ନୂଆଦିଲ୍ଲୀ : ଆଜି ଟ୍ରମ୍ପ-ଜେଲେନସ୍କିଙ୍କ ବଡ଼ ବୈଠକ । ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ! । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ଫ୍ଲୋରିଡାର ମାର-ଏ-ଲାଗୋ ରିସୋର୍ଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହି ବୈଠକ ସ୍ଥାନୀୟ ସମୟ ଅପରାହ୍ନ ୩ଟାରେ ହେବାକୁ ସ୍ଥିର ହୋଇଛି। ଆଲୋଚନାରେ ରହିବ ୫ଟି ଦିଗ । ଟ୍ରମ୍ପଙ୍କ ୨୦ ସୂତ୍ରୀ ଶାନ୍ତି ଯୋଜନା ଉପରେ ଆଲୋଚନା ହେବ। ପ୍ରାୟ ୪ ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ୨୦ ସୂତ୍ରୀ ଶାନ୍ତି ପ୍ରସ୍ତାବ ଦେଇଛନ୍ତି ଟ୍ରମ୍ପ। ଏହା ଉପରେ ଆଲୋଚନା ହେବ ।
ଜେଲେନସ୍କି କହିଛନ୍ତି ଯେ ଏହି ଯୋଜନା ୯୦ ପ୍ରତିଶତ ପ୍ରସ୍ତୁତ ଅଛିୟ । ବାକି ୧୦ ପ୍ରତିଶତ ଟ୍ରମ୍ପଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ହେବ । ଭବିଷ୍ୟତରେ ରୁଷ ଯେପରି ପୁଣି ଆକ୍ରମଣ ନକରେ, ସେଥିପାଇଁ ୟୁକ୍ରେନ ଆମେରିକାଠାରୁ ଶକ୍ତିଶାଳୀ ଏବଂ ଆଇନଗତ ସୁରକ୍ଷା ସହାୟତା ଚାହୁଁଛି । ପୂର୍ବ ୟୁକ୍ରେନର ଡୋନବାସ ଅଞ୍ଚଳ ଏବଂ ଜାପୋରିଜିଆ ପରମାଣୁ କେନ୍ଦ୍ର ଉପରେ କାହାର ନିୟନ୍ତ୍ରଣ ରହିବ, ସେ ନେଇ ଆଲୋଚନା ହେବ । ୟୁକ୍ରେନ କିଛି ସର୍ତ୍ତରେ ସେଠାରୁ ସେନା ହଟାଇବାକୁ ରାଜି ହୋଇପାରେ ।
ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ସେ ଅନୁମତି ନଦେବା ଯାଏଁ କୌଣସି ଚୁକ୍ତି କାର୍ଯ୍ୟକାରୀ ହେବ ନାହିଁ । ସେ ନିଜକୁ ଏହି ବିବାଦର ମୁଖ୍ୟ ସମାଧାନକାରୀ ଭାବେ ଉପସ୍ଥାପନ କରିଛନ୍ତି । ଏହି ବୈଠକ ଉପରେ ସାରା ବିଶ୍ୱର ନଜର ରହିଛି। ଯଦି ଟ୍ରମ୍ପ ଏବଂ ଜେଲେନସ୍କିଙ୍କ ମଧ୍ୟରେ ସହମତି ପ୍ରକାଶ ପାଏ, ତେବେ ନୂଆବର୍ଷ ପୂର୍ବରୁ ଯୁଦ୍ଧ ବନ୍ଦ ହେବା ନେଇ ଆଶା ସୃଷ୍ଟି ହେବ । ଏହି ବୈଠକର ମାତ୍ର କିଛି ଘଣ୍ଟା ପୂର୍ବରୁ ୟୁକ୍ରେନ ରାଜଧାନୀ କିଭ୍ ଉପରେ ୫୦୦ ଡ୍ରୋନ୍ ଏବଂ ୪୦ଟି ମିସାଇଲ୍ ମାଡ଼ କରିଛି ରୁଷିଆ । ଏହାକୁ ନେଇ ଜେଲେନସ୍କି କହିଛନ୍ତି ଯେ ପୁଟିନ୍ ଶାନ୍ତି ଚାହୁଁନାହାନ୍ତି । ଅନ୍ୟପଟେ ପୁଟିନ କହିଛନ୍ତି, କିଭ୍ ଶାନ୍ତି ଚାହୁନି । ରୁଷ ମିଲିଟାରୀ ଅପରେସନ ଦ୍ବାରା ସମସ୍ତ ଲକ୍ଷ୍ୟ ହାସଲ କରିବ ।

