Thursday, April 2, 2026
40.1 C
Odisha

    ଆଜିଠୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କୌଣସି ପେଟ୍ରୋଲ ପମ୍ପରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ କ୍ରୟକୁ ପ୍ରୋତ୍ସାହିତ ନକରିବାକୁ ବିଭିନ୍ନ ସଂଘ ସହ ଆଲୋଚନା କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭିନ୍ନ ପେଟ୍ରୋଲିୟମ୍‌ ସଂଘର କାର୍ଯ୍ୟକର୍ତ୍ତା ଓ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ପେଟ୍ରୋଲ ବିକ୍ରୟକୁ ନେଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଦ୍ୱାରା ପ୍ରଦତ୍ତ ନିୟମର କଡ଼ାକଡ଼ି ପାଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ସଂଘଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ଏଥିସହ ଏହି ନିୟମର ବ୍ୟକ୍ତିଗତ ତଦାରଖ ପାଇଁ ଜିଲାପାଳଙ୍କୁ ଅବଗତ କରାଯିବା ନେଇ ମନ୍ତ୍ରୀ ଶ୍ରୀପାତ୍ର ପ୍ରକାଶ କରିଥିଲେ। ମାତ୍ର ବିଭିନ୍ନ ଅନୁଷ୍ଠାନ, କୃଷକ ଓ ସରକାରୀ କାର୍ଯ୍ୟାଳୟର ବ୍ୟବହାର ପାଇଁ ଖୁଚୁରା ଭାବେ ପେଟ୍ରୋଲ ବିକ୍ରୟ କରାଯିବା ନେଇ ଥିବା ନିୟମ ବଳବତ୍ତର ରହିବ। ଏତଦ୍‌ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ପାର୍ଶ୍ବ, ବିଭିନ୍ନ ଛୋଟ ଦୋକାନରେ ପେଟ୍ରୋଲ ବିକ୍ରୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏକ୍ଷେତ୍ରରେ ଅନୈତିକ ଭାବେ ସହଯୋଗ କରୁଥିବା ପେଟ୍ରୋଲ ପମ୍ପ କିମ୍ବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

    ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ବିଭିନ୍ନ ସଂଘର କାର୍ଯ୍ୟକର୍ତ୍ତା ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଶ୍ରୀଧର ନାୟକ, ବୈଧ ଓଜନ ମାପ ବରିଷ୍ଠ ଯୁଗ୍ମ ନିୟନ୍ତ୍ରକ ହରିଶ ଚନ୍ଦ୍ର ପଟ୍ଟନାୟକ, ବିପ୍ପଣି ଗୁପ୍ତବାର୍ତ୍ତା ଉପନିର୍ଦେଶକ ଦୀପକ ଶତପଥୀ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ରାଜ୍ୟସ୍ତରୀୟ ସଂଯୋଜକ କମଳ ସିଲ୍, ଉତ୍କଳ ପେଟ୍ରୋଲିୟମ୍‌ ଡିଲର ଆସୋସିଏସନ୍‌ର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ, କୋଷାଧ୍ୟକ୍ଷ ମହିନ୍ଦର୍‌ ସିଂ କଲ୍‌ସି, ଭୁବନେଶ୍ବର ପେଟ୍ରୋଲିୟମ୍‌ ଡିଲର ଆସୋସିଏସନ୍‌ ସମ୍ପାଦକ ଏସ୍‌.କେ. ରହମାନ୍‌ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.1 ° C
    40.1 °
    40.1 °
    17 %
    2.7kmh
    3 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ