Friday, September 18, 2026
26.3 C
Odisha

    ପରୀକ୍ଷାର୍ଥୀଙ୍କୁ ଅପହରଣ ପରେ ଲୁଟ୍‌: ଦୁଇ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ(ଓଏସଏସସି) ପରୀକ୍ଷା ଦେବାକୁ ଆସିଥିବା ଜଣେ ପରୀକ୍ଷାର୍ଥୀ ଅପହରଣ ପରେ ଲୁଟ୍‌ର ଶିକାର ହୋଇଛନ୍ତି। ପରୀକ୍ଷାର୍ଥୀଙ୍କ ଘର କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଦା ଅଞ୍ଚଳରେ। ଏନେଇ ସିଡିଏ ଫେଜ ୨ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦୁଇ ପେଶାଦାର ଲୁଟେରାଙ୍କୁ ବୁଧବାର ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଲାଲବାଗ ଥାନା ଅନ୍ତର୍ଗତ ଜଗନ୍ନାଥବଲ୍ଲଭ ଅଞ୍ଚଳର ସୋହେବ ଖାଁ(୨୪) ଏବଂ ରୋହିତ୍‌ ଖାଁ(୧୯)। ସେମାନଙ୍କ ନିକଟରୁ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି।
    ସୂଚନାନୁଯାୟୀ, କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଦା ଅଞ୍ଚଳର ନିଲେଶ ମହାନ୍ତି କଟକ ଫୁଲନଖରାରେ ଏକ ପରୀକ୍ଷା କେନ୍ଦ୍ରରେ ଷ୍ଟାଫ ସିଲେକ୍ସନ କମିଶନର ସିଏଚ୍‌ଏସ୍‌ଏଲ୍‌ ପରୀକ୍ଷା ଦେବାକୁ ଆସିଥିଲେ। ସୂଚୀ ଅନୁଯାୟୀ ୨ ତାରିଖ ସକାଳ ୭ଟାରେ ପରୀକ୍ଷା ଥିଲା। ସେ ଅନ୍ୟ ଜଣେ ବନ୍ଧୁଙ୍କ ସହ ୧ ତାରିଖ ରାତି ୧୨ଟା ବେଳେ କଟକ ରେଳଷ୍ଟେଶନରେ ପହଞ୍ଚିଥିଲେ। ତେବେ ରାତି ହୋଇଥିବାର ଉଭୟେ ଷ୍ଟେଶନରେ ଅଟକିଥିଲେ। ୨ ତାରିଖ ଭୋର ପ୍ରାୟ ୫ଟା ବେଳେ ସେ ଷ୍ଟେଶନରୁ ଚାଲିଚାଲି ମୁଖ୍ୟ ରାସ୍ତାକୁ ଆସିଥିଲେ। ଫୁଲନଖରା ଯିବା ପାଇଁ ଗାଡ଼ିକୁ ଅପେକ୍ଷା କରିଥିବା ବେଳେ ସୋହେବ ଓ ରୋହିତ୍‌ ସେଠାରେ ଏକ ବାଇକ୍‌ରେ ପହଞ୍ଚିଥିଲେ। ନିଲେଶଙ୍କୁ କୁଆଡ଼େ ଯିବେ ବୋଲି ସେମାନେ ପଚାରିଥିଲେ। ସେ ସେମାନଙ୍କୁ ଫୁଲନଖରା ଯିବେ କହିବାରୁ ସେମାନେ ଫୁଲନଖରା ଯାଉଥିବା କହି ସାଙ୍ଗରେ ଯିବାକୁ ଡାକିଥିଲେ। ଦୁହେଁ ନିଲେଶଙ୍କୁ ଫୁଲନଖରା ନେବା ବଦଳରେ ପ୍ରଥମେ ସିଡିଏ ସେକ୍ଟର-୧୦ ଅଞ୍ଚଳକୁ ନେଇଯାଇଥିଲେ। ସେଠାରେ ଥିବା ଏକ ଏଟିଏମ କାଉଣ୍ଟରକୁ ନେଇ ନିଲେଶଙ୍କ ଏଟିଏମରୁ ଟଙ୍କା ଉଠାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବାରୁ ଟଙ୍କା ମଗାଇବାକୁ ଧମକାଇଥିଲେ। ନିଲେଶ ଭୟଭୀତ ହୋଇ ତାଙ୍କ ବାପାଙ୍କୁ ଫୋନ କରି ଟଙ୍କା ଦେବାକୁ କହିଥିଲେ। ବାପା ଟଙ୍କା ଦେବା ପରେ ଦୁଇ ଲୁଟେରା ତାଙ୍କୁ ଧରି ସେକ୍ଟର ୧୧ ଏଚଡିଏଫସି ବ୍ୟାଙ୍କର ଏକ ଏଟିଏମ ଯାଇଥିଲେ। ସେଠାରେ ତାଙ୍କ ଆକାଉଣ୍ଟରୁ ସେମାନେ ୧୦ ହଜାର ଟଙ୍କା ଉଠାଇଥିଲେ। ପୁଣି ନିକଟରେ ଥିବା ଆଉ ଏକ ଏଟିଏମ କାଉଣ୍ଟରକୁ ନେଇଥିଲେ। ସେଠାରେ ଥିବା ସୁରକ୍ଷାକର୍ମୀଙ୍କ ସନ୍ଦେହ ହେବା ଆଶଙ୍କା କରି ଲୁଟେରାଦ୍ବୟ ସେଠାରୁ ଫେରାର ହୋଇଯାଇଥିଲେ। ସେମାନେ ନିଲେଶଙ୍କ ନିକଟରୁ ୧୦ ହଜାର ଟଙ୍କା ନେବା ସହିତ ତାଙ୍କ ହାତ ଘଣ୍ଟା, ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ଏହାପରେ ସେମାନେ ବାଇକରେ ଫେରାର ହୋଇଯାଇଥିଲେ। ସେଠାରୁ ନିଲେଶ ଫୁଲନଖରାସ୍ଥିତ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଥିଲେ। ପରୀକ୍ଷା କେନ୍ଦ୍ରରୁ ଫେରିବା ପରେ ସିଡିଏ ଫେଜ ୨ ଥାନାରେ ସେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଟିଏମ କାଉଣ୍ଟର ଓ ଷ୍ଟେଶନ ବଜାର ଆଖପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ପୋଲିସ ଏହି ଦୁଇ ପେଶାଦାର ଲୁଟେରାଙ୍କ ଫଟୋ ଠାବ କରିବା ପରେ ଗିରଫ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    84 %
    0.4kmh
    100 %
    Fri
    27 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ