ସୋର: ଘରପୋଡ଼ିରେ ଜଳିଗଲା ଧାନବିକ୍ରି ଟଙ୍କା । ଅଗ୍ନିକାଣ୍ଡ ଘଟି ବସ୍ତା ବସ୍ତା ଧାନ ଚାଉଳ, ଆସବାବପତ୍ର ଓ ସୁନା ଗହଣା ସହ ଜଳିଗଲା ଧାନ ବିକ୍ରି ଟଙ୍କା । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ସୋମନାଥପୁରର ଗୟାଧର ସ୍ୱାଇଁଙ୍କ ଘରେ ନିଆଁ ଲାଗି ସବୁ କିଛି ଜଳି ଯାଇଛି। ବିଳମ୍ବିତ ରାତିରେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁ ଚାହୁଁ ଚାହୁଁ ୪ ବଖରା ଘରକୁ ସଂପୂର୍ଣ୍ଣ ଜାଳି ଦେଇଥିଲା।
ଘରେ ରଖିଥିବା ଧାନ ଚାଉଳ,ଆସବାବପତ୍ର, ଗହଣା ସମେତ ୨ ଦିନ ପୂର୍ବରୁ ବ୍ୟାଙ୍କରୁ ଲୋନ ଆଣିଥିବା ୫୦ ହଜାର ଏବଂ ଧାନ ବିକ୍ରି କରି ରଖିଥିବା ୩୨ ହଜାର ଟଙ୍କା ଜଳିପୋଡି ପାଉଁଶ ହୋଇଯାଇଛି । ସ୍ଥାନୀୟଲୋକେ ନିଆଁକୁ ଆୟତ୍ତ କରିବାକୁ ଯାଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା । ଏବେ ବ୍ୟାଙ୍କ ଋଣ ଟଙ୍କା କେମିତି ସୁଝିବେ ତାକୁ ନେଇ ଚିନ୍ତାରେ ପରିବାର। ଖଟି ଖଟି ଯାହା କିଛି ସଂଚୟ କରିଥିଲେ ସବୁତକ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି।
