ଅନୁଗୋଳ : ଅନୁଗୋଳ ରିଜର୍ଭ ପୋଲିସ ପଡ଼ିଆଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୬୭ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଦେଶର ସୁରକ୍ଷା, ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା କରିବାକୁ ଯାଇ ନିଜ ଜୀବନ ଉତ୍ସର୍ଗ କରିଥିବା ଅମର ଶହୀଦଙ୍କ ସ୍ମୃତିରେ ଏକ ଭବ୍ୟ ଶହୀଦ ପରେଡ୍ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡ୍ର ଅଭିବାଦନ ଗ୍ରହଣ କରିବା ସହ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ ଅବସରରେ ଡିଆଇଜି ସହିଦ ଦିବସର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦାଖର ହଟ୍ ସ୍ପ୍ରିଙ୍ଗ୍ଠାରେ ଡିସିଆଇଓ ପୁରନ ସିଂହଙ୍କ ନେତୃତ୍ୱରେ ପାଟ୍ରୋଲିଂ କରୁଥିବା ସିଆରପିଏଫ୍ ଦଳ ଉପରେ ଚୀନ ସେନା ଦ୍ୱାରା ଅତର୍କିତ ଆକ୍ରମଣ ହୋଇଥିଲା। ଏଥିରେ ୧୦ ଜଣ ବୀର ସିଆରପିଏଫ୍ ଯବାନ ଦେଶର ସୁରକ୍ଷା ପାଇଁ ନିଜ ଜୀବନ ଆହୁତି ଦେଇଥିଲେ। ସେହି ଅମର ବଳିଦାନକୁ ସ୍ମରଣ କରି ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖକୁ ସମଗ୍ର ଦେଶରେ ପୋଲିସ ସହିଦ ଦିବସ ଭାବେ ପାଳନ କରାଯାଉଛି।
ଚଳିତ ବର୍ଷ ସମଗ୍ର ଦେଶରେ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ପୋଲିସ ବଳକୁ ମିଶାଇ ସର୍ବମୋଟ ୧୫୪ ଜଣ ଯବାନ କର୍ତ୍ତବ୍ୟରତ ଅବସ୍ଥାରେ ଶହୀଦ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥା ଓ କୌଶଳରେ ଉନ୍ନତି ଯୋଗୁଁ ବିଗତ ବର୍ଷ ତୁଳନାରେ ଶହୀଦଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ଆଗାମୀ ଦିନରେ ଏହି ସଂଖ୍ୟାକୁ ଶୂନରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରହିଛି। ଜିଲ୍ଲାରେ ଉଲ୍ଲେଖନୀୟ ଓ ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥିବା ପୋଲିସ କର୍ମଚାରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି ଯେ, ଭଲ କାମ କରିଥିବା ପ୍ରାୟ ୭ ଜଣ ହୋମଗାର୍ଡ ଏବଂ ୫ ଜଣ କନଷ୍ଟେବଲ ଓ ହାବିଲଦାରଙ୍କୁ ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଛି ।
