ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ CJPର ବଡ଼ ପ୍ରତିବାଦ, ଜନ୍ତରମନ୍ତରରେ ଆନ୍ଦୋଳନ ଡାକରା । ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଜନ୍ତରମନ୍ତରରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରିଛି CJP। ଏଥିରେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ବା AISA ସମେତ ବିଭିନ୍ନ ଛାତ୍ର ସଂଗଠନ ଏବଂ ବିରୋଧୀ ଦଳର କର୍ମୀମାନେ ସାମିଲ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ପୋଲିସ ଆନ୍ଦୋଳନକୁ ଅନୁମତି ଦେଇନଥିବାରୁ ଦିଲ୍ଲୀରେ ଉତ୍ତେଜନା ଆଶଙ୍କାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । CJPର ଆଜିର ପ୍ରତିବାଦର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି । SIR ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା CJP ଓ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଛନ୍ତି । ତେବେ ନିର୍ବାଚନ କମିଶନ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। SIR ପ୍ରକ୍ରିୟାରେ ଦେଶବ୍ୟାପୀ ପ୍ରାୟ ୧୩ କୋଟି ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଥିବା ନେଇ ବିବାଦ ଦେଖାଦେଇଛି । ବିରୋଧୀ ଦଳଗୁଡ଼ିକ ଏହାକୁ ଭୋଟ ଅଧିକାର ଉପରେ ଆଘାତ ବୋଲି କହୁଛନ୍ତି। ଅନ୍ୟପଟେ ନିର୍ବାଚନ କମିଶନଙ୍କ କହିବା ଅନୁଯାୟୀ, ତାଲିକା ସଂଶୋଧନ ପ୍ରକ୍ରିୟା ଏବେ ବି ଜାରି ରହିଛି । ଭୁଲ୍ ରେ ନାମ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ପୁଣି ନାମ ପଞ୍ଜୀକରଣ କରିପାରିବେ ।
CJP ଓ AISA ପକ୍ଷରୁ ଆଜି ଜନ୍ତରମନ୍ତରରେ ବଡ଼ ଧରଣର ପ୍ରତିବାଦର ଦେଶର ବିଭିନ୍ନ ରାଜ୍ୟରୁ ଛାତ୍ର, ଯୁବକ ଓ ସଂଗଠନର ସମର୍ଥକମାନେ ଦିଲ୍ଲୀ ଆସିବାର ଯୋଜନା କରିଛନ୍ତି । CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ପ୍ରତିବାଦ ଜାରି ରଖିବାକୁ ଘୋଷଣା କରିଛନ୍ତି। ଦିଲ୍ଲୀ ପୋଲିସ ଆଜିର CJP ପ୍ରତିବାଦକୁ ଅନୁମତି ଦେଇନାହିଁ । ପୋଲିସ କହିଛି, ଆନ୍ଦୋଳନ ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆବେଦନ କରାଯାଇନଥିଲା । ପୂର୍ବରୁ ଆୟୋଜିତ ପ୍ରତିବାଦ ସମୟରେ ନିୟମ ପାଳନ ହୋଇନଥିବା ଅଭିଯୋଗ ମଧ୍ୟ ରହିଛି। ନୂଆଦିଲ୍ଲୀ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ କଟକଣା ଲାଗୁ ରହିଛି। ନିୟମ ଉଲ୍ଲଂଘନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଚେତାବନୀ ଦେଇଛି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଜନ୍ତରମନ୍ତର, ସଂସଦ ଭବନ ଆଖପାଖ, ପ୍ରମୁଖ ରାସ୍ତା ଓ ଦିଲ୍ଲୀ ପ୍ରବେଶ ପଥରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି। ହୋଟେଲ, ରେଳ ଷ୍ଟେସନ୍ ଓ ପରିବହନ କେନ୍ଦ୍ରଗୁଡ଼ିକ ଉପରେ ମଧ୍ୟ ନଜର ରଖାଯାଇଛି । ସୁରକ୍ଷା କାରଣରୁ ଦିଲ୍ଲୀର ୫୭ଟି ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ବନ୍ଦ କରିବାକୁ ବ୍ୟବସ୍ଥା କରାଯାଇଛି ।
ଗତକାଲି ରାତି ୯ଟାରୁ ଏହି କଟକଣା ଲାଗୁ କରିବାକୁ ଦିଲ୍ଲୀ ମେଟ୍ରୋ ପକ୍ଷରୁ ଘୋଷଣା ହୋଇଥିଲା । ରାଜୀବ ଚୌକ, ପଟେଲ ଚୌକ, ଜନପଥ, ସେଣ୍ଟ୍ରାଲ ସେକ୍ରେଟାରିଏଟ୍ ଓ ମଣ୍ଡି ହାଉସ୍ ଭଳି ପ୍ରମୁଖ ଷ୍ଟେସନ୍ ଏହି ତାଲିକାରେ ରହିଛି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କଟକଣାରେ ପରିବର୍ତ୍ତନ ହୋଇପାରେ। ଆଜି ସକାଳ ୪ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଆସିବାକୁ ଥିବା କିମ୍ବା ସେଠାରୁ ଛାଡ଼ିବାକୁ ଥିବା ଅନେକ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ରେଳ ଓ ମେଟ୍ରୋ ସେବାର ସଂଶୋଧିତ ବ୍ୟବସ୍ଥା ଯାଞ୍ଚ କରିବା ଜରୁରୀ । ଦିଲ୍ଲୀରେ ପରିବହନ କଟକଣାକୁ ନେଇ ଗତକାଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ମେଟ୍ରୋ ଓ ରେଳ ସେବା ସମ୍ପୂର୍ଣ୍ଣ ବନ୍ଦ ନକରି ନିୟନ୍ତ୍ରିତ ଭାବେ ଚଳାଚଳ କରାଇବାକୁ କହିଛନ୍ତି ।
ଏଥିସହ ରାସ୍ତାରେ ସମ୍ପୂର୍ଣ୍ଣ ଅବରୋଧ ନକରି ବିକଳ୍ପ ରାସ୍ତା ବ୍ୟବସ୍ଥା ଓ ଟ୍ରାଫିକ୍ ଆଡଭାଇଜରି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । CJP ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଦିଲ୍ଲୀ ଆନ୍ଦୋଳନରେ ଯୋଗଦେବାକୁ ଆସୁଥିବା ହଜାର ହଜାର ସମର୍ଥକଙ୍କୁ ବିଭିନ୍ନ ସ୍ଥାନରେ ଅଟକ ରଖାଯାଇଛି । ସଂଗଠନ ପକ୍ଷରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିବା ଦାବି କରାଯାଇଛି । ପୋଲିସ ଅନୁମତି ନଦେବା ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଆଜି ଜନ୍ତରମନ୍ତରରେ ପ୍ରତିବାଦ କରିବାକୁ CJP ନେତୃତ୍ୱ ଘୋଷଣା କରିଛି । ଅନ୍ୟପଟେ ଆଇନଶୃଙ୍ଖଳା ରକ୍ଷା ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ପୋଲିସ କହିଛି । ତେଣୁ ଆଜି ଦିଲ୍ଲୀରେ ପ୍ରତିବାଦକାରୀ ଓ ପୋଲିସ ମଧ୍ୟରେ କିଭଳି ପରିସ୍ଥିତି ସୃଷ୍ଟି ହେଉଛି, ତାହା ଉପରେ ନଜର ରହିବ ।
