Tuesday, March 24, 2026
21.9 C
Odisha

    ଆସୁଛନ୍ତି କେନ୍ଦ୍ରୀୟ ଟିମ୍, ତଦାରଖ କରିବେ ଓଡ଼ିଶା କୋଷ୍ଟ କେନାଲ ପୁନଃରୁଦ୍ଧାର ବିକାଶ କାର୍ଯ୍ୟ

    ଆଗକୁ ପଢନ୍ତୁ

    ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ଶେଷ ମୁକ ସାକ୍ଷୀ ଓଡ଼ିଶା କୋଷ୍ଟ କେନାଲର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଛନ୍ତି ବାଲେଶ୍ଵରସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ତାଙ୍କ ଡ଼ାକରାରେ ଆଜି ଐତିହାସିକ ଇଷ୍ଟ କୋଷ୍ଟ କେନାଲର ପୁନଃରୁଦ୍ଧାର ବିକାଶ କାର୍ଯ୍ୟର ତଦାରଖ ପାଇଁ ବାଲେଶ୍ଵର ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ଟିମ। ଏହି ସମୟରେ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ଓ ଜଳ ନିଷ୍କାସନ ବିଭାଗର ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ଏହି ଟିମ କୋଷ୍ଟ କେନାଲର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଂଶ ଗୋପିନାଥପୁର (ନାଇକୁଲି),ସୋଲପଟା,ମାନ୍ଧାତା, ଜାମକୁଣ୍ଡା ଲକ,ବାଟ ଗ୍ରାମ,ଭୋଗରାଇ ଲକ ଆଦି ସ୍ଥାନ ପରିଦର୍ଶନ କରିବେ। ସନ୍ଧ୍ୟାରେ ବାଲେଶ୍ଵର ସର୍କିଟ ହାଉସରେ ସାମ୍ବାଦିକମାନଙ୍କୁ କୋଷ୍ଟ କେନାଲର ବିକାଶର ନକ୍ସା ସମ୍ପର୍କରେ ସୂଚନା ଦେବେ।ଏଥିସହ ଜିଲ୍ଲାପାଳଙ୍କ ସହ ମଧ୍ୟ ଏବିଷୟରେ ଆଲୋଚନା ହେବ।

    ତେବେ କେନ୍ଦ୍ରୀୟ ଟିମର ଏହି ଗସ୍ତ ବାଲେଶ୍ଵର ଜିଲ୍ଲାବାସୀଙ୍କ ମନରେ କୋଷ୍ଟ କେନାଲର ପୁନଃରୁଦ୍ଧାର ପାଇଁ ପୁଣି ସ୍ବପ୍ନ ଓ ସମ୍ଭାବନାର ଚିତ୍ର ଆଙ୍କିଛି। ସରକାରୀ ଅବହେଳା ଯୋଗୁଁ ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ମୁକସାକ୍ଷୀ କୋଷ୍ଟ କେନାଲ ଏବେ ମୃତ ହୋଇ ଯାଇଛି କହିଲେ ଚଳେ। ଜାତୀୟ ଐତିହ୍ୟ ମାନ୍ୟତା ପାଇବାକୁ ବଳିଷ୍ଠ ଯୁକ୍ତି ରଖୁଥିବା ଓଡ଼ିଶା କୋଷ୍ଟ କେନାଲ ବ୍ରିଟିଶ ଶାସନ ଅମଳରେ ଅର୍ଥାତ୍ ୧୮୮୦ ମସିହାରେ ଖନନ ଆରମ୍ଭ ହୋଇ ପାଞ୍ଚବର୍ଷ ମଧ୍ୟରେ ଶେଷ ହୋଇଥିଲା।କେନାଲଟି ପଶ୍ଚିମବଙ୍ଗର ଗୁଆଖାଳିସ୍ଥ ହୁଗୁଳି ନଦୀର ଶାଖା ନଦୀ ନାରାୟଣ ନଦୀରୁ ବାହାରି ଓଡ଼ିଶାର ଭଦ୍ରକ ଜିଲ୍ଲାର ମନ୍ତେଇ ନଦୀର ଚାରବାଟିଆ ପର୍ଯ୍ୟନ୍ତ ପ୍ରବାହିତ ହୋଇଛି। କେନାଲ ଓଡ଼ିଶାକୁ ଭୋଗରାଇ ବ୍ଲକ ଅନଳିଆ ପଞ୍ଚାୟତର ନସରାବାଦ ଗାଁ ନିକଟରେ ପ୍ରବେଶ କରିଛି ବୋଲି କୁହାଯାଇଛି। ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଏହା ୧୨୪ କିମି ପ୍ରବାହିତ ହୋଇଥିବା ବେଳେ ପଶ୍ଚିମବଙ୍ଗ ରେ ୯୦ କିମି ପ୍ରବାହିତ ହୋଇଛି। ତେବେ ଓଡିଶାରେ ଏହାକୁ ୪ ଟା ଚକଲାରେ ବିଭକ୍ତ କରାଯାଇଛି। ସୀମାନ୍ତ ନସରାବାଦ ରୁ ଭୋଗରାଇ ଲକ୍ ଯାଏଁ ୧୬ କିମି ଅଞ୍ଚଳକୁ ଚକଲା-୩,ଜାମକୁଣ୍ଡା ଠାରୁ ପଞ୍ଚୁପଡା ଯାଏଁ ୨୭.୨୦ କିମି ଅଞ୍ଚଳକୁ ଚକଲା-୪(ଏ), ସୁଲପଟା ଠାରୁ ୧୦.୪୦ କିମି ଅଞ୍ଚଳକୁ ଚକଲା-୪(ବି) ଓ ଚାରଗୋଛିଆ ଠାରୁ ଅପର୍ତ୍ତିପୁର ଚାରବାଟିଆ ୭୦.୧୧ କିମି ଅଞ୍ଚଳକୁ ଚକଲା-୫ ଭାବେ ନାମିତ କରାଯାଇଛି। ଏକଦା ଏହି କେନାଲର ଉଭୟ ପାର୍ଶ୍ବ ବନ୍ଧ ଉପରେ ସ୍ଥାନୀୟ ଅଞ୍ଚଳବାସୀ ଗମନାଗମନ ପାଇଁ ନିର୍ଭର କରୁଥିଲେ।ନିୟମିତ ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ଅଭାବରୁ କେନାଲ ଧିରେ ଧିରେ ଦଳ ଭର୍ତ୍ତି ହୋଇ ପୋତି ଯାଇଛି। ଏକଦା ଏହି କେନାଲ ର ୪ ଟି ରେଞ୍ଜ ରେ ଯାତ୍ରୀ ଓ ମାଲ ପରିବହନ ପାଇଁ ଟୋଲ ଆଦାୟ ସକାଶେ ୧୯୫୪ ମସିହାରେ ଜଳସେଚନ ବିଭାଗ ତରଫରୁ ଟୋଲଗେଟ ସ୍ଥାପନ ହୋଇଥିଲା। ଚକଲା-୩ କୁ ଛାଡିଦେଲେ ଅନ୍ୟ ୩ ଟି ଚକଲା ୨୦୦୫ ମସିହା ବେଳକୁ ସମ୍ପୁର୍ଣ୍ଣ ବନ୍ଦ ହୋଇଗଲା।୨୦୧୦ ମସିହା ସୁଦ୍ଧା ଚକଲା-୩ ରେ କିନ୍ତୁ ମାଲ ଓ ଯାତ୍ରୀ ପରିବହନ ଚାଲିଥିଲା।ସେଇଥିପାଇଁ ଏହାକୁ ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ଶେଷ ସାକ୍ଷୀ ବୋଲି କୁହାଯାଏ।ଏହି କେନାଲ ଉପରେ ଗୋଟିଏ ସମୟରେ ୩୦୦ ରୁ ଉର୍ଦ୍ଧ ନାବିକ ନିଜ ଜୀବନ ଜୀବିକା ପାଇଁ ନିର୍ଭର କରୁଥିଲେ।ବର୍ତମାନ ଏହି କେନାଲ ଟି କହିବାକୁ ଗଲେ ମୃତ ପ୍ରାୟ। ବିଭିନ୍ନ ସମୟରେ ଏହାର କିଛି କିଛି ଭାଗରେ ପୁନରୁଦ୍ଧାର ପାଇଁ ଅର୍ଥ ଖର୍ଚ୍ଚ ହୋଇଛି ସତ ହେଲା ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ କେନାଲର ଅବସ୍ଥା ଯଥା ପୂର୍ବଂ ତଥା ପରଂ। ସବୁଠାରୁ ବଡ଼ କଥା ହେଉଛି କୋଷ୍ଟ କେନାଲ ର ବିଭିନ୍ନ ଅଂଶ ଏବେ ଜବରଦଖଲକାରୀଙ୍କ କବଜାରେ। ଏସବୁ ଦୃଷ୍ଟିରୁ ଏହି କେନାଲରେ ପୁନରୁଦ୍ଧାର ଜରୁରୀ ହୋଇ ପଡ଼ିଛି।କେନାଲର ପୁନରୁଦ୍ଧାର ହେଲେ ଜଳପଥରେ ଓଡ଼ିଶାରୁ କୋଲକାତା ଯାଏ ନୌବାଣିଜ୍ୟ ପରମ୍ପରା ପୁଣି ପୁନଃରୁଦ୍ଧାର ହୋଇପାରିବ।ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ କେନାଲର ଉତ୍ତର ପାର୍ଶ୍ୱରେ ଥିବା ମୋଟ ୪.୩୬୭ ହେକ୍ଟର ଜମିକୁ ଜଳସେଚିତ ମଧ୍ୟ କରାଯାଇ ପାରିବ।୨୪ ହଜାର ହେକ୍ଟର ଜମିର ଉଦବୃତ୍ତ ବର୍ଷା ଜଳ ସହଜରେ ନଦୀ ଓ ସମୁଦ୍ର କୁ ନିଷ୍କାସିତ ହୋଇପାରିବ।

    ସୁବର୍ଣ୍ଣରେଖା,ଜଳକା ଓ ବୁଢ଼ାବଳଙ୍ଗ ନଦୀ ବନ୍ୟା ନିୟନ୍ତ୍ରଣରେ ମଧ୍ୟ ଏହା ବିଶେଷ ଭାବେ ସହାୟ ହେବ। ପ୍ରାକୃତିକ ଦୈବ ଦୁର୍ବିପାକ ସମୟରେ ଗମନାଗମନ ଦୃଷ୍ଟିରୁ ଅବହେଳିତ ଉତ୍ତର ବାଲେଶ୍ଵର ଅଞ୍ଚଳରେ ଖୁବ କମ ସମୟରେ ରିଲିଫ ସହାୟତା ପହଞ୍ଚାଇବା ସମ୍ଭବ ହୋଇ ପାରିବ।ଧାନ,ପାନ ଓ ମୀନ ର ଅଞ୍ଚଳ କୁହାଯାଉ ଥିବା ବାଲେଶ୍ଵର ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଏହା ସହାୟ ହୋଇ ପାରିବ।ପୁଣି ଏତଦ୍ ଅଞ୍ଚଳରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀ ଗୁଡିକର ମଧ୍ୟ ଗୁରୁତ୍ୱ ବଢିବ। ସଡ଼କ ପଥରେ ଅତ୍ୟଧିକ ଗାଡ଼ି ଚଳାଚଳ ଯୋଗୁଁ ବିଗୁଡୁଥିବା ପରିବେଶ ସନ୍ତୁଳନକୁ ରକ୍ଷା କରାଯାଇ ପାରିବ।ଏତେ ସବୁ ସ୍ବପ୍ନ ଓ ସମ୍ଭାବନା ଥିବା ଓଡ଼ିଶା କୋଷ୍ଟ କେନାଲର ର ପୁନଃରୁଦ୍ଧାର ପାଇଁ ବିଭିନ୍ନ ସମୟରେ ସରକାରୀ ଭାବେ ଘୋଷଣା କରାଯାଇ ଯୋଜନା ହୋଇଛି।ହେଲେ କେତେବେଳେ ଦୁର୍ନୀତି ର ପେଡ଼ି ଭିତରେ ତ ଆଉ କେତେବେଳେ କାଗଜ କଲମରେ ଏହା ସୀମିତ ହୋଇ ରହିଯାଇଛି।କେନ୍ଦ୍ର ଓ ରାଜ୍ୟ ର ମିଳିତ ସହଯୋଗରେ ଏହି କେନାଲ ପୁନଃରୁଦ୍ଧାର ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମାନେ ବର୍ଷ ବର୍ଷ ଧରି ମତ ପ୍ରକାଶ କରି ଆସୁଥିଲେ।ଆଉ ଏବେ ଡବଲ ଇଞ୍ଜିନ ସରକାର ଥିବାବେଳେ ଶାସକ ଦଳରୁ ନିର୍ବାଚିତ ସାଂସଦ ଙ୍କ ଡାକରା ରେ କେନ୍ଦ୍ରୀୟ ଟିମ ଆସିବା କୋଷ୍ଟ କେନାଲର ଭାଗ୍ୟ ଚହଟିବ ଏ ଆଶା ଉଦ୍ରେକ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    64 %
    1.9kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ