Monday, October 19, 2026
21.9 C
Odisha

    ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା: ଫରେନସିକ ଲାବ୍ରୋଟାରି ରିପୋର୍ଟରେ ଉଲ୍ଲେଖ, ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳି

    ଆଗକୁ ପଢନ୍ତୁ

    ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ନବ ଦାସଙ୍କୁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼। ରାଜ୍ୟ ଫରେନ୍‌ସିକ୍‌ ସାଇନ୍ସ ଲାବ୍ରୋଟାରି ରିପୋର୍ଟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଘଟଣା ସମୟରେ କେବଳ ଗୋପାଳ ଦାସର ବନ୍ଧୁକରୁ ନୁହେଁ ବରଂ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଥିବା କଥା ସ୍ପଷ୍ଟ ହୋଇଛି। ଯାହାକି ଏବେ ଘଟଣାକୁ ନେଇ ସସପେନ୍ସ ବଢ଼ାଇ ଦେଇଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍‌ ଓ ଏସ୍‌ଏଫ୍‌ଏସ୍‌ଏଲ୍‌ର ରିପୋର୍ଟ ଅନୁସାରେ ୨୦୨୩ ମସିହା ଜାନୁଆରି ୨୯ ତାରିଖରେ ନବ ଦାସଙ୍କର ୨ଟି ଗାଡ଼ି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇଥିଲା। ପ୍ରଥମ ଗାଡ଼ି(ଓଡି ୧୫ ୟୁ ୬୧୯୭)ରେ ଖୋଦ୍‌ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବସିଥିବା ବେଳେ ଦ୍ବିତୀୟ ଗାଡ଼ି(ଓଡି ୧୫ ଟି ୦୧୮୩)ରେ ତାଙ୍କର ସହ‌ଯୋଗୀମାନେ ବସିଥିଲେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍‌ ଫର୍ମରେ ଗୋପାଳ ଦାସ ନିକଟରୁ ୧୮ଟି ଗୁଳିଥିବା ଏକ ମାଗାଜିନ୍‌, ୩ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ କରାଯାଇଥିଲା ବୋଲି ଲେଖାଯାଇଛି।

    ଏହାସହିତ ଗୋଟିଏ ଗୁଳି ସେ ଆକାଶରେ ଫୁଟାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ଅର୍ଥାତ୍‌ ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳିରୁ ୩ଟି ଜୀବନ୍ତ ଅବସ୍ଥାରେ ଜବତ ହୋଇଥିବା ବେଳେ ବଳକା ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ, ଗୋଟିଏ ଅକାମୀ ଓ ଗୋଟିଏ ଆକାଶକୁ ମରାଯାଇଥିଲା। କିନ୍ତୁ ଏସ୍‌ଏଫ୍‌ଏସ୍‌ଏଲ୍‌ର ରିପୋର୍ଟରେ ଏକ ଭିନ୍ନ କଥା ଉଲ୍ଲେଖ ଅଛି। ଦ୍ବିତୀୟ ଗାଡ଼ି ଯାହା ଏକ ଧଳା ରଙ୍ଗର ଇନୋଭା କାର୍‌ ଥିଲା ଉକ୍ତ କାର୍‌ର ସମ୍ମୁଖ ପାର୍ଶ୍ବରେ ‘ଓଡ଼ିଶା ସରକାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ’ ବୋଲି ଉଲ୍ଲେଖ ରହିଥିଲା। ୨୦୨୩ ମସିହା ଫେବ୍ରୁଆରି ୨ ତାରିଖ ସକାଳ ୯ଟା ସମୟରେ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ଯାଞ୍ଚ ସମୟରେ ଏହି ଦ୍ବିତୀୟ ଗାଡ଼ିରେ ୫ଟି ଗନ୍‌ ସଟ୍‌ ହୋଲ୍‌ ଅର୍ଥାତ୍‌ ଗୁଳି ଦ୍ବାରା ହୋଇଥିବା କଣା ମିଳିଥିଲା। କାରର ବାମ ପାର୍ଶ୍ବରେ ଏହି ୫ଟି ଯାକ ଗୁଳି ବାଜିଥିଲେ ହେଁ ଏହି ଗୁଳି ଗୁଡ଼ିକ କୁଆଡ଼େ ଗଲା ଓ ଗୁଳିର ଖୋକା କାହିଁକି ଘଟଣାସ୍ଥଳରୁ ମିଳିଲାନି ସେସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ନିଜ ରିପୋର୍ଟରେ କୌଣସି ତଥ୍ୟ ପ୍ରଦାନ କରିନି। ଗୋପାଳ ଦାସର ବନ୍ଧୁକରେ ଥିବା ସମସ୍ତ ଗୁଳିର ହିସାବ ମିଳୁଥିଲେ ହେଁ କେବଳ ନବ ଦାସଙ୍କ ଛାତିରେ ବାଜିଥିବା ଗୁଳିର ପତ୍ତା ମିଳିପାରିନି।

    ସେପଟେ, ପଛ କାର୍‌ରେ ଆଉ ୫ଟି ଗୁଳି ବାଜିଥିଲେ ହେଁ ଉକ୍ତ ଗୁଳି ଓ ଖୋକା ମିଳିପାରିନି। ଏଭଳି ସ୍ଥିତିରେ ନବ ଦାସଙ୍କୁ କେଉଁ ବନ୍ଧୁକରୁ ଗୁଳି ବାଜିଛି ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ପଛ ଗାଡ଼ିଟି ସରକାରୀ ଥିବା ବେଳେ ସେହି ଗାଡ଼ିରେ ନବ ଦାସ ଆଶଙ୍କା କରି ଗୁଳି ବର୍ଷା କରାଯାଇଥିଲା କି? କେତୋଟି ବନ୍ଧୁକ ପ୍ରକୃତରେ ବ୍ୟବହାର କରାଯାଇଥିଲା? ଘଟଣାସ୍ଥଳରେ ଏତେ ଗୁଳି ମାଡ଼ ହେବା ପରେ କେହି କେମିତି କିଛି ଜାଣିପାରିନଥିଲେ ଆଦି ଅନେକ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି। ସେପଟେ, ଘଟଣା ସମୟରେ ନବ ଦାସଙ୍କୁ ଆହତ ଅବସ୍ଥାରେ ଉଠାଇ କାର୍‌ ଭିତରକୁ ନେଇଥିବା ଦ୍ବାରିକାନାଥ ପଣ୍ଡା ଓ ଶୁଭେନ୍ଦୁ ପଟ୍ଟନାୟକଙ୍କ ପୋଷାକ, ନବ ଦାସଙ୍କ ବେକରେ ପଡ଼ିଥିବା ଫୁଲ ମାଳ, ତାଙ୍କ ଚପଲକୁ କ୍ରାଇମ୍‌ବ୍ରାଞ୍ଚ  ଜବତ କରିଥିବା ବେଳେ ନବ ଦାସ ଘଟଣା ସମୟରେ ପିନ୍ଧିଥିବା ସାର୍ଟ ଓ ନବ ଦାସ ବସିଥିବା କାର୍‌ ସିଟ୍‌ର ରକ୍ତ ଭିଜା ଟର୍କିସ୍‌ ସିଜର ଲିଷ୍ଟରୁ ଗାଏବ୍‌ ହୋଇଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ