ନୂଆଦିଲ୍ଲୀ : ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୨୩ ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଯୁଦ୍ଧ ଓ ବିଶ୍ୱରେ ଲାଗି ରହିଥିବା ଉତ୍ତେଜନା ବେଳେ ପୁଟିନଙ୍କ ଗସ୍ତ ଭାରତ-ଋଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ଏହି ଗସ୍ତ ବେଳେ ବାଣିଜ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବ ।
ଋଷ ଭାରତର ସବୁଠାରୁ ବଡ ପ୍ରତିରକ୍ଷା ସହଯୋଗୀ ହୋଇଥିବା ବେଳେ ପୁଟିନଙ୍କ ଗସ୍ତ ବେଳେ ଭାରତ ନିଜ ଏୟାର ଡିଫେନ୍ସ ସିଷ୍ଟମକୁ ଆହୁରି ମଜବୁତ କରିବାକୁ ଉଦ୍ୟମ କରିବ । ଅପରେସନ ସିନ୍ଦୂରରେ ପରାକ୍ରମ ଦେଖାଇଥିବା ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଣ ତ୍ୱରାନ୍ବିତ କରିବା ପାଇଁ ଆଲୋଚନା ହେବ । ୨୦୧୮ ମସିହାରେ ଭାରତ ପ୍ରାୟ ୪୫ ହଜାର କୋଟି ଟଙ୍କାରେ ୫ଟି ସ୍କ୍ୱାର୍ଡ୍ରନ ଏୟାର ଡିଫେନ୍ସ ସିଷ୍ଟମ ପାଇଁ ଚୁକ୍ତି କରିଥିଲା । ଭାରତକୁ ୩ଟି ସ୍କ୍ୱାର୍ଡ୍ରନ ଏୟାର ଡିଫେନ୍ସ ସିଷ୍ଟମ ମିଳି ସାରିଥିବା ବେଳେ ଆଉ ୨ଟି ସ୍କ୍ୱାର୍ଡ୍ରନ ୨୦୨୬ ମସିହା ସୁଦ୍ଧା ମିଳିବ ବୋଲି ଜଣାପଡିଛି । ଭାରତରେ ପଞ୍ଚମ ପୀଢିର ଅତ୍ୟାଧୁନିକ ସୁଖୋଇ- ୫୭ ଫାଇଟର ଷ୍ଟିଲଥ ଜେଟ ନିର୍ମାଣ ନେଇ ମଧ୍ୟ ଆଲୋଚନା ହେବ । ନାସିକରେ ଥିବା HAL କାରଖାନାରେ ଏହା ନିର୍ମାଣ ହେବ । ଭାରତ ଚାହିଁଲେ ଏହାକୁ ବିକ୍ରି କରିପାରିବ । ସେହିପରି ବ୍ରହ୍ମୋସ କ୍ଷେପଣାସ୍ତ୍ରର ବିକାଶ ଓ ରପ୍ତାନୀ ନେଇ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା ହେବ । ଏହାସହିତ ଜରୁରୀ ପରିସ୍ଥିତିରେ ପରସ୍ପରର ସାମରିକ ଘାଟି ବ୍ୟବହାର ପାଇଁ RELOS ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି । ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି ଋଷ ରାଷ୍ଟ୍ରପତି ।

