ନୂଆଦିଲ୍ଲୀ : ଆଜିଠୁ ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଅଭିଭାଷଣ ରଖିବେ । ସେହିପରି ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ । ଏଥିରେ ପୂର୍ବ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ପ୍ରଦର୍ଶନର ମୂଲ୍ୟାଙ୍କନ ଦେଖିବାକୁ ମିଳିବ। ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ସାଧାରଣ ବଜେଟ । ଏଥର ଅଧିବେଶନରେ ୧୬ଟି ବିଲ ଆଗତ ହେବ। ଏଥିରେ ମୁଖ୍ୟତଃ ୱାକଫ ଆମେଣ୍ଡମେଣ୍ଟ ବିଲ- ୨୦୨୪, ବ୍ଯାଙ୍କିଂ ଲ ଆମେଣ୍ଡମେଣ୍ଟ ବିଲ-୨୦୨୪, ଫାଇନାନସ ବିଲ- ୨୦୨୫ ସଂସଦରେ ଆଗତ ହେବ। ଅଧିବେଶନରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଘଟଣ, ବେରୋଜଗାରୀ ଓ ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ଘେରିବାକୁ ରଣନୀତି କରିଛି ଇଣ୍ଡିଆ ମେଣ୍ଟ ।ସେହିପରି ସଂସଦରେ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ରଣନୀତି କରିଛି ବିଜେଡି । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପୁଣି ଜୋରଦାର ହେବ। ଦରଦାମ ବୃଦ୍ଧି ଅନ୍ଯତମ ପ୍ରସଙ୍ଗ ରହିବ। ଦେଶରେ ବେକାରୀ ସମସ୍ୟା ଉତ୍କଟ ହୋଇଛି । ସେହିପରି ପୋଲାଭରମ, ମହାନଦୀ ପ୍ରସଙ୍ଗ, କୋଇଲା ରୟାଲଟି, ଗ୍ରୀନ ଟ୍ୟାକ୍ସ ପ୍ରସଙ୍ଗ ଉଠାଇବ ବିଜେଡି । ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରୀ ୧୩ରେ ସରିବ । ମାର୍ଚ୍ଚ ୧୦ ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ।