Tuesday, March 17, 2026
33.3 C
Odisha

    ଟ୍ରାଇସିଟିରେ ସାମିଲ ହେବ ପୁରୀ

    ଆଗକୁ ପଢନ୍ତୁ

    ପୁରୀ : ରାଜ୍ୟ ସରକାରଙ୍କ ଟ୍ରାଇସିଟି ଯୋଜନାରେ ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ ଭୁବନେଶ୍ବର ଓ କଟକ ସହ ଯୋଡ଼ିହେବ ଐତିହ୍ୟ ସହର ପୁରୀ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ତେଣୁ ରାଜଧାନୀ ସମେତ ଦୁଇଟି ପ୍ରାଚୀନ ସହରକୁ ନେଇ ନୂଆ ସହରୀ ଯୋଜନା (ଟାଉନ୍ ପ୍ଲାନିଂ ସ୍କିମ୍‌) ପ୍ରସ୍ତୁତ କରାଯିବ। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ପୁରୀ ସହରର ବିକାଶ ତ୍ବରାନ୍ବିତ ହୋଇପାରିବ। ଅନଧିକାର ଗୃହ ନିର୍ମାଣରେ ଅଙ୍କୁଶ ଲାଗିବ। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ ଅନୁଯାୟୀ ନୂଆ ଗୃହ ନିର୍ମାଣ ବ୍ୟବସ୍ଥା ପ୍ରଣୟନ କରାଯିବ। ସରକାରୀ ଜମି ଜବରଦଖଲ ମୁକ୍ତ କରାଯିବ। ପୌରାଞ୍ଚଳ ଅଧିବାସୀଙ୍କୁ ଉନ୍ନତମାନର ମୌଳିକ ସୁବିଧା ଯୋଗାଇ ଦିଆଯିବ।ସୂଚନା ଅନୁଯାୟୀ ସଚିବ ତଥା କମିସନର ପାହ୍ୟାର ଜଣେ ପ୍ରଶାସନିକ ଅଧିକାରୀ ସହର ପରିଯୋଜନା କାର୍ଯ୍ୟକାରୀ ଦାୟିତ୍ବରେ ରହିବେ। ଏକ ସ୍ବତନ୍ତ୍ର ସଂସ୍ଥା ଗଠନ ପାଇଁ ସରକାର ଚିନ୍ତା କରୁଛନ୍ତି। ପୁରୀରେ ଅନଧିକାର ନିର୍ମାଣ ଛତୁ ଫୁଟିବା ଭଳି ବଢ଼ି ଚାଲିଛି। ଏଥିଯୋଗୁ ଐତିହ୍ୟ ସହର ପୁରୀର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ନୂତନ ଯୋଜନା ଦ୍ବାରା ପୁରୀ ପୌରାଞ୍ଚଳର ସୀମା ବୃଦ୍ଧି ସହ ପୁରୀକୁ ମହାନଗର ନିଗମ ମାନ୍ୟତା ମିଳିବା ସ୍ବପ୍ନ ପୂରଣ ହେବା ସମ୍ଭାବନା ରହିଛି। ମନ୍ତ୍ରୀଙ୍କ ଘୋଷଣାକୁ ବହୁ ସାମାଜିକ, ସାଂସ୍କୃତିକ ଓ ନାଗରିକ ସଂଗଠନ ସ୍ବାଗତ କରିଛନ୍ତି। ପୁରୀ ପୌର ସଂସ୍ଥାର ୱାର୍ଡ ସଂଖ୍ୟା ୩୨ରୁ ୩୮କୁ ବୃଦ୍ଧି ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଛି। ପୁରୀ ପୌର ପରିଷଦ ବୈଠକରେ ଏଥିପାଇଁ ପୂର୍ବରୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇସାରିଛି। ଏହି ମାମଲା ଏବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ପୌର ନିର୍ବାଚନ ଉପରେ ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି। ତେଣୁ ବିନା ନିର୍ବାଚିତ ଲୋକ ପ୍ରତିନିଧିରେ ପ୍ରାୟ ଦଶବର୍ଷ ଧରି ଚାଲିଛି ପୁରୀ ପୌରସଂସ୍ଥା। ଏହାଛଡ଼ା ପୁରୀ ସହରର ଭୌଗଳିକ ସୀମା ବାଟମଙ୍ଗଳା ଏବଂ ଗୋରୁଆଳ ପଯ୍ୟନ୍ତ ବୃଦ୍ଧି ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି। ତେଣୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଘୋଷଣା ପରେ ପୁରୀ ସହରର ବିକାଶ ପାଇଁ ନୂତନ ସମ୍ଭାବନା ଦେଖାଦେଇଛି। ଏହାବାଦ୍‌ ପୁରୀକୁ କମିସନରେଟ ପୁଲିସ ସହ ସାମିଲ କରାଯିବାକୁ କେତେକ ସଂସ୍ଥା ଦାବି କରିଛନ୍ତି। ତେବେ ନୂତନ ସହର ପରିଯୋଜନା ସମ୍ପର୍କରେ ଏ ପଯ୍ୟନ୍ତ କୌଣସି ଚିଠି ହସ୍ତଗତ ହୋଇନଥିବା ପୁରୀ ପୌର ସଂସ୍ଥା କାଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.3 ° C
    33.3 °
    33.3 °
    24 %
    2.2kmh
    99 %
    Tue
    36 °
    Wed
    37 °
    Thu
    36 °
    Fri
    34 °
    Sat
    34 °

    ସମ୍ବନ୍ଧିତ