କେନ୍ଦ୍ରାପଡ଼ା : ଆଜିଠୁ ଚିଲିକାରେ ପକ୍ଷୀ ଗଣନା । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ପକ୍ଷୀ ଗଣନା ହେବ । ଗଣନା ସମୟରେ ଚିଲିକାରେ ମତ୍ସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ବାରଣ କରାଯାଇଛି । ପକ୍ଷୀ ଗଣନା କାର୍ଯ୍ୟରେ ମୋଟ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ୧୮ଟି ଗଣନାକାରୀ ଦଳ ଚିଲିକା ଜଳରାଶିରେ ଓ ୩ଟି ଟିମ୍ ଚିଲିକା ତଟବର୍ତ୍ତୀ ସ୍ଥଳ ଭାଗରେ ଗଣନା କରୁଛନ୍ତି । ଟାଙ୍ଗୀ ରେଞ୍ଜ ଅଧୀନରେ ମୋଟ ୮ଟି ଗଣନାକାରୀ ଦଳ ରହିଛନ୍ତି ।ଏହାସହ ମଙ୍ଗଳାଯୋଡିରେ ମଧ୍ୟ ପକ୍ଷୀ ଗଣନା ଚାଲିଛି । ଗଣନା ସମୟରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଗଣନା କାର୍ଯ୍ୟ ସରିବା ପରେ ବୁଲିପାରିବେ ପର୍ଯ୍ୟଟକ । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ୫ଟି ରେଞ୍ଜ ତଥା ସାତପଡା, ଚିଲିକା, ବାଲୁଗାଁ, ଟାଙ୍ଗୀ ଓ ରମ୍ଭାରେ ଗଣନା କରାଯାଉଛି। ପ୍ରତିବର୍ଷ ଭଳି ଗଣନା କାର୍ଯ୍ୟରେ ଜିପିଏସ୍, ବାଇନାକୁଲାର, ସ୍ପୋର୍ଟିଂ ସ୍କୋପ, ୱାକିଟକି ଇତ୍ୟାଦି ଯୋଗାଇ ଦିଆଯାଇଛି । ୨୦୨୪ରେ ଚିଲିକାକୁ ୧୮୭ ପ୍ରଜାତିର ୧୧ଲକ୍ଷ ୩୭ ହଜାର ପକ୍ଷୀ ଆସିଥିଲେ । ୨୦୨୩ରେ ୧୮୪ ପ୍ରଜାତିର ୧୧ଲକ୍ଷ ୩୧ ହଜାର ପକ୍ଷୀ ଆସିଥିଲେ । ସେହିପରି ବ୍ରହ୍ମଗିରି ରେଞ୍ଜରେ ସକାଳ ସାଢ଼େ ୫ଟାରୁ ଗଣନା କରାଯାଉଛି । ୪ଟି ଜୋନରେ ଚାଲିଛି ପକ୍ଷୀ ଗଣନା । ପ୍ରତି ଜୋନରେ ୩ଜଣ ଲେଖାଏଁ କରି ମୋଟ ୧୨ଜଣ ସାମିଲ ହୋଇଛନ୍ତି ।ଅନ୍ୟପଟେ ଭିତରକନିକାରେ ବି ଚାଲିଛି ବିଦେଶା ଗତ ପକ୍ଷୀ ଗଣନା । ୧୮ଟି ଟିମ୍ ଏହି ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି । ପ୍ରତି ଟିମ୍ ରେ ୪ରୁ ୫ ଜଣ ପକ୍ଷୀ ବିଶାରଦ ଙ୍କ ସହିତ ବନକର୍ମଚାରୀ ସାମିଲ୍ ଅଛନ୍ତି । ରାଜନଗର ବନଖଣ୍ଡର ରାଜନଗର,କନିକା, ଗହୀରମଥା, ମହାକାଳପଡ଼ା ଓ କୁଜଙ୍ଗ ୫ଟି ରେଞ୍ଜରେ ଗଣନା କାର୍ଯ୍ୟ ଚାଲିଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।