ନୂଆଦିଲ୍ଲୀ : ଆଜିଠୁ LPGରେ ବଡ଼ ପରିବର୍ତ୍ତନ । ସବସିଡି ପାଇଁ ବାୟୋମେଟ୍ରିକ୍ ଆଧାର ଜରୁରୀ । ଘରୋଇ LPG ଗ୍ରାହକଙ୍କ ପାଇଁ ଅକ୍ଟୋବର ୧ରୁ ଲାଗୁ ହୋଇଛି ନୂଆ ବ୍ୟବସ୍ଥା। ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ପ୍ରଯୁଜ୍ୟ ସବସିଡି ସହ ରିଫିଲ୍ ବୁକ୍ କରିବାକୁ ଏଣିକି ବାୟୋମେଟ୍ରିକ୍ ଆଧାର ଅଥେଣ୍ଟିକେସନ୍ ବା BAA ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଯେଉଁ ଗ୍ରାହକ ପୂର୍ବରୁ ବାୟୋମେଟ୍ରିକ୍ ଆଧାର ଅଥେଣ୍ଟିକେସନ୍ କରିସାରିଛନ୍ତି, ସେମାନଙ୍କୁ ପୁଣି ଥରେ ଏହି ପ୍ରକ୍ରିୟା କରିବାକୁ ପଡ଼ିବ ନାହିଁ । ପୂର୍ବଭଳି ସେମାନଙ୍କୁ LPG ରିଫିଲ୍ ମିଳିବ । କିନ୍ତୁ ଯେଉଁ ଗ୍ରାହକ ଏପର୍ଯ୍ୟନ୍ତ ବାୟୋମେଟ୍ରିକ୍ ଆଧାର ଅଥେଣ୍ଟିକେସନ୍ କରିନାହାନ୍ତି, ସେମାନଙ୍କୁ ସବସିଡି ସହ RSPରେ ରିଫିଲ୍ ବୁକ୍ କରିବା ପାଇଁ ପ୍ରଥମେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ତେବେ ବାୟୋମେଟ୍ରିକ୍ ନକଲେ LPG ମିଳିବ ନାହିଁ, ଏଭଳି ନୁହେଁ । ଯେଉଁ ଗ୍ରାହକ ବାୟୋମେଟ୍ରିକ୍ କରିବାକୁ ଅସମର୍ଥ କିମ୍ବା ଇଚ୍ଛୁକ ନୁହନ୍ତି, ସେମାନେ ନିଜ ତୈଳ ବିପଣନ କମ୍ପାନୀର ଡିଜିଟାଲ୍ ମାଧ୍ୟମରେ ଏହି ବିକଳ୍ପ ପଞ୍ଜୀକରଣ କରିପାରିବେ । ସ୍ଥାନୀୟ ଉପଲବ୍ଧତା ଅନୁସାରେ ସେମାନଙ୍କୁ ୫ କିଲୋ କିମ୍ବା ୧୦ କିଲୋ ସିଲିଣ୍ଡର ବଜାର ମୂଲ୍ୟରେ ମିଳିପାରିବ, କିନ୍ତୁ ସବସିଡି ମିଳିବ ନାହିଁ।
ବାୟୋମେଟ୍ରିକ୍ ଆଧାର ଅଥେଣ୍ଟିକେସନ୍ ପାଇଁ ଗ୍ରାହକଙ୍କ ପାଖରେ ଏକାଧିକ ବିକଳ୍ପ ରହିଛି । ସିଲିଣ୍ଡର ଡେଲିଭରି ସମୟରେ ଡେଲିଭରି କର୍ମଚାରୀଙ୍କ ଜରିଆରେ, LPG ଡିଷ୍ଟ୍ରିବ୍ୟୁଟରଙ୍କ ଶୋ’ରୁମରେ କିମ୍ବା ସମ୍ପୃକ୍ତ ତୈଳ କମ୍ପାନୀର ମୋବାଇଲ୍ ଆପ୍ ଜରିଆରେ ଏହା କରାଯାଇପାରିବ। ସେପ୍ଟେମ୍ବର ୧୯ ସୁଦ୍ଧା ଦେଶର ୨୭ କୋଟି ୪୩ ଲକ୍ଷ ସକ୍ରିୟ ଘରୋଇ LPG ଗ୍ରାହକ ବାୟୋମେଟ୍ରିକ୍ ଆଧାର ଅଥେଣ୍ଟିକେସନ୍ ସମ୍ପୂର୍ଣ୍ଣ କରିସାରିଛନ୍ତି । ଏହା ମୋଟ ଗ୍ରାହକଙ୍କ ପ୍ରାୟ ୮୯.୯ ପ୍ରତିଶତ । ସବସିଡିଯୁକ୍ତ ଘରୋଇ LPGର ଅପବ୍ୟବହାର ରୋକିବା, ଡୁପ୍ଲିକେଟ୍ ଓ ଅଯୋଗ୍ୟ ସଂଯୋଗକୁ ଚିହ୍ନଟ କରିବା ଏବଂ ପ୍ରକୃତ ହିତାଧିକାରୀଙ୍କ ପାଖରେ ସବସିଡି ପହଞ୍ଚାଇବା ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ।
