Wednesday, March 4, 2026
19.5 C
Odisha

    ଜଗନ୍ନାଥଙ୍କ ମହାପ୍ରସାଦରେ ବ୍ୟବହାର ହେଉଛି ବାସ୍ନା ଧାନ, ଦିନକୁ ଦିନ ବୃଦ୍ଧି ପାଉଛି ଏହାର ଚାହିଦା

    ଆଗକୁ ପଢନ୍ତୁ

    କାମାକ୍ଷାନଗର : ସାଧାରଣତଃ ଚାଷୀମାନେ ନିଜେ ଖାଇବା ପାଇଁ ହେଉ କିମ୍ବା ବଜାରରେ ବିକ୍ରି କରିବା ପାଇଁ ହେଉ କଳାଚମ୍ପା, ସ୍ବର୍ଣ୍ଣ, ମହିମା, ହଜାରେ ଅଠର, ଶାରଳା, ପୂଜା, କଲ୍ୟାଣୀ ଭଳି ଧାନ ଚାଷ ବହୁଳ ମାତ୍ରାରେ କରନ୍ତି । କିନ୍ତୁ କଙ୍କଡାହାଡ ବ୍ଲକର ଚାଷୀମାନେ ବାସ୍ନା ଧାନ କରି ଏବେ ଚର୍ଚ୍ଚାରେ ରହିଛନ୍ତି । ଏହି ଧାନ ଜଗନ୍ନାଥଙ୍କ ମହାପ୍ରସାଦ ପାଇଁ ମଧ୍ୟ ବ୍ୟବହାର ହୋଇପାରୁଛି । ତେଣୁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

    ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ବ୍ଲକ ଆଦିବାସି ବହୁଳ ବ୍ଲକ ହୋଇଥିବା ବେଳେ ଏଠାକାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ମୁଖ୍ୟତଃ ଏମାନେ ଧାନ ଚାଷକୁ ଅଧିକ ପରିମାଣର କରିଥାନ୍ତି । ଧାନ ଚାଷ ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ସାର ଠାରୁ ଔଷଧ ବ୍ୟବହାର କରିଥାନ୍ତି । କିନ୍ତୁ ଏବେ ନୂତନ ଧରଣର ଧାନ ଚାଷ କରୁଛନ୍ତି ଚାଷୀ । ଯେଉଁ ଚାଷରେ କୌଣସି ସାର କିମ୍ବା ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଉନାହିଁ । ରାସାୟନିକ ସାର କିମ୍ବା କୀଟନାଶକ ବ୍ୟବହାର କରାନଯାଇ ବିଭିନ୍ନ କିସମର ଧାନରୁ ପ୍ରସ୍ତୁତ ଚାଉଳ ଏଠାରୁ ଅମଳ କରାଯାଉଛି । ବଡ଼ କଥା ହେଉଛି ଏହି ଚାଉଳ ଏବେ ପାଲଟିଛି ଜଗନ୍ନାଥଙ୍କ ମହାପ୍ରସାଦର ଅଂଶ ବିଶେଷ। କଙ୍କଡାହାଡ଼ ବ୍ଲକର ୨୧ ଟି ପଞ୍ଚାୟତରେ ପ୍ରାୟ ୧୧୦୦ ହେକ୍ଟର ଜମିରେ ୧୫୦୦ରୁ ଉର୍ଦ୍ଧ୍ବ ଚାଷୀ ଜୈବିକ ପଦ୍ଧତିରେ ଏହି ବାସ୍ନା ଧାନ ଅମଳ କରୁଛନ୍ତି। ବାଦଶାହା ଭୋଗ, ଗୀତାଞ୍ଜଳି, କେତକୀଜୁହା, କଳାଜିରା, ତିଳକସ୍ତୁରୀ ଓ ଇନ୍ଦ୍ରାଣୀ ଭଳି ବିଭିନ୍ନ କିସମର ବାସ୍ନା ଧାନ ଏଠାରେ ଜୈବିକ ପଦ୍ଧତିରେ ଅମଳ ହେଉଥିବା ବେଳେ ଏହାକୁ ପୁରୀ ଶ୍ରୀମନ୍ଦିରକୁ ପଠାଯାଇ ମହାପ୍ରସାଦରେ ବ୍ୟବହାର କରାଯାଉଛି।

    ଗତବର୍ଷ ପ୍ରାୟ ୭୦୦ ହେକ୍ଟର ଜମିରେ ଏହି ବାସ୍ନା ଧାନ ଲଗାଯାଇ ମହାପ୍ରଭୁଙ୍କ ନିକଟକୁ ପଠାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ଅଧିକ ଜମିରେ ଲଗାଯାଇଛି। ଏକ ଘରୋଇ ସଂସ୍ଥା ଦ୍ୱାରା ଏହି ସବୁ ଧାନକୁ ଚାଷୀମାନଙ୍କ ଠାରୁ ସଂଗ୍ରହ କରାଯାଇ ଶ୍ରୀମନ୍ଦିରଙ୍କୁ ପଠାଯାଉଛି। ଏଠାକାର ଧାନରୁ ପ୍ରସ୍ତୁତ ଚାଉଳ ମହାପ୍ରସାଦରେ ଭୋଗ ହେଉଥିବାରୁ ଏହି ଅଞ୍ଚଳର ଚାଷୀମାନେ ମଧ୍ୟ ବେଶ ଖୁସି ଥିବାବେଳେ ଏହାକୁ ପ୍ରସ୍ତୁତ କରି ସେମାନେ ବେଶ ଲାଭବାନ ହେଉଛନ୍ତି । ଘରେ ରହି ମଧ୍ୟ ଠାକୁରଙ୍କ ସେବା କରିପାରୁଥିବା କହିଛନ୍ତି ଚାଷୀ । କୁଇଣ୍ଟାଲ ପିଛା ୪୧୦୦ ଟଙ୍କାରେ ଏହି ଚାଉଳକୁ ଚାଷୀମାନେ ବିକ୍ରି କରୁଥିବା ବେଳେ ଧୀରେ ଧୀରେ ଏହି ଚାଉଳର ଚାହିଦା ବିଦେଶରେ ମଧ୍ୟ ବୃଦ୍ଧି ପାଉଛି । ଗତବର୍ଷ ଏହି ଚାଉଳ ଦୁବାଇ ଯାଇଥିବା ବେଳେ ଆଗକୁ ଅଧିକ କିଛି ସରକାରୀ ସହାୟତା ମିଳିଲେ ଆହୁରି ଅଧିକ ବାସ୍ନା ଧାନ ଅମଳ କରିବାରେ ଚାଷୀମାନେ ସକ୍ଷମ ହୋଇପାରିବେ।

    ଧିରେ ଧିରେ ଆଜିର ଦିନରେ ଚାଷରୁ ଅଧିକ ଲାଭ ନମିଳିବା କାରଣରୁ ଲୋକମାନେ ମୁହଁ ଫେରାଉଥିବା ବେଳେ ,କଙ୍କଡାହାଡ଼ ବ୍ଲକର ଚାଷୀ ଏକ ନୂତନ ଧାନକୁ ଚାଷ କରି ଲାଭବାନ ହେବା ସହ ଜଗନ୍ନାଥଙ୍କ ସେବା କରିପାରୁଥିବାରୁ ଏହାକୁ ଦେଖି ଅନ୍ୟ ଚାଷୀମାନେ ପୁଣି ଆଗ୍ରହ ଦେଖାଇବେ ବୋଲି ଅନୁମାନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.5 ° C
    19.5 °
    19.5 °
    32 %
    1.2kmh
    5 %
    Wed
    35 °
    Thu
    37 °
    Fri
    38 °
    Sat
    38 °
    Sun
    37 °

    ସମ୍ବନ୍ଧିତ