Friday, April 3, 2026
36.1 C
Odisha

    ଆଜି ଗଣମାଧ୍ୟମ ସ୍ବାଧୀନତା ଦିବସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସାରା ବିଶ୍ବରେ ପ୍ରତିବର୍ଷ ମେ’ ୩ ତାରିଖରେ ଅର୍ଥାତ ଆଜି ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପାଳନ ହୋଇଥାଏ। ପ୍ରେସ୍‌ ସ୍ବାଧୀନତାର ଗୁରୁତ୍ୱ ପ୍ରତି ଜନସଚେତନତା ସୃଷ୍ଟି ତଥା ସାମ୍ବାଦିକମାନଙ୍କୁ ସେମାନଙ୍କ ସାହସିକ ଉଦ୍ୟମ ନିମନ୍ତେ ସମ୍ମାନ ଜଣାଇବା ଏହି ଦିବସର ପ୍ରମୁଖ ଉଦ୍ଦେଶ୍ୟ। ଗଣମାଧ୍ୟମ ବିନା ଗଣତନ୍ତ୍ର ଅସୁରକ୍ଷିତ। ଏକ ସଫଳ ଗଣତନ୍ତ୍ର ପାଇଁ ଏକ ସ୍ବାଧୀନ ଗଣମାଧ୍ୟମ ନିତାନ୍ତ ଅପରିହାର୍ଯ୍ୟ। ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ଅନୁସାରେ, ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ଏକ ମୂଳ ସତ୍ୟ ଉପରେ ଗୁରୁତ୍ୱାରୋପ କରେ; ତାହା ହେଲା ‘ଲୋକଙ୍କର ସ୍ବାଧୀନତା ପ୍ରେସ୍‌ ସ୍ବାଧୀନତା ଉପରେ ନିର୍ଭରଶୀଳ’। ଏକ ସ୍ବାଧୀନ ଗଣମାଧ୍ୟମ ନ୍ୟାୟ, ସମାନତା, ଉତ୍ତରଦାୟିତ୍ୱ ଓ ମାନବିକ ଅଧିକାରର ପ୍ରମୁଖ ଆଧାର ଭାବେ କାର୍ଯ୍ୟକରେ। ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଥୋମାସ ଜେଫରସନ୍‌ ଏକଦା କହିଥିଲେ, ଯେଉଁଠି ପ୍ରେସ୍‌ ସ୍ବାଧୀନ ସେଇଠି ସମସ୍ତେ ସୁରକ୍ଷିତ। ସ୍ବାଧୀନ ଗଣମାଧ୍ୟମ ବିନା ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା କଷ୍ଟକର। ଏହି ଦିବସର ଇତିହାସ ଦେଖିବାକୁ ଗଲେ ୧୯୯୧ରେ ଆଫ୍ରିକୀୟ ସାମ୍ବାଦିକମାନଙ୍କର ପ୍ରେସ୍‌ ସ୍ବାଧୀନତା ସପକ୍ଷରେ ସ୍ବରଉତ୍ତୋଳନର ଘଟଣା ସାମ୍ନାକୁ ଆସେ। ଯାହା ପରବର୍ତ୍ତୀ ସମୟରେ ‘ଡିକ୍ଲାରେଶନ ଅଫ୍‌ ଉଇଣ୍ଡହୋକ’ର ରୂପ ନେଇଥିଲା। ୧୯୯୩ ମସିହାରେ ସଂଯୁକ୍ତରାଷ୍ଟ୍ର ମହାସଭା ପ୍ରଥମ ଥର ପାଇଁ ପ୍ରେସ୍‌ ସ୍ବାଧୀନତା ଦିବସ ପାଳନର ନିଷ୍ପତ୍ତି ନେଇଥିଲା। ମେ’ ୩ ତାରିଖରେ ଉଇଣ୍ଡହୋକ ଡିକ୍ଲାରେଶନ ଗୃହୀତ ହୋଇଥିବା କାରଣରୁ ଏହି ଦିବସ ପାଇଁ ମେ’ ୩ ତାରିଖକୁ ବଛା ଯାଇଥିଲା। ଏ ବର୍ଷ ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ଲାଗି ବିଷୟବସ୍ତୁ ରହିଛି: ‘ରିପୋର୍ଟିଂ ଇନ୍‌ ଦ ବ୍ରେଭ ନ୍ୟୁ ଓ୍ବାଲର୍‌ଡ ଦି ଇମ୍ପାକ୍ଟ ଅଫ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅନ୍‌ ପ୍ରେସ୍‌ ଫ୍ରିଡମ୍‌ ଆଣ୍ଡ ଦ ମିଡିଆ’। କୃତ୍ରିମ ବୁଦ୍ଧିମତ୍ତା ବର୍ତ୍ତମାନ ସମୟରେ ପ୍ରଭାବ ବିସ୍ତାର କରି ଚାଲିଛି। ଏହାର ବହୁଳ ପ୍ରୟୋଗ ସୂଚନା ସଂଗ୍ରହ, ବିନିମୟ ଓ ଉପଯୋଗ ଆଦି ଦିଗଗୁଡ଼ିକରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି। ତେବେ ଏହା ସାମ୍ପ୍ରତିକ ଗଣମାଧ୍ୟମ ସମ୍ମୁଖରେ ଉଭୟ ଆହ୍ବାନ ଓ ସମ୍ଭାବନା ସୃଷ୍ଟି କରିଛି। ବର୍ତ୍ତମାନ ଆମେ ନ୍ୟୁଜ୍‌ରୁମ ଅଟୋମେଶନ, ଆଲ୍‌ଗୋରିଦମ୍‌, କଣ୍ଟେଣ୍ଟ ଭିଜିବିଲିଟି, ଡେଟା ଆନାଲିସିସ୍‌, ଫ୍ୟାକ୍ଟ ଚେକିଂ, ସର୍ଭେଲାନ୍ସ, ଡିସ୍‌୍‌ଇନ୍‌ଫର୍ମେଶନ ଆଦି କିଛି ଶବ୍ଦ ସହ ଊଣା ଅଧିକେ ପରିଚିତ ଅଛୁ। ଏସବୁ ଦିଗରେ କୃତ୍ରିମ ବୁଦ୍ଧିମତ୍ତାର ବହୁଳ ଉପଯୋଗ ହେବାରେ ଲାଗିଛି। ତେବେ ଏହାର ପ୍ରୟୋଗ ପ୍ରେସ୍‌ ସ୍ବାଧୀନତାକୁ ସଙ୍କୁଚିତ ନ କରିବା ଆବଶ୍ୟକ। ମନର ପ୍ରକୃତି ମାଧ୍ୟମର ପ୍ରକୃତିକୁ ପ୍ରଭାବିତ କରେ। ଏକ ସକାରାତ୍ମକ ଆଭିମୁଖ୍ୟ ପ୍ରେସ୍‌ ସ୍ବାଧୀନତାର ପ୍ରକୃତ ଉଦ୍ଦେଶ୍ୟକୁ ବହନ କରେ। ଯଦି ଆଭିମୁଖ୍ୟ ନକାରାତ୍ମକ, ତେବେ ସ୍ବାଧୀନତାର ପ୍ରକୃତ ଉଦ୍ଦେଶ୍ୟ ମୂଲ୍ୟହୀନ ପାଲଟେ। କୃତ୍ରିମ ବୁଦ୍ଧିମତ୍ତାକୁ ବୃହତ୍ତର ସାମାଜିକ ସ୍ବାର୍ଥ ହାସଲ ଦିଗରେ ପ୍ରୟୋଗ କରାଯିବା ଜରୁରୀ। ପ୍ରେସ୍‌ ସ୍ବାଧୀନତା ଦିବସ ମଧ୍ୟ ସାମ୍ବାଦିକମାନଙ୍କର ସୁରକ୍ଷା ଓ ସମ୍ମାନର କଥା କହେ। ଯେଉଁଠି ସାମ୍ବାଦିକ ସୁରକ୍ଷିତ ନୁହନ୍ତି, ସେଇଠି ଗଣମାଧ୍ୟମର ସ୍ବାଧୀନତା ପ୍ରଭାବିତ ହୋଇଥାଏ ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଜାଣିରଖିବା ଦରକାର ଯେ ଏକ ସୁସ୍ଥ ସମାଜର ପରିକଳ୍ପନା ଏକ ସ୍ବାଧୀନ, ସଚେତନ ଓ ସମ୍ବେଦନଶୀଳ ଗଣମାଧ୍ୟମ ବିନା ଅସମ୍ଭବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ