Monday, April 20, 2026
39.1 C
Odisha

    ସ୍ବପ୍ନରେ ରହିଗଲା ‘ଡିଜିଟାଲ୍‌ ହବ୍’: ଓଡ଼ିଶା ଆଖେଇଛି, ହାତେଇନେବ ପଶ୍ଚିମବଙ୍ଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୨୦୨୫ ସୁଦ୍ଧା ଓଡ଼ିଶାକୁ ଡିଜିଟାଲ୍‌ ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍‌-୨୦୨୨ରେ ବିଭିନ୍ନ କମ୍ପାନି ସହ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ଆଇଟି/ଆଇଟିଇଏସ୍, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର୍, ଡାଟା ସେଣ୍ଟର୍ କ୍ଷେତ୍ରର ଅଧିକ କମ୍ପାନି ଯେପରି ଓଡ଼ିଶାମୁହାଁ ହେବେ ସେଥିପାଇଁ ପୁରୀ ସମୁଦ୍ରରେ ଏକ କେବଲ୍ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ରେଲ୍‌ଟେଲ୍‌ ସହ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା। ବିଡ଼ମ୍ବନାର ବିଷୟ ୩ବର୍ଷ ମଧ୍ୟରେ ଡିପିଆର୍ ଚୂଡ଼ାନ୍ତ ହୋଇପାରିଲାନି। ଏପଟେ ୨୦୨୫ରେ ପୁଣି ଉତ୍କର୍ଷ ଓଡ଼ିଶା: ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ୍‌ରେ ରାଜ୍ୟ ସରକାର ଓଡ଼ିଶାକୁ ପୂର୍ବ ଭାରତର ଡିଜିଟାଲ ହବ୍ କରିବାର ସ୍ବପ୍ନ ଦେଖାଇଛନ୍ତି। ଆଉ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ୨୦,୯୦୦କୋଟି ଟଙ୍କାର ନିବେଶ ନେଇ ପ୍ରତିଶ୍ରୁତି ମିଳିଛି ବୋଲି କହିଛନ୍ତି। କିନ୍ତୁ ଓଡ଼ିଶା ସରକାରଙ୍କ ତୁଳନାରେ ପଶ୍ଚିମବଙ୍ଗର ଏନେଇ ପ୍ରସ୍ତୁତି ଓ ଭିତ୍ତିଭୂମି ଦେଖି ଅନୁଭବ ହେଲାଣି ଯେ ପୂର୍ବ ଭାରତର ଡିଜିଟାଲ୍ ହବ୍ ହେବା ନେଇ ଓଡ଼ିଶା ଦେଖୁଥିବା ସ୍ବପ୍ନକୁ ପଶ୍ଚିମବଙ୍ଗ ଚୁରମାର୍ କରିଦେବ।

    ଓଡ଼ିଶାରେ ଏଆଇ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ, ଟେକ୍ ବିଜନେସ୍ ପାର୍କ, ଆଇଟି କ୍ଲଷ୍ଟର୍ସ, ଜିସିସି ପାର୍କ୍ସ ଏବଂ ଫିନ୍‌ଟେକ୍ ହବ୍ ସ୍ଥାପନ କରି ପୂର୍ବ ଭାରତର ଡିଜିଟାଲ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବିଭିନ୍ନ ଆଇଟି, ସଫ୍ଟ‌ୱେର, ସେମିକଣ୍ଡକ୍ଟର କମ୍ପାନି ଏବଂ ଏହି ସମ୍ପର୍କିତ କମ୍ପାନିକୁ ଓଡ଼ିଶାରେ ନିବେଶ କରିବାକୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଉଛି। ଏପରିକି ମୋଟ୍ ପୁଞ୍ଜି ନିବେଶ ଉପରେ ସବ୍‌ସିଡି, ସୁବିଧାରେ ଜମି, ବିଦ୍ୟୁତ୍ ବିଲ୍‌ ଛାଡ଼ ଠାରୁ ବହୁ ସୁବିଧା ମିଳିବ ବୋଲି କୁହାଯାଇଛି। କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟ ବି ଏହି ସବୁ ସୁବିଧା ଦେଉଛନ୍ତି। ହେଲେ ଟେକ୍ ବିଜନେସ୍ ପାର୍କ, ଆଇଟି କ୍ଲଷ୍ଟର୍ସ, ଜିସିସି ପାର୍କ୍ସ ଏବଂ ଫିନ୍‌ଟେକ୍ ହବ୍ ଆଦି ପାଇଁ ସବୁଠୁ ବଡ଼ ଆବଶ୍ୟକତା ହେଉଛି ଦ୍ରୁତ ଗତିର ନିରନ୍ତର ଇଣ୍ଟରନେଟ୍ ସେବା ଏବଂ ଡାଟା ଟ୍ରାନ୍ସଫରିଂ ସିଗନାଲ୍‌ ସିଷ୍ଟମ ନିକଟସ୍ଥ କେବଲ ଲ୍ୟାଣ୍ଡିଂ ଷ୍ଟେସନରୁ କାର୍ଯ୍ୟକ୍ଷମ ହେବା ଦରକାର। ଏହା ସମ୍ଭବ କେବଳ କେବଲ୍ ଲ୍ୟାଣ୍ଡିଂ ଷ୍ଟେସନ ମାଧ୍ୟମରେ। ଯାହା ରାଜ୍ୟରେ ସୁଯୋଗ ନାହିଁ। କେବଳ ଏତିକି ନୁହେଁ ବିଦେଶୀ କମ୍ପାନି ଓଡ଼ିଶା ମୁହାଁ ହେବାକୁ ହେ‌େଲ ସେମାନଙ୍କୁ ସେମାନଙ୍କ ଦେଶ ଭଳି କିମ୍ବା ତା’ଠାରୁ ଉନ୍ନତମାନର ସେବା ମିଳିବା ଦରକାର। ସମୁଦ୍ର କୂଳରେ ଥିବା ଓଡ଼ିଶା ଏହାର ଫାଇଦା ନେବା ପାଇଁ ଦୀର୍ଘ ବର୍ଷ କାଳ ଯୋଜନା କରୁଛି। ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିପାରୁନି। ଯାହାର ଫାଇଦା ଏବେ ପଶ୍ଚିମବଙ୍ଗ ଉଠାଇବାକୁ ବସିଛି। ଓଡ଼ିଶାକୁ ପୂର୍ବ ଭାରତର ଡିଜିଟାଲ ହବ୍ କରିବା ପାଇଁ ଯେଉଁ ଡେଙ୍ଗୁରା କେନ୍ଦ୍ର ଓ ରାଜ୍ୟ ସରକାର ପିଟୁଛନ୍ତି ତାହାକୁ ଏବେ ପଶ୍ଚିମବଙ୍ଗ ସରକାର ଚୁରମାର୍ କରିବାକୁ ବସି‌ଲାଣି। କାରଣ ଓଡ଼ିଶା ଭଳି ସମସ୍ତ ସୁବିଧା ସୁଯୋଗ ବିଭିନ୍ନ ଆଇଟି, ସଫ୍ଟୱେର, ଫିନଟେକ୍, ସେମିକଣ୍ଡକ୍ଟର କମ୍ପାନିକୁ ପଶ୍ଚିମବଙ୍ଗ ଯୋଗାଇ ଦେଉଛି। ଏହାସହ ଦୀଘା ସମୁଦ୍ରରେ ନିର୍ମାଣ ହେଉଥିବା କେବଲ୍ ଲ୍ୟାଣ୍ଡିଂ ଷ୍ଟେସନକୁ ୨୦୨୬ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଘୋଷଣା କରିଛନ୍ତି। ଏହି କାମ ଏବେ ଜୋରସୋର୍‌ରେ ଚାଲିଛି। ଏହାକୁ ଦେଖି ଏବେ ବିଦେଶର ବହୁ ଅନ୍ତଃରା‌ଷ୍ଟ୍ରୀୟ କମ୍ପାନି ଆଇଟି, ସଫ୍ଟୱେର, ଫିନଟେକ୍, ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ନିବେଶ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ସହ ଏମ୍‌ଓୟୁ ସ୍ବାକ୍ଷର କରିଲେଣି। ତେଣୁ ଯେଉଁ କମ୍ପାନି ପୂର୍ବ ଭାରତରେ ପଶ୍ଚିମବଙ୍ଗରେ ନିବେଶ କରିବେ ସେମାନେ କାହିଁକି ପୁଣି ଓଡ଼ିଶାରେ ନିବେଶ କରିବେ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ।

    ପୂର୍ବ ଭାରତରେ କେବଲ୍ ଲ୍ୟାଣ୍ଡିଂ ଷ୍ଟେସନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହାର ବଡ଼ କାରଣ ହେଲା, ଦେଶର ୫ଟି ସହର (ମୁମ୍ବାଇ, ଚେନ୍ନାଇ, କୋଚିନ୍, ଟୁଟିକୋରିନ୍ ଓ ତିରୁଅନନ୍ତପୁରମ୍‌)ର ମୋଟ୍ ୧୪ଟି ସ୍ଥାନରେ ସମୁଦ୍ର ଭିତରେ କେବଲ୍ ଲ୍ୟାଣ୍ଡିଂ ଷ୍ଟେସନ ରହିଛି। ପୁରୀ କିମ୍ବା ଦୀଘା ଏହି ତାଲିକାରେ ଯୋଡ଼ି ହେଲେ ଷଷ୍ଠ ସହର ମାନ୍ୟତା ପାଇବେ। ଯେଉଁ ରାଜ୍ୟ ଆଗ ପ୍ରକଳ୍ପ କରିବ ସେହି ରାଜ୍ୟ ହିଁ ନିବେଶକଙ୍କୁ ଟାଣିବ। ରାଜ୍ୟ ସରକାର ଯୋଜନା କରିଛନ୍ତି ଯେ ପୁରୀରେ କେବଲ୍‌ ଲ୍ୟାଣ୍ଡିଂ ଷ୍ଟେସନ କଲେ ଓଡ଼ିଶା ସିଙ୍ଗାପୁର, ମାଲେସିଆ ସହ ସିଧାସଳଖ ଡାଟା ସେଣ୍ଟର ଓ ଫିନଟେକ୍ ସମ୍ପର୍କିତ ବ୍ୟବସାୟ କରିପାରିବ। ସ୍ଥଳ ଭାଗରେ ସାରା ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଆସାମ, ଉତ୍ତରପ୍ରଦେଶର ପୂର୍ବାଞ୍ଚଳ; ଏପରିକି ଉତ୍ତର-ପୂର୍ବ ଭାରତର ସମସ୍ତ ରାଜ୍ୟ ସହିତ ଯୋଡ଼ି ହୋଇପାରିବ। ବାଂଲାଦେଶ, ମିଆଁମାର, ଭୂଟାନ, ନେପାଳ ଭଳି ଦେଶ ମଧ୍ୟ ଏଠାରୁ ଡାଟା ସଂଯୋଗ ନେଇ ବ୍ୟବସାୟ କରିପାରିବେ। କିନ୍ତୁ ପଶ୍ଚିମବଙ୍ଗ ଯଦି ଆଗ ‌େକବଲ୍ ଲ୍ୟାଣ୍ଡିଂ ଷ୍ଟେସନ କରିବ ତେବେ ଓଡ଼ିଶା ଯେଉଁ ବଜାରକୁ ଆଖେଇଛି ତାକୁ ପଶ୍ଚିମବଙ୍ଗ ହାତେଇ ନେବ। ଏହାପରେ ଓଡ଼ିଶାରେ ନିବେଶ କରିବାକୁ ଫିନଟେକ୍, ସଫ୍ଟୱେର, ସେମି କଣ୍ଡକ୍ଟର କମ୍ପାନିଗୁଡ଼ିକ ଆଗ୍ରହ ନଦେଖାଇବାର ଆଶଙ୍କା ଉପୁଜିଲାଣି।

    ଅପରପକ୍ଷେ ଏନେଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ରେଲଟେଲ୍‌ ଡିପିଆର୍ ପ୍ରସ୍ତୁତ କରିବାକୁ ବହୁତ ସମୟ ନେଲା। ନିକଟରେ ଏକ ଡିପିଆର୍ ଦାଖଲ କରିଛି। ହେଲେ ଏହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନି। ତେଣୁ ଡିପିଆର୍ ଚୂଡ଼ାନ୍ତ ହେଲେ ଏଥିପାଇଁ ରାଜ୍ୟ ସରକାର ଅର୍ଥ ବରାଦ କରିବା ସହ କେଉଁ ସଂସ୍ଥା କାର୍ଯ୍ୟ କରିବ ସେନେଇ ‌ପ୍ରକ୍ରିୟା ଆରମ୍ଭ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.1 ° C
    39.1 °
    39.1 °
    19 %
    4.4kmh
    1 %
    Mon
    43 °
    Tue
    43 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ