ଭୁବନେଶ୍ବର : ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଖ୍ୟାତି ବଢ଼ାଇଲେ ଜଣେ ଓଡ଼ିଆ ମହିଳା । ଆମେରିକା ଫ୍ଲୋରିଡାର ଜ୍ୟାକସନଭିଲା ଠାରେ ଅନୁଷ୍ଠିତ ପ୍ରତିଯୋଗିତରେ ନିଜ ପାରଦର୍ଶିତା ଦେଖାଇ ଉମା ‘ଆଇରନ୍ ଓମ୍ୟାନ୍’ ଟାଇଟଲ୍ ହାସଲ କରିଛନ୍ତି ।
ଚାଳିଶ ବର୍ଷ ବୟସ୍କା ଉମା ୩.୮ କିଲୋମିଟର ସନ୍ତରଣ, ୧୮୦ କିଲୋମିଟର ସାଇକେଲ ଚାଳନା ଏବଂ ୪୨ କିଲୋମିଟର ଦୌଡ଼ରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଥିଲେ । ଏସବୁ ପ୍ରତିଯୋଗିତାକୁ ସେ ୧୬ ଘଣ୍ଟା ୫୩ ମିନିଟ୍ ୧୬ ସେକେଣ୍ଡେରେ ଶେଷ କରିଥିଲେ । ଏହି ପ୍ରତିଯୋଗିତା ଅତ୍ୟନ୍ତ କଠିନ ଥିଲା । ତେବେ ପ୍ରବଳ ଇଚ୍ଛା ଶକ୍ତି ଓ ସଂଘର୍ଷ ଜରିଆରେ ସେ ପ୍ରତିଯୋଗିତା ଜିତି ‘ଲୌହ ମାନବୀ’ର ଟାଇଟଲ୍ ଜିତିଛନ୍ତି ।
ଉମାଙ୍କ ନିଜ ଘର ହେଉଛି କଟକ କଲରାବାଙ୍କ ଗାଁରେ । ତାଙ୍କ ବାପା ମାଆ ଭୁବନେଶ୍ବର ପ୍ରଶାନ୍ତି ବିହାରରେ ରହୁଛନ୍ତି । ଉମା ଭୁବନେଶ୍ବର ୟୁନିଟ୍-୮ ଡିଏଭି ସ୍କୁଲର ଛାତ୍ରୀ । ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ମଧ୍ୟ । ଇନଫୋସିସରେ ଚାକିରି ପରେ ଏବେ ସେ ଆମେରିକାର ଫ୍ଳୋରିଡାରେ ରହୁଛନ୍ତି । ତାଙ୍କ ସଫଳତା ପାଇଁ ସ୍ବାମୀ ବିଶ୍ବଜିତ୍ ମିଶ୍ର ଏବଂ ୯ ବର୍ଷର ପୁଅ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବିଭିନ୍ନ ମହଲରୁ ଉମାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ଏହି ଟାଇଟଲ୍ ଜିତି ସେ ଓଡ଼ିଶାକୁ ଗର୍ବିତ କରି ପାରିଥିବାରୁ ବହୁତ ଖୁସି ବୋଲି କେନ୍ୟୁଜକୁ ଉମା କହିଛନ୍ତି ।
