Thursday, May 14, 2026
27.2 C
Odisha

    ବାଲି ଚୋରି ପାଇଁ ସାହାଣମେଲା: ସରକାରୀ ମାର୍ଗଦର୍ଶିକାକୁ ଫୁ

    ଆଗକୁ ପଢନ୍ତୁ

    ଲଘୁ ଖଣିଜ ଲୁଟ୍ ରୋକିବା ପାଇଁ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ତେବେ କଳାପଥର, ମୋରମ୍‌ ଓ ମାଟି ଅନୁମତିପ୍ରାପ୍ତ ସୀମିତ ଅଞ୍ଚଳରୁ ଖନନ ଚାଲିଥିବାବେଳେ ଶହଶହ ବେଆଇନ୍ ବାଲିଘାଟ ପାଇଁ ସାହାଣମେଲା କରାଯାଇଛି। ବେଆଇନ୍ ବାଲିଘାଟକୁ ନେଇ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଲଘୁ ଖଣିଜ ସମ୍ପଦ ସୁପରିଚାଳନା ପାଇଁ ବର୍ଷବର୍ଷ ଧରି ସରକାର ନୀତିନିୟମ ପରିବର୍ତ୍ତନ କରି ଚାଲିଛନ୍ତି। କିନ୍ତୁ ତୃଣମୂଳରେ କାର୍ଯ୍ୟକାରୀ ହେଉନାହିଁ। ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ପାଇଁ ସରକାରୀ ମାର୍ଗଦର୍ଶିକାକୁ ଲିଜ୍‌ଧାରୀ ଓ ମାଫିଆଙ୍କର ଖାତିର ନାହିଁ। ନାମକୁ ମାତ୍ର ରାସ୍ତାରେ ଗାଡ଼ି ଜବତ ଓ ଡ୍ରାଇଭର ଗିରଫରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ବେଆଇନ ବାଲିଘାଟ ଚଳାଉଥିବା ମାଷ୍ଟରମାଇଣ୍ଡ କୋଟିକୋଟି ଟଙ୍କା ମୁନାଫା କରୁଥିବା ବେଳେ ରାଜସ୍ବ ବିଭାଗ, ପୁଲିସ ଓ ଖଣି ବିଭାଗ କର୍ମଚାରୀଙ୍କୁ କରାୟତ୍ତ କରି ଏଭଳି ଚୋରା କାରବାର ଚଳାଇଛନ୍ତି।

    ଯାଜପୁର ଜିଲ୍ଲାରେ ୩୦ଟି ବାଲିଘାଟ ପାଇଁ ପରିବେଶ ମଞ୍ଜୁରି ମିଳିଛି। ଅଥଚ ଖଣି ବିଭାଗ ୬୮ବାଲିଘାଟ ପାଇଁ ଅନୁମତି ଦେଇଛି। ବିଭାଗ ମଧ୍ୟରେ ତାଳମେଳ ନଥିବା ସ୍ପଷ୍ଟ ହେଉଛି। ଜିଲ୍ଲାରେ ବଡ଼ଛୋଟ ୨ଶହରୁ ଅଧିକ ବାଲିଘାଟ ବେଆ‌ଇନ ଭାବେ ଚାଲିଛି। ନଦୀଶଯ୍ୟାରୁ ପ୍ରତିଦିନ ଲକ୍ଷଲକ୍ଷ ଘନମିଟର ବାଲି ‌ଚୋରାଚାଲାଣ ହେଉଛି। ବାଲି ଲୁଟ୍‌କୁ ରୋକିବା ପାଇଁ ଖଣି ବିଭାଗ ୨୦୨୪ ମେ ୨୦ରେ ବାଲିଘାଟ ଚିହ୍ନଟ, ଉତ୍ତୋଳନ ପାଇଁ ମାର୍ଗଦର୍ଶିକା ଜାରି କରି କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ମାର୍ଗଦର୍ଶିକାକୁ ଲିଜ୍‌ଧାରୀ ପାଳନ କରୁନାହାନ୍ତି। ସରକାରଙ୍କ ଏହି ମାର୍ଗଦର୍ଶିକା ନଥିପତ୍ରରେ ସୀମିତ ରହିଛି। ସରକାର କୋଟିକୋଟି ଟଙ୍କାର ରାଜସ୍ବ ହରାଉଛନ୍ତି।

    ମାର୍ଗଦର୍ଶିକା ଅନୁଯାୟୀ ଲିଜ୍‌ଧାରୀଙ୍କ ନାମ, ଉତ୍ସ (ବାଲିଘାଟ)ର ନାମ ଓ ଠିକଣା, କ୍ଷେତ୍ରଫଳ, ଲିଜ୍‌ ଅବଧି ଓ କେତେ ପରିମାଣର ବାଲି ଉତ୍ତୋଳନ ହେବ ଆଦି ସମସ୍ତ ତଥ୍ୟ ସହ ବାଲିଘାଟ ନିକଟରେ ସୂଚନାଫଳକ ଲଗାଯିବ। କେତେ ପରିମାଣର ବାଲି ଉତ୍ତୋଳନ ହେଉଛି ପ୍ରତିଦିନ ରେକର୍ଡ କରାଯିବ। ବାଲି ପରିବହନ ଓ ଉତ୍ତୋଳନ ବେଳେ ଗ୍ରାମବାସୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଜରୁରି। ବାୟୁ ପ୍ରଦୂଷଣ ରୋକିବା ପାଇଁ ସବୁବେଳ ପାଣି ସିଞ୍ଚନ କରାଯିବା ସହିତ ବାଲି ବୋଝେଇ ଗାଡ଼ିଗୁଡିକ ତାରପୋଲିନ୍ ଦ୍ୱାରା ଢଙ୍କାଯିବ। ବାଲିଘାଟର ଅବଧି ଶେଷ ପୂର୍ବରୁ ଲିଜ୍‌ଧାରୀମାନେ ଅନୁମୋଦିତ ପରିମାଣ ଉତ୍ତୋଳନ କରିଦେଲେ ଘାଟ ବନ୍ଦ କରାଯିବ। ପ୍ରତି ୩ ମାସରେ କେତେ ପରିମାଣ ଲଘୁଖଣିଜ ସମ୍ପଦ ଉତ୍ତୋଳନ ହୋଇଛି? ଦାୟିତ୍ବରେ ଥିବା ଅଧିକାରୀ ଏହାର ରିପୋର୍ଟ ଖଣି ଓ ପ୍ରଦୂଷଣ ବିଭାଗ ନିକଟରେ ଦାଖଲ କରିବେ। ନଦୀଶଯ୍ୟାରେ ଯେଉଁ ସ୍ଥାନରେ ବାଲି ଉତ୍ତୋଳନ ପାଇଁ ଅନୁମତି ମିଳିଛି, ସେହି ସ୍ଥାନକୁ ଖୁଣ୍ଟି ପୋତି ଚିହ୍ନଟ କରାଯିବ। ଏପରିକି ବାଲି ଖାଦାନ ସମ୍ପର୍କିତ ସମସ୍ତ ତଥ୍ୟ  ପ୍ରଶାସନର ୱେବ୍‌ସାଇଟ୍‌ରେ ଉପଲବ୍‌ଧ ହେବ। ପ୍ରଦୂଷଣ ଓ ପରିବେଶ ବିଭାଗ ଅଧିକାରୀମାନେ ଅଞ୍ଚଳ ପରିଦର୍ଶନ କରି ଲୋକମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ଅନୁମତି ପ୍ରଦାନ କରିବେ। ଏହି ସବୁ ନିୟମ ଖୋଲାଖୋଲି  ‌ଉଲ୍ଲଂଘନ କରାଯାଉଛି। ବାଲିଘାଟ ନିକଟରେ ସୂଚନାଫଳକ ନଥିବାବେଳେ ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.2 ° C
    27.2 °
    27.2 °
    72 %
    3.1kmh
    28 %
    Wed
    27 °
    Thu
    43 °
    Fri
    44 °
    Sat
    43 °
    Sun
    43 °

    ସମ୍ବନ୍ଧିତ