Thursday, October 15, 2026
23.2 C
Odisha

    ଜମି ଅବଶେଷ ଓ ଜଙ୍ଗଲ ନିଆଁ ବଢ଼ାଉଛି ତାତି

    ଆଗକୁ ପଢନ୍ତୁ

    ବୌଦ୍ଧ: ବସନ୍ତ ନ ସରୁଣୁ ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି। ଜାଗରଠାରୁ ଖରା ପ୍ରକୋପ ନିୟମିତ ବୃଦ୍ଧି ପାଇବାରେ ଲାଗିଛି। ପାରଦ ଉପରମୁହାଁ ହୋଇ ଆଜି ସର୍ବାଧିକ ୪୦.୫ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି। ଏଥିସହ ଆହୁରି ଦୁଇ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ବ୍ୟତିକ୍ରମ ଦେଖାଯାଉଥିବା ବେଳେ ଚଳିତବର୍ଷ ଗ୍ରୀଷ୍ମପ୍ରବାହର ଅବଧି ବୃଦ୍ଧି ପାଇବା ନେଇ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କଲେଣି।ପ୍ରଶାସନ ପକ୍ଷରୁ ଗତମାସରେ ସମ୍ଭାବ୍ୟ ଗୀଷ୍ମ ପ୍ରବାହ ଏବଂ ଅଂଶୁଘାତର ମୁକାବିଲା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଗତକାଲି ସ୍ଥାନୀୟ ଏନ୍‌ଏସି ପକ୍ଷରୁ ମଧ୍ୟ ଗ୍ରୀଷ୍ମ ମୁକାବିଲା ସଂପର୍କରେ କିଭଳି ପଦକ୍ଷେପ ନିଆଯିବ, ସେ ନେଇ ଏକ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ତେବେ ବାଟୋଇଙ୍କ ପାଇଁ ସହରର ପ୍ରମୁଖ ଛକଗୁଡ଼ିକରେ ସ୍ଥାପନ ହୋଇଥିବା ସମସ୍ତ ଥଣ୍ଡାପାନୀୟ ଜଳପ୍ରକଳ୍ପକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଜରୁରି ହୋଇପଡ଼ିଛି। ଗତବର୍ଷଠାରୁ ହାତୀଶାଳ ଛକସ୍ଥିତ ପ୍ରକଳ୍ପଟି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଆଉ କେତେକ ସ୍ଥାନରେ ନାମକୁମାତ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି। ଅଧିକାଂଶ ଟ୍ୟାପ୍‌ ଭାଙ୍ଗି ଯାଇଥିବା ବେଳେ ଗୋଟିଏ ଟ୍ୟାପ୍‌ରେ ବାହାରୁଥିବା ପାଣିର ଧାର ସୂତା ଭଳି ରହିଛି। ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକରେ ସହରର ପ୍ରମୁଖ ଟ୍ରାଫିକ୍ ଛକଗୁଡ଼ିକରେ ଅସ୍ଥାୟୀ ଗ୍ରିନ୍‌ ସେଡ୍ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିଲା, ଯାହାକି ଏଯାବତ୍ ଦେଖିବାକୁ ମିଳିନି। ବସ୍‌ଷ୍ଟାଣ୍ଡରେ ବିଶ୍ରାମାଗାର ନଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସବୁ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ। ଅନ୍ୟପକ୍ଷେ ଏବେ ଯେଉଁଆଡ଼େ ଆଖି ବୁଲାଇବ, ଜମିଗୁଡ଼ିକରେ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। କିଛିବର୍ଷ ହେବ, ଧାନ ଅମଳ ପରେ ଜମିରେ ରହିଥିବା ଅବଶେଷ (ଖୁଣ୍ଟାଗୁଡ଼ିକୁ) ନଷ୍ଟ କରିବା ଏଭଳି ନିଆଁ ଲଗାଇବାର ନୂଆ ଧାରା ଆରମ୍ଭ ହୋଇଛି। ଯାହାକି ଆଖପାଖର ପରିବେଶ ପ୍ରଦୂଷିତ କରିବା ସହ ତାପମାତ୍ରା ବୃଦ୍ଧିରେ ସହାୟକ ହେଉଛି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ପ୍ରଶାସନିକ ତତ୍ପରତା ଦେଖାଯାଉ ନାହିଁ। ଧାନ ଅମଳ ପରେ ଚାଷଜମିର ପ୍ରକ୍ରିୟାକରଣ ନେଇ ଚାଷୀଙ୍କୁ ସଚେତନ କରାଇବାର ଜରୁରି ହୋଇପଡ଼ିଛି। ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଜଙ୍ଗଲ ନିଆଁ ଘଟଣା ମଧ୍ୟ ପାରଦ ଉପରମୁହାଁ ହେବାର ଅନ୍ୟତମ କାରଣ ବୋଲି ମତପ୍ରକାଶ ପାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.2 ° C
    23.2 °
    23.2 °
    96 %
    1.7kmh
    24 %
    Thu
    23 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ