Sunday, April 5, 2026
36.1 C
Odisha

    ଶିଳ୍ପଜିଲ୍ଲାରେ ଶ୍ରମିକଙ୍କ ସୁରକ୍ଷା ବିପନ୍ନ, ଚବିଶ ମାସରେ ଯାଇଛି ୨୪ ଜୀବନ

    ଆଗକୁ ପଢନ୍ତୁ

    ଗତ ୧୬ ତାରିଖ ସଂଧ୍ୟା ୬ଟା। ହଠାତ୍‌ ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା (ଡିସିବିଲ୍‌) ଲାଇନ୍‌-୨ ଶୁଭିଲା ପ୍ରଚଣ୍ଡ ଶବ୍ଦ। କୋଲ୍‌ ହପର୍‌ ଭାଙ୍ଗିଯିବାରୁ କୋଇଲା ଗଦା ଭିତରେ ପୋତିହୋଇ ତିନି ଶ୍ରମିକ ଦଶରଥ ପାତ୍ର, ସୁଶାନ୍ତ ରାଉତ ଓ ରଣଜିତ ଭୋଇଙ୍କର ଚାଲିଗଲା ଜୀବନ। ଗତ ୨୦୨୪ ‌ସେପ୍ଟମ୍ବର ୨୮ ତାରିଖ। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଏସ୍‌ଏମ୍‌ଏସ୍‌ -୧( ଷ୍ଟିଲ ମେଲ୍‌ଟିଂ ସପ୍‌)ରେ ଗ୍ୟାସ୍‌ ଲିକ୍‌ ହେବାରୁ ୫ ଶ୍ରମିକ ଜଳିଯାଇ ଗୁରୁତର ହୋଇଥିଲେ। ହସ୍ପିଟାଲ ବେଡ଼ରେ ମୃତ୍ୟୁ ସହ ସଂଘର୍ଷ କରି ପାଇଥିଲେ ପୁର୍ନଜନ୍ମ। ସେହି ମାସ ୪ ତାରିଖ କୁଆରମୁଣ୍ଡା ବ୍ଲକ୍‌ ଚାର୍ଡିହରିହରପୁର ଆଧୁନିକ ମେଟାଲିକ୍ସ କାରଖାନା ଦୁର୍ଘଟଣା ଘଟି ଜଳିଗଲେ ଶ୍ରମିକ ଭାଗିରଥୀ ହନ୍‌ସ। ସୁନ୍ଦରଗଡ଼ର ଆର୍‌ଏସ୍‌ପି, ଡିସିବିଲ୍‌, ଆଧୁନିକ ମେଟାଲିକ୍ସ କାରଖାନା ନୁହେଁ ଏମିତି ଅନେକ କାରଖାନାରେ ସୁରକ୍ଷାଜନିତ ତ୍ରୁଟିରୁ ନିରୀହ ଶ୍ରମିକଙ୍କ ଜୀବନ ଚାଲିଯାଉଛି। ଅନେକ ସବୁଦିନ ପାଇଁ ପଙ୍ଗୁ ହୋଇଯାଉଛନ୍ତି। କିଏ ହାତ ତ କିଏ ଗୋଡ ହରାଉଛି। ଘଟଣା ଘଟିବା ପରେ ସବୁ ବିଭାଗର ଅଧିକାରୀମାନେ ବେଶ୍‌ ତତ୍ପର ହେଉଛନ୍ତି। ଟିକ୍‌ନିଖ୍‌ ଯାଞ୍ଚ କରୁଛନ୍ତି। କାରଖାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛନ୍ତି। ବିବାଦ ଥମିଗଲା ପରେ କାରଖାନାର ସୁରକ୍ଷାକୁ ସମସ୍ତେ ପାସୋରି ଯାଉଛନ୍ତି। ଦୁର୍ଘଟଣାର କିପରି ପୁନରାବୃତ୍ତି ନ ହେବ, ସେଥିପ୍ରତି ଏତେଟା ଧ୍ୟାନ ଦିଆଯାଉନି। କାରଖାନା ଓ ବାଷ୍ପିତ ଉପ ନିର୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ଦୁର୍ଘଟଣାଜନିତ ମୃତ୍ୟୁ, ଗୁରୁତର ଓ ଆହତଙ୍କ ତଥ୍ୟରୁ ଶ୍ରମିକଙ୍କ ସୁରକ୍ଷାକୁ କେତେ ପ୍ରାଥମିକତା ଦିଆଯାଉଛି, ସ୍ପଷ୍ଟ ବାରିହୋଇପଡୁଛି।

    ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୪ ମାସ (ଗତ ୨୦୨୩ ଜାନୁଆରି ୧୦ରୁ ୨୦୨୫ ଜାନୁଆରି ୧୬) ସୁଦ୍ଧା କାରଖାନା ଦୁର୍ଘଟଣାରେ ମୋଟ ୨୪ ଜଣଙ୍କ ଜୀବନ ଯାଇଛି। ୨୦୨୩ରେ ୧୧, ୨୦୨୪ରେ ୧୦ ଓ ୨୦୨୫ ଜାନୁଆରି ୧୬ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ଓ ଆହତ ହୋଇଛନ୍ତି ୨୬ରୁ ଅଧିକ ଶ୍ରମିକ ଓ କର୍ମଚାରୀ। ରାଜଗାଙ୍ଗପୁରସ୍ଥ ରିଲାଏବୁଲ୍‌ ସ୍ପଞ୍ଜ କାରଖାନା ଦୁର୍ଘଟଣାରେ ଗତ ୨୦୨୩ ମାର୍ଚ୍ଚ ୧୩ରେ କାର୍ତ୍ତିକ ଲାକ୍ରା ଓ ଫିରୋଜ ତିର୍କି ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ୨୦୨୪ ଜୁଲାଇରେ ଠିକାଶ୍ରମିକ ଚନ୍ଦ୍ରକାନ୍ତ ସ୍ବାଇଁଙ୍କର କାରଖାନା ଉପରୁ ପଡ଼ିଯିବାରୁ ଜୀବନ ଯାଇଥିଲା। ରାଜଗାଙ୍ଗପୁରସ୍ଥ ସୁରଜ ପ୍ରଡକ୍ଟସ୍‌ରେ ୨୦୨୪ ଫେବ୍ରୁଆରି ୧୦ରେ ଜଳି ଯାଇ ଦୁବରାଜ ରାଉତଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ହୋଇଥିଲେ ଶ୍ରୀ ରୁଦ୍ର, ରାଜୀବ ସେଠୀ ଓ ଅମରନାଥ ତୁରୀ। ୨୦୨୪ ଅକ୍ଟୋବର ୧୦ରେ ଆର୍‌ଏସ୍‌ପିରେ ସ୍ଥାୟୀ ଶ୍ରମିକ ବାସୁଦେବ ପ୍ରଧାନ, ୨୦୨୩ ଅଗଷ୍ଟ ୪ରେ ଠିକାଶ୍ରମିକ ଏମ୍. ଅପର୍ଣ୍ଣା ରାଓଙ୍କ ମୃତ୍ୟୁ ହୋଇଥିଲା। ୨୦୨୩ ଜାନୁଆରି ୧୦ରେ ଆର୍‌ଏସ୍‌ପିରେ ଜଣେ, ମାର୍ଚ୍ଚ ୧୩ରେ ରିଲାଏବୁଲ ସ୍ପଞ୍ଜରେ ୨ ଜଣ, ଜୁନ୍‌ ୬ରେ କୁଆରମୁଣ୍ଡା ଶ୍ରୀଗଶେଶ ମେଟାଲିକ୍ସରେ ଜଣେ, ଜୁଲାଇ ୨୭ରେ ରାଜଗାଙ୍ଗପୁରସ୍ଥ ଏମ୍‌.ଆର୍‌. ଫେରୋ କାରଖାନାରେ ଜଣଙ୍କର ଜୀବନ ଯାଇଛି।

    ୨୦୨୩ ସେପ୍ଟେମ୍ବର ୧୮ରେ ସ୍କାନ୍‌ ଷ୍ଟିଲ (ୟୁନିଟ୍‌-୨)ରେ ଆଫତାବ ଆଲାମ,  ଅକ୍ଟୋବରରେ ସ୍ବସ୍ଥିକ ଇସ୍ପାତରେ ବଳଭଦ୍ର ସାହ, ନଭେମ୍ବରରେ କଲୁଙ୍ଗା ଶୁଭ ଇସ୍ପାତରେ ଚିନ୍ମୟ କୁମାର ବେହେରାଙ୍କର ଜୀବନ ଯାଇଛି। ଏମିତି ଶୁଦ୍ଧ ଇସ୍ପାତ, ସର୍ବେଶ ରିଫ୍ରାକ୍ଟୋରିଜ୍‌, ଭାସ୍କର ଷ୍ଟିଲ ଆଣ୍ଡ ଫେରୋ ଆଲଏଜ୍‌ ଆଦି କାରଖାନା ଦୁର୍ଘଟଣାରେ ଶ୍ରମିକଙ୍କ ଜୀବନ ଯାଇଛି। ରାଉରକେଲା କାରଖାନା ଓ ବାଷ୍ପିତ୍ର କାର୍ଯ୍ୟାଳୟର ଉପନିର୍ଦେଶକ ଇଂ. ବିଭୂ ପ୍ରସାଦ କହିଛନ୍ତି, କାରଖାନାର ଦୁର୍ଘଟଣା ନିବାରଣ କର୍ତ୍ତୃପକ୍ଷଙ୍କର ଦାୟିତ୍ବ। ତଥାପି ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରାଯାଉଛି। ୧୯୪୮ କାରଖାନା ଆଇନ ଠିକ୍‌ ଭାବେ ଲାଗୁ କରାଯାଉଛି। ଏହା ସତ୍ବେ ଯେଉଁମାନେ ସୁରକ୍ଷା ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.1 ° C
    36.1 °
    36.1 °
    24 %
    2.5kmh
    40 %
    Sun
    35 °
    Mon
    37 °
    Tue
    37 °
    Wed
    39 °
    Thu
    37 °

    ସମ୍ବନ୍ଧିତ