍ର ଗନ୍ଧଯୁକ୍ତ ଓ ଅପବିତ୍ର ବୋଲି ମନେ କରାଯାଏ। ଆଉ ଏହା ତାମସିକ ଗୁଣ ବି ବୃଦ୍ଧି କରାଏ ।
    ଆୟୁର୍ବେଦ ଅନୁସାରେ ପିଆଜ ରସୁଣ ଶରୀର ପାଇଁ ଉପକାରୀ। ତେବେ କିଛି ଗବେଷଣା କହେ ରସୁଣ ଏକ ଭଲ ଆଣ୍ଟିବାଇଓଟିକ ହୋଇଥିଲେ ହେଁ ବେଳେବେଳେ ଏହା ଖରାପ ଜର୍ମ ସହ ଭଲ ବାକ୍ଟେରିଆକୁ ବି ନାଶ କରିଦିଏ। ସେହିଭଳି ସଲଫର୍‌ରେ ପରିପୂର୍ଣ୍ଣ ପିଆଜ ରସୁଣ ଶରୀରକୁ ଗରମ କରାଏ। ଏହା ପିତ୍ତ ଅଂଶକୁ ବି ବଢାଏ। ତେଣୁ ଯେଉଁମାନେ ଅଲସର୍‌, କୋଲାଇଟିସ୍‌, ହାର୍ଟବର୍ନ, ଇଣ୍ଟେଷ୍ଟିନାଲ ଇନଫ୍ଲେମେସନ୍‌ ଆଦିରେ ଆକ୍ରାନ୍ତ ସେମାନେ ପିଆଜ ରସୁଣ ଖାଇବା ଭଲ ନୁହେ। କାରଣ ଏହାକୁ ସେବନ କଲେ ଏସବୁ ରୋଗ ବଢିବାର ଆଶଙ୍କା ଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    97 %
    1.5kmh
    100 %
    Mon
    29 °
    Tue
    30 °
    Wed
    30 °
    Thu
    27 °
    Fri
    28 °

    ସମ୍ବନ୍ଧିତ