Tuesday, September 29, 2026
30.1 C
Odisha

    ଆଜି ବିଶ୍ବ ହୃତ୍‌ପିଣ୍ଡ ଦିବସ

    ଆଗକୁ ପଢନ୍ତୁ

    ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ସର୍ବତ୍ର ‘ବିଶ୍ବ ହୃତ୍ପିଣ୍ଡ ଦିବସ’ ପାଳନ କରାଯାଇ ଆସୁଛି। ବିଭିନ୍ନ ପ୍ରକାର ହୃତ୍ପିଣ୍ଡ ଜନିତ ରୋଗ ବାବଦରେ ସଚେତନତା ସୃଷ୍ଟି ସହ ହୃଦ୍ଘାତ ପରି ପ୍ରାଣାନ୍ତକ ପରିସ୍ଥିତିକୁ ଦୂରେଇ ଦେବା ଲାଗି ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ପ୍ରଚାର ଓ ପ୍ରସାର ଏଭଳି ଦିବସ ପାଳନର ଲକ୍ଷ୍ୟ ରହିଛି।

    ସୂଚନାଯୋଗ୍ୟ, ୨୦୦୦ ମସିହା ପୂର୍ବରୁ ବିଶ୍ବବ୍ୟାପୀ ବାର୍ଷିକ ୧୭ ନିୟୁତ ଲୋକଙ୍କର ହୃତ୍ପିଣ୍ଡଜନିତ ରୋଗରେ ମୃତ୍ୟୁ ଘଟୁଥିଲା। ସେମାନଙ୍କ ଭିତରୁ ସର୍ବାଧିକ ଥିଲେ ହୃଦ୍ଘାତ ରୋଗୀ। ଯଦିଓ ଏ ପ୍ରକାର ରୋଗ ସାଧାରଣତଃ ଆଳସ୍ୟ ଜୀବନଶୈଳୀ ବିତାଉଥିବା ବିକଶିତ ଦେଶମାନଙ୍କରେ ବେଶୀ ଦେଖାଯାଉଥିବ ବୋଲି ଏକ ଧାରଣା ରହି ଆସିଥିଲା, ତେବେ ବାସ୍ତବରେ ମୃତକଙ୍କ ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତି ନିମ୍ନ ଓ ମଧ୍ୟମ ଆୟବର୍ଗସଂପନ୍ନ ବିକାଶଶୀଳ ଦେଶମାନଙ୍କର। ଦୁର୍ବଳ ଖାଦ୍ୟଶୈଳୀ, ପରିଶ୍ରମ କାତରତା ଓ ଧୂମପାନ ଆଦି କାରଣ ଏଥିପାଇଁ ମୁଖ୍ୟତଃ ଦାୟୀ। ଏଣେ ହୃତ୍ପିଣ୍ଡଜନିତ ରୋଗର ଚିକିତ୍ସା ପାଇଁ ବ୍ୟୟବହୁଳ ସ୍ବାସ୍ଥ୍ୟସେବା ପ୍ରଣାଳୀ ଜଡ଼ିତ ରହୁଥିବାରୁ ଦେଶ ଉପରେ ଏହି ରୋଗର ଅର୍ଥନୈତିକ ଚାପ ମଧ୍ୟ ପଡ଼ିଥାଏ।

    ଏ ଦିଗରେ ଜନସଚେତନତା ସୃଷ୍ଟି ପାଇଁ ୧୯୯୯ ମସିହାରେ ବିଶ୍ବ ହୃତ୍ପିଣ୍ଡ ସଂଘ (ଡବଲ୍ୟୁଏଚ୍ଏଫ୍)ର ତତ୍କାଳୀନ ଅଧ୍ୟକ୍ଷ ଆଣ୍ଟୋନି ବେଜାସ ଡି ଲୁନାଙ୍କ ପ୍ରଚେଷ୍ଟାରେ ଏପରି ଏକ ଦିବସ ପାଳନର ପରିକଳ୍ପନା କରାଯାଇଥିଲା। ଶେଷରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବଲ୍ୟୁଏଚ୍ଓ) ସହ ମିଶି ଡବଲ୍ୟୁଏଚ୍ଏଫ୍ ୨୦୦୦ ମସିହା ସେପ୍ଟେମ୍ବର ୨୪ ତାରିଖରେ ପ୍ରଥମ କରି ବିଶ୍ବ ହୃତ୍ପିଣ୍ଡ ଦିବସ ପାଳନ କରାଯାଇଥିଲା। ଉକ୍ତ ଦିବସଟି ସେହି ବର୍ଷ ସେପ୍ଟେମ୍ବର ମାସର ଶେଷ ରବିବାରରେ ପଡ଼ିଥିବାରୁ ୨୦୧୧ ମସିହାଯାଏ ପ୍ରତିବର୍ଷ ସେପ୍ଟେମ୍ବର ଶେଷ ରବିବାରକୁ ହୃତ୍ପିଣ୍ଡ ଦିବସ ଭାବେ ଗ୍ରହଣ କରାଯାଇ ଆସୁଥିଲା। ତେବେ ୨୦୧୨ ମସିହା ସେପ୍ଟେମ୍ବର ୨୯ରେ ୯୦ଟି ଦେଶ ଏକତ୍ର ହୋଇ ୨୦୨୫ ମସିହା ସୁଦ୍ଧା ଏହି ମୃତ୍ୟୁହାର ୨୫ ପ୍ରତିଶତ କମାଇବା ପାଇଁ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଓ ଜନସଚେତନତା ଉପରେ ଗୁରୁତ୍ବାରୋପ କରିଥିଲେ। ତେଣୁ ୨୦୧୨ ମସିହାରୁ ସେପ୍ଟେମ୍ବର ୨୯ ତାରିଖ ହିଁ ସେହି ଦିବସ ରୂପେ ପାଳିତ ହୋଇ ଆସୁଛି। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି- ‘ନିଜ ହୃତ୍ପିଣ୍ଡ ସ୍ବାସ୍ଥ୍ୟର ଯତ୍ନ ପାଇଁ ବ୍ୟକ୍ତିଗତ ସ୍ତରରେ ସମସ୍ତଙ୍କୁ ପ୍ରେରଣା ଦିଅ’।

    ହୃଦ୍ରୋଗ ପ୍ରତିରୋଧ ନିମନ୍ତେ ସୁଷମ ଆହାର ଓ ସୁସ୍ଥ ଜୀବନଧାରାଠାରୁ ବଳି ଭଲ ବିକଳ୍ପ ଆଉ କିଛି ନାହିଁ। ଅବଶ୍ୟ ଏଥିପାଇଁ ଜୀବନଧାରାରେ ସାମାନ୍ୟ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଏହି ପରିବର୍ତ୍ତନ ହିଁ ସୁସ୍ଥ ଜୀବନଯାପନ ଓ ଆୟୁ ବୃଦ୍ଧି କରାଇବାରେ ସହାୟକ ହୁଏ। ହୃଦ୍ରୋଗ ବିଶେଷଜ୍ଞ ଡା. ବ୍ୟୋମକେଶ ଦୀକ୍ଷିତ କହନ୍ତି, ଦୈନନ୍ଦିନ ଚଳଣିରେ ନିମ୍ନୋକ୍ତ ୭ଟି ପରିବର୍ତ୍ତନ ସୁସ୍ଥ ହୃତ୍ପିଣ୍ଡ ଦିଗରେ ସହାୟକ ହେବ।

    ଦୈନିକ ଦାନ୍ତ ଘଷନ୍ତୁ- ଦାନ୍ତଘଷା ସହ ହୃତ୍ପିଣ୍ଡର ସଂପର୍କ ଥିବା ନେଇ ଅନେକ ହୁଏତ ଅବଗତ ନଥାନ୍ତି। କିନ୍ତୁ ଦାନ୍ତ ସଂକ୍ରମଣ ଏବଂ ଫୁଲା, ହୃତ୍ପିଣ୍ଡ ଧମନୀରେ ଚର୍ବିଳ ପଦାର୍ଥ ଜମିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସେଥିପାଇଁ ଦୈନିକ ଦାନ୍ତ ଘଷିଲେ ହୃତ୍ପିଣ୍ଡ ସୁସ୍ଥ ରହିଥାଏ।

    ଧୂମପାନ ବର୍ଜନ କରନ୍ତୁ- ସିଗାରେଟ୍, ଇ-ସିଗାରେଟ୍ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଧୂମପାନ ବର୍ଜନ କରନ୍ତୁ। ଧୂମପାନ କେବଳ ହୃଦ୍ରୋଗ ନୁହେଁ, ପକ୍ଷାଘାତ, ଫୁସ୍ଫୁସ୍ ଓ କର୍କଟ ରୋଗର କାରଣ ହୋଇଥାଏ।

    ଅପରାହ୍ଣରେ ଫଳାହାର କରନ୍ତୁ- ଅପରାହ୍ଣରେ ମୁଠାଏ ବାଦାମ ଅଥବା ଅଖରୋଟ ଖାଆନ୍ତୁ। ନତୁବା ତନ୍ତୁଭରା ଫଳ ଯେମିତି ସେଓ, ଅଙ୍ଗୁର, ଷ୍ଟ୍ରବେରି ଏବଂ ଲେମ୍ବୁ ଆଦି ଖାଆନ୍ତୁ। ଏହା କୋଲେଷ୍ଟରଲ୍ ମାତ୍ରା ହ୍ରାସ କରିଥାଏ, ଯାହା ହୃତ୍ପିଣ୍ଡ ଲାଗି ଉପକାରୀ।

    ଅଧିକ ସମୟ ଶୁଅନ୍ତୁ- ପ୍ରାପ୍ତ ବୟସ୍କମାନେ ଦୈନିକ ୭ରୁ ୯ଘଣ୍ଟା ଶୋଇବା ଉଚିତ। ଯଥେଷ୍ଟ ନିଦ ନ ହେଲେ ଦିନରେ କ୍ଳାନ୍ତ ଲାଗେ ଏବଂ ଅସ୍ବାସ୍ଥ୍ୟକର ଭୋଜନ ଖାଇବାକୁ ଇଚ୍ଛାହୁଏ। ଫଳରେ ଓଜନ ବୃଦ୍ଧିହୁଏ।

    ଉତ୍କଣ୍ଠା ହ୍ରାସ କରନ୍ତୁ- ଚିନ୍ତା ବା ଉଦ୍ବିଗ୍ନତା ଉଚ୍ଚ ରକ୍ତଚାପ କରାଇପାରେ। ଉଚ୍ଚରକ୍ତ ଚାପ ହୃଦ୍ରୋଗ ସହିତ ଜଡ଼ିତ। ତେଣୁ, ଯଥା ସମ୍ଭବ ଚିନ୍ତାମୁକ୍ତ ରୁହନ୍ତୁ। ବ୍ୟାୟାମ, ଯୋଗ, ଧ୍ୟାନ ଓ ବନ୍ଧୁବାନ୍ଧବଙ୍କ ସହିତ ସକାରାତ୍ମକ ଭାବବିନିମୟ ମଧ୍ୟ ଉଦ୍ବିଗ୍ନତା ହ୍ରାସ କରାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ