Friday, September 11, 2026
23.7 C
Odisha

    କାହିଁକି ପ୍ରଭୁଙ୍କର ଗଣପତି ବେଶ ?

    ଆଗକୁ ପଢନ୍ତୁ

     

    ମହାରାଷ୍ଟ୍ରରେ ଗଣପତି ଭଟ୍ଟ ତାଙ୍କ ବାପାଙ୍କଠୁ ଥରେ ଶୁଣି ଥିଲେ ପୁରୀରେ ବ୍ରହ୍ମ ଅଛନ୍ତି । ତାଙ୍କର ବହୁତ ଇଚ୍ଛା ଥିଲା କି ସେ ବ୍ରହ୍ମ ଦର୍ଶନ କରିବେ । ଭଟ୍ଟଙ୍କର ଆରାଧ୍ୟ ଦେବତା ଥିଲେ ଗଣପତି । ସେ ବୁଝନ୍ତି ଯେ ବ୍ରହ୍ମ ମାନେ ଗଣପତି । ତେଣୁ ତାଙ୍କର ଏକା ଜିଦ୍ଦ, ସେ ପୁରୀ ଯିବେ ଆଉ ବ୍ରହ୍ମ ଦର୍ଶନ କରିବେ । ମହାରାଷ୍ଟ୍ରରୁ ପୁରୀ ଥିଲା ଅନେକ ଦୂର । ଏତେ ଦୂର ଯିବା କିପରି ସମ୍ଭବ ହେବ ? ମାତ୍ର ଭଟ୍ଟଙ୍କ ଇଚ୍ଛାଶକ୍ତି ଆଗରେ ସବୁ ବାଧା ଛୋଟ ଥିଲା । ମନରେ ଦମ୍ଭ ବାନ୍ଧି ସେ ଗାଁ ରୁ ବାହାରିଲେ ପୁରୀ ଅଭିମୁଖେ । ସମସ୍ତଙ୍କଠୁ ମେଲାଣି ଓ ଆଶୀର୍ବାଦ ନେଇ ସେ ଚାଲିଲେ ଶ୍ରୀକ୍ଷେତ୍ର । ପ୍ରଥମେ ଚନ୍ଦନ ପୁରରେ ପହଞ୍ଚି ସେଇଠୁ ନୀଳଚକ୍ରକୁ ପ୍ରଣାମ କଲେ । ଖୁବ ଶୀଘ୍ର ଏବେ ସେ ନିଜ ଆରାଧ୍ୟ ବ୍ରହ୍ମଙ୍କୁ ଦର୍ଶନ କରିବେ ବୋଲି ମନରେ ଚିନ୍ତା କରି ବହୁତ ଖୁସି ହୋଇଗଲେ । ନଖାଇ ,ନପଇ ସିଧା ବଡ ଦେଉଳକୁ ପଶିଗଲେ । କିନ୍ତୁ ଭିତରକୁ ଯାଇ ଜଗନ୍ନାଥଙ୍କୁ ଦେଖି ତାଙ୍କ ମନ ମରିଗଲା । ନିଜକୁ ସେ ଧୀକ୍କାର କଲେ କି ମୁଁ ଏତେ ବାଟରୁ ଯୋଉ ଦିଅଁ ଗଣପତିଙ୍କୁ ଦେଖିବାକୁ ଆସିଥିଲି ,ସେ ତ ତୁଚ୍ଛ କାଠଗଡା । ସେ ମନ ଦୁଃଖରେ ବଡ ଦେଉଳରୁ ଲେଉଟି ଆସିଲେ ପହଂଚିଲେ ଚନ୍ଦନ ପୁରରେ ।

    ବହୁତ ବାଟ ଚାଲି ଥିବାରୁ ସେ ଥକି ଯାଇ ଏକ ଗଛ ମୂଳରେ ବିଶ୍ରାମ ନେଲେ । ମନେମନେ ଚିନ୍ତା କଲେ, ଆଉ ଏଠି ରହିବିନି । ଇଏ ମୋ ବ୍ରହ୍ମ ଙ୍କ କ୍ଷେତ୍ର ନୁହେଁ । ଏଠି କାଠଗଡା କୁ ଲୋକେ ପୂଜା କରୁଛନ୍ତି ! ଏଠି କାହାନ୍ତି ମୋ ପାର୍ବତୀ ନନ୍ଦନ ? କାହାନ୍ତି ମୋ ବ୍ରହ୍ମ ? କାହାନ୍ତି ମୋ ଗଜବଦନ ? ଏତେ କଥା ଭାବି, ମନ ବିରଷ କରି ସେ ଶ୍ରୀକ୍ଷେତ୍ର ତ୍ୟାଗ କରିବେ ବୋଲି ସ୍ଥିର କଲେ । ହଠାତ ତାଙ୍କୁ କେହିଜଣେ ଅତି ସୁନ୍ଦର ସ୍ଵରରେ ଶ୍ଳୋକ ଉଚ୍ଚାରଣ କରୁଥିବାର ଶୁଭିଲା । ସେ ଚାରିଆଡକୁ ଚାହିଁ ଦେଖିଲେ ଏକ ଛୋଟ ବାଳକ । ସେ ଶ୍ଲୋକ ଟି ସେହି ବାଳକଠାରୁ ଶୁଣି ଆଶ୍ଚର୍ଯ୍ୟ ହୋଇ ଗଲେ ଗଣପତି ଭଟ୍ଟ । ଏହି ସମୟରେ ସେଇ ବାଳକଟି ଗଣପତି ଭଟ୍ଟଙ୍କ ମନର ଭାବାନ୍ତରକୁ ବୁଝିପାରିଲେ ଏବଂ ସ୍ମିତ ହାସ୍ୟ ଦେଇ କହିଲେ, “ବ୍ରହ୍ମଙ୍କୁ ଦର୍ଶନ କରିବାକୁ ଆପଣ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ଆଉ ଦର୍ଶନ ନକରି ଫେରି ଯିବେ ?” ବିରକ୍ତି ହୋଇ ଭଟ୍ଟ କହିଲେ, “ମୁଁ ମୋ ଆରାଧ୍ୟ ପ୍ରଭୁ ଗଣପତିଙ୍କୁ ହିଁ ବ୍ରହ୍ମ ବୋଲି ମାନେ । ତାଙ୍କ ଛଡା ମୁଁ ଆଉ କାହାରିକୁ ବ୍ରହ୍ମ ଭାବରେ ଗ୍ରହଣ କରି ପାରିବି ନାହିଁ ।“ ଏହା ଶୁଣି ବାଳକ ଜଣକ ଭଟ୍ଟ ଙ୍କ ହାତରେ ନିର୍ମାଲ୍ୟ ଦେଇ କହିଲେ, “ମୋ ପଛେ ପଛେ ଆସ । ମୁଁ ତୁମକୁ ତୁମ ବ୍ରହ୍ମଙ୍କ ଦର୍ଶନ କରାଇ ଦେବି ।“ ଭଟ୍ଟ ବି ଖୁବ ଜିଦିଆ । ସେ କହିଲେ, “ମୁଁ ତୁମ ସହ ଯିବି । କିନ୍ତୁ ବଡ ଦେଉଳକୁ ନୁହେଁ । ସେଠାକୁ ଯିବାକୁ ମୋର ଆଉ ଆଗ୍ରହ ନାହିଁ ।“ ସେବକ ଜଣକ କହିଲେ “ହେ ଗୋସାଇଁ, ବ୍ରହ୍ମ କଣ ଦେଉଳ ଭିତରେ ରୁହନ୍ତି ? ସିଏ ତ ସର୍ବବ୍ୟାପି ,ସର୍ବମୟ । ତୁମେ ମୋ ସହ ବଡ ଦାଣ୍ଡ ଯାଏଁ ଆସ ।“ ତାପରେ ଭଟ୍ଟ ସେଇ ବାଳକଟି ର ପଛେ ପଛେ ସିଧା ଚାଲିଲେ ସିଂହ ଦୁଆର ଆଡକୁ । ଅରୁଣ ସ୍ତମ୍ଭ ପଛରେ ରହି ଦେଉଳ ଭିତରକୁ ଚାହିଁ ଦେଲେ ଯେତେବେଳେ ଚକିତ ହୋଇଗଲେ ଗଣପତି ଭଟ୍ଟ । କିଛି ସମୟ ପୂର୍ବରୁ ଯେଉଁ କାଠ ମୂର୍ତ୍ତି ଚକାଡୋଳା କୁ ଦେଖି ସେ ମନଦୁଃଖରେ ଫେରି ଯାଇଥିଲେ, ସେଇ ଚକାଡୋଳା ତାଙ୍କୁ ସାକ୍ଷାତ ଗଣପତି ବେଶରେ ଦେଖାଗଲେ । ଆଖିରୁ ଧାର ଧାର ଅଶ୍ରୁ ବହି ଆସିଲା ତାଙ୍କର । ଦୁଇ ହାତ ଟେକି ମୁଣ୍ଡିଆ ମାରିଲେ ଓ ଖୁସିରେ ଭୁଇଁରେ ଲୋଟିଗଲେ । କିଛି ସମୟ ପରେ ଯେତେବେଳେ ସେହି ବାଳକଟିର କଥା ତାଙ୍କର ମନେ ପଡିଗଲା , ତାକୁ ଧନ୍ୟବାଦ ଜଣାଇବା ପାଇଁ ଖୋଜିଲା ବେଳେ ସେ ତାକୁ କେଉଁଠି ବି ଦେଖିବାକୁ ପାଇଲେ ନାହିଁ । ପିଲାଟିକୁ ଖୋଜି ଖୋଜି ଭଟ୍ଟ ଚାରିଆଡେ ଦରାଣ୍ଡି ବୁଲିଲେ । ହେଲେ କିଛି ଲାଭ ମିଳିଲା ନାହିଁ । ବାଳକଟି କେଉଁଆଡେ ଯେପରି ଉଭାନ ହୋଇଗଲା । ହଠାତ ଭଟ୍ଟଙ୍କୁ ଶୂନ୍ୟ ରୁ ଶୁଭିଲା, “ ହେ ଗଣପତି ଭଟ୍ଟ , ବ୍ରହ୍ମର କୌଣସି ସ୍ୱରୂପ ନଥାଏ । ପାତ୍ରରେ ଢାଳିବା ପରେ ପାଣି ନିଜର ଆକାର ପରିବର୍ତ୍ତନ କରିବା ପରି ଭକ୍ତ ମନର ଭାବରେ ନିଜକୁ ରୂପାୟିତ କରନ୍ତି ଏହି ବ୍ରହ୍ମ ସ୍ୱରୂପ । ସେ ବୈଷ୍ଣବଙ୍କ ବିଷ୍ଣୁ ,ଗାଣପତ୍ୟଙ୍କ ଗଣେଷ ,ସୈାର ଉପାସକଙ୍କର ସୂର୍ଯ୍ୟ ,ଦେବୀ ଉପାସକଙ୍କ ପାଇଁ ଦକ୍ଷିଣ କାଳୀ । ଯେଉଁ ମୂର୍ତ୍ତିକୁ ତୁମେ ଦର୍ଶନ କରୁଛ ସେ ହିଁ ସେଇ ବ୍ରହ୍ମମୟ ମୂର୍ତ୍ତି । ତୁମେ ମନରେ ବିଶ୍ବାସ ରଖି ଯେପରି ଚାହିଁବ ସେ ତୁମକୁ ସେହି ରୂପରେ ଦର୍ଶନ ଦେବେ । “ ଏ ବାଣୀ ଶୁଣିବା ପରେ ଗଣପତି ଭଟ୍ଟ ଭକ୍ତି ଭାବରେ ଲୀନ ହୋଇ ପାଗଳ ପ୍ରାୟ କାନ୍ଦି କାନ୍ଦି ମନ୍ଦିର ଭିତରକୁ ଧାଇଁଲେ । ଆଖି ପୁରେଇ ନିଜ ବ୍ରହ୍ମ ସ୍ୱରୂପ ଗଣପତି ବେଶରେ ଜଗନ୍ନାଥଙ୍କୁ ଦେଖିଲେ । ତାଙ୍କ ଆଖିରୁ ଝରି ଯାଉଥିବା ଧାର ଧାର ଲୋତକରେ ନିଜେ ଜଗନ୍ନାଥ ଭିଜିଗଲେ । ସେହିଦିନ ଠାରୁ ପ୍ରଭୁ ଶ୍ରୀଜଗନ୍ନାଥ ନିଜର ଅଗଣିତ ମରାଠୀ ଭକ୍ତ ମାନଙ୍କ ପାଇଁ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ଦିନ ପବିତ୍ର ସ୍ନାନ ମଣ୍ଡପରେ ଗଣପତି ବେଶ ଧାରଣ କରନ୍ତି ଓ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି । ଧନ୍ୟ ସେ କଳା ଦିଅଁ , ଧନ୍ୟ ତାଙ୍କର ଲୀଳା ।

    Written By – ପ୍ରଜ୍ଞା 

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.7 ° C
    23.7 °
    23.7 °
    98 %
    0.9kmh
    98 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ