Thursday, April 16, 2026
29.1 C
Odisha

    ଶ୍ରୀଜୀଉଙ୍କ ସୁନା ବେଶ ଦେଖିଲେ ଲକ୍ଷାଧିକ ଭକ୍ତ

    ଆଗକୁ ପଢନ୍ତୁ

    ପୁରୀ : ପବିତ୍ର ପୌଷ ପୂର୍ଣ୍ଣମୀ ଅବସରରେ ଗତକାଲି ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏହି ଅବସରରେ ରତ୍ନ ସିଂହାସନରେ ଶ୍ରୀବିଗ୍ରହମାନେ ରାଜରାଜେଶ୍ୱର ବା ସୁନାବେଶରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବର୍ଷକ ମଧ୍ୟରେ ମହାପ୍ରଭୁଙ୍କ ହେଉଥିବା ପାଞ୍ଚ ଥର ସୁନାବେଶ ମଧ୍ୟରୁ ଏହା ଅନ୍ୟତମ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଅଭିଷେକ ପୂର୍ବ ଦିବସରୁ ଅର୍ଥାତ ଚତୁର୍ଦଶୀ ଶୁକ୍ରବାର ମହାପ୍ରଭୁଙ୍କ ଚନ୍ଦନଲାଗି ନୀତି ପରେ ୮୭ ଗରା ଜଳ ଏବଂ ୨୧ଗରା ଘିଅ ଭୋଗମଣ୍ଡପ ଘରେ ଅଧିବାସ ହୋଇ ରହିଥିଲା। ଗତକାଲି ଶ୍ରୀମନ୍ଦିରରେ ସକାଳଧୂପ ବଢ଼ି ଅଭିଷେକ ନୀତି ଆରମ୍ଭ ହୋଇଥିଲା। ଅଧିବାସ ହୋଇ ରହିଥିବା ୧୦୮ ଗରା ଘିଅ ମିଶ୍ରିତ ଜଳରେ ଅଭିଷେକ ନୀତି କରାଯାଇଥିଲା। ଏହା ପରେ ସର୍ବାଙ୍ଗ ନୀତି ହୋଇଥିଲା। ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ବିଜେ ହୋଇ ମହାଲକ୍ଷ୍ମୀ ମନ୍ଦିର ଜଗମୋହନକୁ ବିଜେ କରିଥିଲେ। ସେଠାରେ ଶ୍ରୀଦେବୀଙ୍କ ମାଜଣା, ବନକଲାଗି ଏବଂ ବେଶ କରାଯାଇଥିଲା। ଶ୍ରୀମନ୍ଦିରରେ ଠାକୁରଙ୍କ ସୁବର୍ଣ୍ଣ ବେଶ ହୋଇଥିଲା। ତିନିଠାକୁର ସୁବର୍ଣ୍ଣ କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡକାନି, ଚନ୍ଦ୍ର ସୂର୍ଯ୍ୟ , ସେବତୀ ମାଳି, ଘାଗଡା ମାଳି, ମକର କୁଣ୍ଡଳ, ବାଘନଖି ପରି ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥିଲେ। ଜଗନ୍ନାଥ ମହାପ୍ରଭୁ ସୁବର୍ଣ୍ଣ ଚକ୍ର, ରୂପା ଶଙ୍ଖ, ବଳଭଦ୍ର ସୁବର୍ଣ୍ଣ ହଳ ମୂଷଳ ଧାରଣ କରିଥିଲେ। ଭୋଗ ସମୟରେ ଭିତରଚ୍ଛ ମହାପାତ୍ର ଲକ୍ଷ୍ମଣ ରୂପରେ ଦଣ୍ଡଛତ୍ର ଧାରଣ କରିଥିବା ବେଳେ ହନୁମାନ ରୂପରେ ଜଣେ ପାଳିଆ ମେକାପ ଦଣ୍ଡଛତ୍ର ମୂଳକୁ ଧାରଣ କରିଥିଲେ। ଏହି ବେଶରେ ମହାପ୍ରଭୁ ଫୁଲ ଧନୁଶର ଧାରଣ କରିଥିଲେ। ଏହାପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ସମ୍ପନ୍ନ ହୋଇଥିଲା। ପୌରାଣିକ ତଥ୍ୟ ଅନୁଯାୟୀ, ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷ ପୂର୍ଣ୍ଣିମା ତିଥିରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପ୍ରତିବର୍ଷ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ଅଭିଷେକ ଉତ୍ସବ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    34 %
    1.1kmh
    0 %
    Thu
    43 °
    Fri
    43 °
    Sat
    44 °
    Sun
    44 °
    Mon
    44 °

    ସମ୍ବନ୍ଧିତ