ଆମ ହିନ୍ଦୁ ଧର୍ମ ଅନୁସାରେ ୩୩ କୋଟି ଦେବାଦେବୀ ରହିଛନ୍ତି । ଅନେକ ସ୍ଥାନରେ ଭିନ୍ନ ଭିନ୍ନ ମନ୍ଦିର ରହିଛି । ପ୍ରତ୍ୟେକ ସ୍ଥାନରେ ଥିବା ମନ୍ଦିରଗୁଡିକ ସହିତ ଅନେକ ରହସ୍ୟ ଜଡିତ ହୋଇ ରହିଥାଏ । ଯାହା ସମସ୍ତଙ୍କ ବିଶ୍ବାସକୁ ବଢାଇ ଦେଇଥାଏ । ସେହି ସବୁ ମଧ୍ୟରୁ ମଧ୍ୟପ୍ରଦେଶର ଖଜୁରାହୋ ସ୍ଥିତ ମାତଙ୍ଗେଶ୍ବର ମହାଦେବ ମନ୍ଦିର ଅନ୍ୟତମ ।
ଏହି ମାତଙ୍ଗେଶ୍ବର ମହାଦେବ ମନ୍ଦିର ତା’ର ମହିମା ଏବଂ ରହସ୍ୟ ପାଇଁ ପ୍ରଚଳିତ । ଏହି ମନ୍ଦିର ସହିତ ଜଡିତ ଥିବା ରହସ୍ୟ ଖୁବ୍ ଆଶ୍ଚର୍ଯ୍ୟକର ଏବଂ ରହସ୍ୟମୟ । ଏହି ସ୍ଥାନର ରହସ୍ୟ ନିଆରା । ଏଠାରେ ପୂଜା ପାଉଥିବା ଶିବଲିଙ୍ଗଙ୍କ ଉପରେ ଜଳ କିମ୍ବା କ୍ଷୀର ଚଢାଇବା ମାତ୍ରେ ତାହା ଅଦୃଶ୍ୟ ହୋଇଯାଇଥାଏ । ଏପରି ଦୃଶ୍ୟ ସମସ୍ତଙ୍କୁ ଭାବପ୍ରବଣ କରିଦେଇଥାଏ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଶିବଲିଙ୍ଗର ଆଖପାଖରେ ଜଳ ନିଷ୍କାସନ ହେବାକୁ କୌଣସି ରାସ୍ତା ନଥିବା ସତ୍ତ୍ୱେ ଗୋଟିଏ ଟୋପା ଜଳ ବୁନ୍ଦା ମଧ୍ୟ ସେଠାରେ ରହିନଥାଏ । ତେଣୁ ମନରେ ପ୍ରଶ୍ନ ଆସେ କିପରି ଜଳ କିମ୍ବା କ୍ଷୀର ଅଦୃଶ୍ୟ ହେଉଛି । ଯାହା ହେଉଛି ମନ୍ଦିରର ବଡ ରହସ୍ୟ ।ଅନେକ ଚେଷ୍ଟା ପରେ ମଧ୍ୟ ବୈଜ୍ଞାନିକମାନେ ଏହାର ରହସ୍ୟକୁ ବୁଝିପାରିନାହାଁନ୍ତି ।
ଏଥିସହିତ ଏହି ରହସ୍ୟମୟୀ ମନ୍ଦିରକୁ ଲୋକ ପ୍ରତ୍ୟେକ ଦିନ ଜଳ କିମ୍ବା କ୍ଷୀର ନେଇ ଆସିଥାଆନ୍ତି ଏବଂ କିଛି ବିଶେଷ ଅନୁଭୂତି ଅନୁଭବ କରିଥାଆନ୍ତି । ଏହା କେବଳ ଧାର୍ମିକ ସ୍ଥଳ ନୁହେଁ ବରଂ ଏହା ଏକ ରହସ୍ୟମୟ ଏବଂ ଭଗବାନଙ୍କୁ ଅନୁଭବ କରିବାର ଏକ ଜାଗା । ଯେଉଁଠିକୁ ଲୋକେ ବିଭିନ୍ନ ପ୍ରଶ୍ନ ନେଇକି ଆସନ୍ତି ଏବଂ ଉତ୍ତର ପାଇ ଫେରିଯାଆନ୍ତି । ପିଢି ପରେ ପିଢି ଏହାକୁ ବିଶ୍ବାସ କରିଆସୁଛନ୍ତି ।
ହିନ୍ଦୁ ଧର୍ମ କୌଣସି ଅନ୍ଧବିଶ୍ବାସକୁ ସମର୍ଥନ କରେ ନାହିଁ । ପ୍ରକୃତ ନିଷ୍ଠାରେ ଆସିଲେ ଏହି ମନ୍ଦିର ଅନେକ କଥା ଅନୁଭବ କରାଇବା ଶିଖାଇଥାଏ । ଯେତେବେଳେ କେହି କିଛି ଦାନ କରିଥାଆନ୍ତି ତାହା ହୃଦୟରୁ ଦିଆଯାଇଥାଏ ତାହା କେବେ ନଷ୍ଟ ହୋଇଯାଇନଥାଏ । ଶିବଙ୍କୁ ପାଇବାକୁ ହେଲେ କୌଣସି ସିଦ୍ଧତାର ଆବଶ୍ୟକତା ନାହିଁ । କାହିଁକିନା ଭଗବାନ ଶିବ ଅଳ୍ପକେ ସନ୍ତୁଷ୍ଟ ହୋଇଯାଆନ୍ତି ।
କେତେକ ଲୋକ ଶିବଲିଙ୍ଗଙ୍କୁ ଦେଖି ଏହା ଭାବନ୍ତି ଯେ, ଏହା କାହାର ପ୍ରତୀକ । କିନ୍ତୁ ଯେଉଁମାନେ ଦୁଃଖ କଷ୍ଟ ପରେ ମଧ୍ୟ ନତମସ୍ତକ ହେବା ଶିଖିଥାଆନ୍ତି ସେମାନଙ୍କ ପାଇଁ ଏହି ଶିବଲିଙ୍ଗ କାହାର ପ୍ରତୀକ ହୋଇନଥାନ୍ତି । ଏହି ଲିଙ୍ଗ ନିଜର ହିଁ ଅସ୍ତିତ୍ବ । ଯିଏ ଆକାରହୀନ ଚେତନା ।
