Wednesday, March 25, 2026
33 C
Odisha

    ଆଜିଠୁ ରତ୍ନଭଣ୍ଡାର ଗଣତିମଣତି, ଏଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ହେବ । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଗଣତିମଣତି ବେଳେ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଥ୍ରୀ-ଡି ମ୍ୟାପିଂ କରାଯିବ । ଫଳରେ ଏଥିରେ ରହିବ ସ୍ୱଚ୍ଛତା । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ନିୟମ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରର ବହୁ ପ୍ରତିକ୍ଷିତ ଗଣନା ଓ ଯାଞ୍ଚ ପାଇଁ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ପର୍ଯ୍ୟାୟକ୍ରମେ ଗଣତି ମଣତି ହେବ ।

    ପ୍ରଥମେ ବାହାର ଭଣ୍ଡାରରେ ଥିବା ଚଳନ୍ତି ଅଳଙ୍କାର ଗଣତି ହେବ । ପରେ ଭିତର ଭଣ୍ଡାରର ଅଳଙ୍କାର ଗଣତି କରାଯିବ । ଶ୍ରୀମନ୍ଦିରର ଯେଉଁଭଳି ଭାବେ ନୀତିକାନ୍ତି ପ୍ରଭାବିତ ହେବନି, ସେନେଇ ଗୁରୁତ୍ବ ଦିଆଯାଇଛି । ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିରେ କୌଣସି ବ୍ୟାଘାତ ସୃଷ୍ଟି କରାଯିବ ନାହିଁ । ପର୍ବପର୍ବାଣି କିମ୍ବା ଭିଡ଼ ସମୟରେ ଗଣତି କାର୍ଯ୍ୟ ବନ୍ଦ ରହିବ । ଗଣତି ମଣତି ପାଇଁ କଡ଼ା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାପାଳଙ୍କ ପାଖରେ ରତ୍ନଭଣ୍ଡାରର ଚାବି ରହିବ । ଗଣତି ସମୟରେ କେବଳ ଅନୁମୋଦିତ ବ୍ୟକ୍ତି ହିଁ ଭିତରକୁ ଯାଇପାରିବେ । ସାଧାରଣ ଶ୍ରଦ୍ଧାଳୁ ବ୍ୟାରିକେଡ୍ ବାହାରେ ରହିବେ ।

    ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପାଇଁ ସୁପରଭାଇଜିଂ ଟିମ ଓ ହାଣ୍ଡେଲିଂ ଟିମ ଭାବେ ଦୁଇଟି ଟିମ୍ ଗଠିତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପରଭାଇଜିଂ ଟିମର ଅଧ୍ୟକ୍ଷ ରହିଥିବାବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ, ଜଣେ ସେବାୟତ ରହିଛନ୍ତି। ହାଣ୍ଡଲିଂ ଟିମରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ , ତଢ଼ଉକରଣ,ଦେଉଳକରଣ,ଶ୍ରୀ ମନ୍ଦିର ବଣିଆ ସେବକ ,ଦୁଇ ଜଣ ସ୍ଵର୍ଣ୍ଣକାର,ଦୁଇ ଜଣ ରତ୍ନବିଶେଷଜ୍ଞ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ପ୍ରମୁଖ ସାମିଲ ରହିବେ। ୧୯୭୮ ମସିହା ତାଲିକା ସହ ସମସ୍ତ ଅଳଙ୍କାର ମେଳ କରାଯିବ । ବର୍ତ୍ତମାନ କେବଳ ଗଣତି ଓ ଯାଞ୍ଚ କରାଯିବ । ଅଳଙ୍କାରର ଆର୍ଥିକ ମୂଲ୍ୟ ନିର୍ଦ୍ଧାରଣ କରାଯିବ ନାହିଁ । ରତ୍ନଭଣ୍ଡାର କମିଟି, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ମିଳିତ ଭାବେ ଏ ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33 ° C
    33 °
    33 °
    32 %
    1.3kmh
    50 %
    Wed
    37 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ