Saturday, September 12, 2026
24 C
Odisha

    ବାଂଲାଦେଶରେ ହିନ୍ଦୁଙ୍କୁ ନିର୍ଯାତନା ସାମ୍ପ୍ରଦାୟିକ ନୁହେଁ: ୟୁନୁସ୍ ସରକାର

    ଆଗକୁ ପଢନ୍ତୁ

    ଢାକା: ବାଂଲାଦେଶ ସରକାର ପୁଲିସର ରିପୋର୍ଟକୁ ଦର୍ଶାଇ କହିଛନ୍ତି ଯେ, ୪ ଅଗଷ୍ଟ ୨୦୨୪ ପରେ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ହୋଇଥିବା ଆକ୍ରମଣ ତଥା ଭଙ୍ଗାରୁଜା ଘଟଣାର ଅଧିକାଂଶ ମାମଲା ସାମ୍ପ୍ରଦାୟିକ ନୁହେଁ, ବରଂ ରାଜନୈତିକ। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍‌ଙ୍କ ପ୍ରେସ ୱିଙ୍ଗ୍ ଏକ ବିବୃତିରେ କହିଛି ଯେ, ସଂରକ୍ଷଣ ବିରୋଧୀ ଆନ୍ଦୋଳନ ମଧ୍ୟରେ ଗତ ବର୍ଷ ଅଗଷ୍ଟ ୫ରେ ବାଂଲାଦେଶ ହିନ୍ଦୁ,ବୌଦ୍ଧ, ଖ୍ରୀଷ୍ଟିଆନ ଏକତା ପରିଷଦ ଦାବି କରିବା ପରେ ପୂଲିସ ତଦନ୍ତ କରିଥିଲା।ସୂଚନାନୁସାରେ, ଏହି ଘଟଣାଗୁଡ଼ିକ ମଧ୍ୟରୁ ୧,୭୬୯ଟି ଆକ୍ରମଣ ମାମଲା ଭଙ୍ଗାରୁଜା ସହିତ ଜଡ଼ିତ ଥିବା ରୁଜୁ କରାଯାଇଥିଲା। ପୁଲିସ ଏପର୍ଯ୍ୟନ୍ତ ମୋଟ ୬୨ ମାମଲା ପଞ୍ଜିକରଣ କରିଛି ଏବଂ ଅନୁସନ୍ଧାନ ଆଧାରରେ ୩୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

    ତେବେ ଏହି ବିବୃତିରେ କୁହାଯାଇଛି ଯେ, ଅନୁସନ୍ଧାନରୁ ଜଣାପଡିଛି, ଅଧିକାଂଶ କ୍ଷେତ୍ରରେ ଏହି ଆକ୍ରମଣ ସାମ୍ପ୍ରଦାୟିକ ନୁହେଁ। ବହୁ ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏଥିରେ କୁହାଯାଇଛି, ପୁଲିସର ଅନୁସନ୍ଧାନରୁ ଜଣାପଡିଛି, ୧,୨୩୪ ମାମଲା ରାଜନୈତିକ ମାମଲା ଥିବାବେଳେ ୨୦ଟି ମାମଲା ସାମ୍ପ୍ରଦାୟିକ ଥିଲା। ୧୬୧ ମାମଲା ମିଥ୍ୟା ମାମଲା ଥିଲା।

    ବିବୃତି ଅନୁଯାୟୀ, ୫ଅଗଷ୍ଟ ୨୦୨୪ରେ ୧,୪୫୨ ମାମଲା ଘଟିଥିଲା। ଏହା ମୋଟ ମାମଲାର ୮୨.୮ ପ୍ରତିଶତ ଥିଲା। ଅଗଷ୍ଟ ୪ ରେ ୬୫ଟି ମାମଲା ଏବଂ ଅଗଷ୍ଟ ୬ରେ ୭୦ଟି ମାମଲା ଘଟିଥିଲା।

    ବିବୃତି ଅନୁଯାୟୀ, ୫ଅଗଷ୍ଟ ୨୦୨୪ରୁ ୮ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ପୁଲିସ ଥାନାରେ ୧୩୪ ସାମ୍ପ୍ରଦାୟିକ ହିଂସା ଅଭିଯୋଗ ହୋଇଥିଲା। ଏଥିରେ କୁହାଯାଇଛି ଯେ, ପୁଲିସ ସମସ୍ତ ଅଭିଯୋଗ ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରି ୫୩ଟି ମାମଲା ରୁଜୁ କରି ୬୫ ଅଭିଯୁକ୍ତଙ୍କୁ ଗିରଫ କରିଛି।

    ଗତ ବର୍ଷ ଅଗଷ୍ଟ ୪ ତାରିଖରୁ ସାମ୍ପ୍ରଦାୟିକ ହିଂସା ଅଭିଯୋଗ ଆଧାରରେ ମୋଟ ୧୧୫ଟି ମାମଲା ରୁଜୁ ହୋଇଛି ଏବଂ ଏହି ମାମଲାରେ ୧୦୦ ଜଣଙ୍କୁ ଗିରଫ କରାଯାଇଛି।

    ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ବାଂଲାଦେଶ ପୁଲିସ ସାମ୍ପ୍ରଦାୟିକ ଘଟଣାର ଏକ ତାଲିକା ସଂଗ୍ରହ କରିଥିଲା ବୋଲି ପରିଷଦ ଦାବି କରିଛି। ଏସବୁ ମାମଲା ଘଟିଥିବା ପ୍ରତ୍ୟେକ ସ୍ଥାନ ଏବଂ ପ୍ରତ୍ୟେକ ପ୍ରତିଷ୍ଠାନକୁ ପୁଲିସ ପରିଦର୍ଶନ କରିଥିଲା।

    ସାମ୍ପ୍ରଦାୟିକ ହିଂସା ଅଭିଯୋଗ ଗ୍ରହଣ କରିବା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତାଙ୍କ ସହ ଯୋଗାଯୋଗ କରିବା ପାଇଁ ବାଂଲାଦେଶ ପୋଲିସ ବର୍ତ୍ତମାନ ହ୍ବାଟସ୍ ଆପ୍ ନମ୍ବର ଜାରି କରିଛି।
    ଏହି ବିବୃତିରେ କୁହାଯାଇଛି ଯେ, ଦେଶରେ ସାମ୍ପ୍ରଦାୟିକ ଆକ୍ରମଣ ବିରୋଧରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କର ଶୂନ୍ୟ-ସହନଶୀଳତା ନୀତି ରହିଛି ଏବଂ ଅଭିଯୁକ୍ତକୁ ଗିରଫ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି, ମଧ୍ୟବର୍ତ୍ତୀକାଳୀନ ସରକାର ମଧ୍ୟ ପୀଡିତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି।

    ସୂଚନାଯୋଗ୍ୟ,ଗତ କିଛି ମାସ ମଧ୍ୟରେ ବାଂଲାଦେଶରେ ହିନ୍ଦୁ ସମେତ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅନେକ ଆକ୍ରମଣ ହୋଇଛି ଏବଂ ସେମାନଙ୍କ ଘର ତଥା ଧାର୍ମିକ ସ୍ଥାନରେ ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ ଘଟଣା ଘଟିଛି। ଏହି ଘଟଣାକୁ ନେଇ ଭାରତ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    2.2kmh
    100 %
    Fri
    24 °
    Sat
    25 °
    Sun
    30 °
    Mon
    31 °
    Tue
    30 °

    ସମ୍ବନ୍ଧିତ