ବୟସ ବଢ଼ିବା ସହିତ ହାଡର ଘନତା ଧୀରେ ଧୀରେ କମିବା ସ୍ୱାଭାବିକ। ତେବେ ବୟସ ବୃଦ୍ଧି ସହିତ ଖରାପ ଖାଦ୍ୟାଭ୍ୟାସ, ଶାରୀରିକ ପରିଶ୍ରମର ଅଭାବ, କ୍ୟାଲସିୟମ ଓ ଭିଟାମିନ୍ ଡିର ଅଭାବ ଏବଂ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ହାଡ଼ ଅଧିକ ଦୁର୍ବଳ ହୋଇଯାଏ। ତେଣୁ ହାଡ଼ର ସ୍ୱାସ୍ଥ୍ୟ ପ୍ରତି ଆରମ୍ଭରୁ ଯତ୍ନବାନ ହେବା ଆବଶ୍ୟକ।
ହାଡ଼ରେ ଥିବା ଖଣିଜ ପଦାର୍ଥର ପରିମାଣକୁ ହାଡ଼ ଘନତ୍ୱ କୁହାଯାଏ। ଏଥିରେ ମୁଖ୍ୟତଃ କ୍ୟାଲସିୟମ ଓ ଫସଫରସ୍ ରହିଥାଏ। ହାଡ଼ର ଘନତ୍ୱ ଭଲ ଥିଲେ ଏହା ମଜବୁତ ରହେ। ଘନତ୍ୱ କମିଗଲେ ହାଡ଼ ଦୁର୍ବଳ ହୋଇ ଭାଙ୍ଗିବାର ଆଶଙ୍କା ବଢ଼ିଯାଏ। କମ୍ ହାଡ଼ ଘନତ୍ୱର ଏକ ଅବସ୍ଥାକୁ ଅଷ୍ଟିଓପେନିଆ କୁହାଯାଉଥିବା ବେଳେ ଅଧିକ ମାତ୍ରାରେ ଘନତ୍ୱ କମିଲେ ଅଷ୍ଟିଓପୋରେସିସ୍ ହୋଇପାରେ।
କାରଣ ସମସ୍ତଙ୍କ ପାଇଁ ସମାନ ନୁହେଁ
ଡାକ୍ତରଙ୍କ କହିବା ଅନୁଯାୟୀ, ହାଡ଼ ଦୁର୍ବଳ ହେବାର କାରଣ ସମସ୍ତଙ୍କ ପାଇଁ ସମାନ ନୁହେଁ। ବୟସ ବୃଦ୍ଧି ଏହାର ଏକ ପ୍ରମୁଖ କାରଣ। ଦୀର୍ଘ ସମୟ ଧରି ଶାରୀରିକ କାର୍ଯ୍ୟକଳାପ ନକରିବା, ଖାଦ୍ୟରେ ପର୍ଯ୍ୟାପ୍ତ କ୍ୟାଲସିୟମ ଓ ଭିଟାମିନ୍ ଡି ନ ରହିବା, ଧୂମପାନ ଏବଂ ଅତ୍ୟଧିକ ମଦ୍ୟପାନ ମଧ୍ୟ ହାଡ଼ ଉପରେ ପ୍ରଭାବ ପକାଇପାରେ। କମ୍ ଓଜନ, ଜିନ୍ ଅସୁବିଧା ଭଳି କିଛି ରୋଗ ଏବଂ ଦୀର୍ଘ ସମୟ ଧରି କେତେକ ଔଷଧର ବ୍ୟବହାର ମଧ୍ୟ ହାଡ଼ ଘନତ୍ୱ କମାଇଦେଇଥାଏ। ବିଶେଷକରି ମହିଳାଙ୍କ କ୍ଷେତ୍ରରେ ହରମୋନର ପରିବର୍ତ୍ତନ ହେତୁ ଅଷ୍ଟିଓପୋରେସିସ୍ ର ବିପଦ ବଢ଼ିଯାଏ।
ହାଡ଼କୁ ସୁସ୍ଥ ଓ ମଜବୁତ ରଖିବା ପାଇଁ ଖାଦ୍ୟରେ କ୍ୟାଲସିୟମ ଓ ଭିଟାମିନ୍ ଡିଯୁକ୍ତ ଖାଦ୍ୟ ସାମିଲ କରିବା ଜରୁରୀ। କ୍ଷୀର ଓ କ୍ଷୀରଜାତୀୟ ଖାଦ୍ୟ, କିଛି ସବୁଜ ପନିପରିବା ଏବଂ କ୍ୟାଲସିୟମଯୁକ୍ତ ଅନ୍ୟ ଖାଦ୍ୟ ଉପକାରୀ ହୋଇଥାଏ। ନିୟମିତ ଶାରୀରିକ କାର୍ଯ୍ୟକଳାପ ମଧ୍ୟ ହାଡ଼ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚାଲିବା, ଓଜନ ବହନକାରୀ ବ୍ୟାୟାମ ଓ ଡାକ୍ତରଙ୍କ ପରାମର୍ଶରେ ଶକ୍ତିବର୍ଦ୍ଧକ ବ୍ୟାୟାମ କରିବା ହାଡ଼ର ଶକ୍ତି ବଜାୟ ରଖିବାରେ ସହାୟକ ହୋଇପାରେ। ଲଗାତାର ପିଠି ଯନ୍ତ୍ରଣା, ସମୟ ସହିତ ଉଚ୍ଚତା କମିବା କିମ୍ବା ସାମାନ୍ୟ ଆଘାତରେ ବାରମ୍ବାର ହାଡ଼ ଭାଙ୍ଗିବା ଭଳି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଆବଶ୍ୟକ ହେଲେ ହାଡ଼ର ଘନତ୍ୱ ପରୀକ୍ଷା କରାଇ ହାଡ଼ର ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିହେବ।
