ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାସ୍ତା ଉପରେ ନମାଜ ପାଠକୁ ନେଇ ବଡ଼ ବୟାନ ଦେଇଛନ୍ତି । ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ରାସ୍ତା ଚାଲିବା ପାଇଁ ହୋଇଛି, ନାଟକ ପାଇଁ ନୁହେଁ । ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି, ଭଲରେ ଭଲରେ ମାନିଗଲେ ଠିକ୍ ଅଛି, ନଚେତ ଅନ୍ୟ ବାଟ ଅଛି । ଯଦି ଜାଗା ଛୋଟ ହେଉଛି ତେବେ ଶିଫ୍ଟରେ ନମାଜ ପଢ଼ିବା ଦରକାର, ଆମେ ରୋକିବୁ ନାହିଁ । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ଯେ, ଯଦି ସାମର୍ଥ୍ୟ ନାହିଁ, ତେବେ କାହଁକି ସଂଖ୍ୟା ବଢାଉଛ । ଆଇନ ସମସ୍ତଙ୍କ ସମାନ ଏବଂ ସାର୍ବଜାନୀନ ରାସ୍ତା ଉପରେ ଅରାଜକତା ସୃଷ୍ଟି କରୁଥିବା ଲୋକଙ୍କ ବିରୁଦ୍ଧରେ ସରକାର ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ।
ସରକାରଙ୍କ ନିୟମ ସାର୍ବଭୌମ । ସରକାର ପ୍ରଥମେ ଲୋକଙ୍କୁ ବୁଝାଇବେ, ସେମାନଙ୍କୁ ଆଇନର ବାଟ ଦେଖାଯିବ । ଆଇନର ଭାଷା ନ ବୁଝେ ତେବେ ତାଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନିଆଯିବ । ରାସ୍ତାରେ ବାଧା ସୃଷ୍ଟି କରିବାକୁ ଦିଆଯିବ ନାହିଁ । ଆମ କାମ ହେଉଛି ସମ୍ୱାଦ ସ୍ଥାପନ କରିବା । ଆପଣ ସମ୍ୱାଦରେ ନ ମାନିଲେ ସଂଘର୍ଷରେ ଦେଖାଯିବ । ବରେଲିରେ ଲୋକମାନେ ସଂଘର୍ଷକୁ ବାଛିଥିଲେ ।
