Saturday, March 14, 2026
21.9 C
Odisha

    ଆଜି ନ୍ୟୁଜିଲାଣ୍ଡ-ଭାରତ ଟକ୍କର

    ଆଗକୁ ପଢନ୍ତୁ

    ଦୁବାଇ : ପାକିସ୍ତାନ ଓ ୟୁଏଇରେ ଚାଲିଥିବା ଚମ୍ପିଆନ୍‌ସ ଟ୍ରଫି କ୍ରିକେଟ ନବମ ସଂସ୍କରଣ-୨୦୨୫ରେ ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ। ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଦୁଇ ଦଳ ଗ୍ରୁପ-ଏ ର ଶୀର୍ଷ ସ୍ଥାନ ପାଇଁ ଲଢେଇ କରିବେ। ଦୁଇ ଦଳ ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲ ପୂର୍ବରୁ ମନୋବଳ ଉଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି।
    ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ଚମ୍ପିଆନ୍‌ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରୁଛି। ଦଳ ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୬ ୱିକେଟରେ ଓ ଦ୍ବିତୀୟ ମ୍ୟାଚରେ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ବ୍ୟାଟିଂରେ ରୋହିତ ଶର୍ମା ଦୁଇଟି ମ୍ୟାଚରୁ ୬୧ରନ, ଶୁଭମନ ଗିଲ୍‌ ଗୋଟିଏ ଶତକ ସହ ୧୪୭ରନ, ବିରାଟ​‌ କୋହଲି ଗୋଟିଏ ଶତକ ସହ ୧୨୨ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର ଗୋଟିଏ ଅର୍ଦ୍ଧଶତକ ସହ ୭୧ରନ, ଲୋକେଶ ରାହୁଲ ୪୧ରନ କରିଛନ୍ତି। ହାର୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ମଧ୍ୟ ରନ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଶତ ପ୍ରତିଶତ ସୁସ୍ଥ ନଥିବା ରୋହିତ ଶର୍ମା ଖେଳିବାର ସମ୍ଭାବନା କମ ରହିଛି। ତାଙ୍କ ସ୍ଥାନରେ ଋଷଭ ପନ୍ତ୍‌ଙ୍କୁ ସୁଯୋଗ ମିଳିପାରେ। ବୋଲିଂରେ ମହମ୍ମଦ ସାମି ବାଂଲାଦେଶ ବିପକ୍ଷରେ ୫ଟି ୱିକେଟ ନେଇଥିବାବେଳେ ଅକ୍ଷର ପଟେଲ ମଧ୍ୟ ଭଲ ବୋଲିଂ କରିଥିଲେ। ପାକିସ୍ତାନ ବିପକ୍ଷରେ କୁଳଦୀପ୍‌ ଯାଦବ ଓ ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଭଲ ରହିଥିଲା। ଦ୍ରୁତ ବୋଲିଂରେ ଭାରତ ହର୍ଷିତ ରାଣାଙ୍କ ସ୍ଥାନରେ ଅର୍ଶଦୀପ୍‌ ସିଂହଙ୍କୁ ସୁଯୋଗ ମିଳିବାର ଆଶା କରାଯାଉଛି। କାରଣ ହର୍ଷିତ ବାଂଲାଦେଶ ବିପକ୍ଷରେ ୩ଟି ଓ ପାକିସ୍ତାନ ବିପକ୍ଷରେ ଗୋଟିଏ ୱିକେଟ ନେଇଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ରବିଦ୍ର ଜାଡେଜା ମଧ୍ୟ ବୋଲିଂ ଓ ବ୍ୟାଟିଂ ସହ ଅଲରାଉଣ୍ଡର ଭୂମିକା ତୁଲାଉଛନ୍ତି। ଭାରତ ପ୍ରତିଟି କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତ ସନ୍ତୁଳିତ ଦଳ ରହିଥିବାରୁ ବିଜୟଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ମଧ୍ୟ କୌଣସି ଗୁଣରେ କମ୍‌ ନୁହେଁ। ଦଳ ପାକିସ୍ତାନକୁ ୬୦ରନରେ ଓ ବାଂଲାଦେଶକୁ ୫ ୱିକେଟରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ବ୍ୟାଟିଂରେ ୱିଲ ୟଙ୍ଗ,ଟମ୍‌ ଲଥାମ ପାକିସ୍ତାନ ବିପକ୍ଷରେ ଓ ରଚିନ ରବିନ୍ଦ୍ର ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ। ଏହାବାଦ୍‌ ଗ୍ଳେନ ଫିଲିପ୍ସ, ଡିଭନ କନ୍‌ୱେ ଡାରେଲ ମିଚେଲ ମଧ୍ୟ ରନ କରୁଛନ୍ତି। କେନ୍‌ ୱିଲିୟମସନଙ୍କ ଖରାପ ଫର୍ମ ଦଳକୁ ଚିନ୍ତାରେ ପକାଇଛି। ୱିଲିୟମସନ ଦୁଇଟି ମ୍ୟାଚରୁ ମାତ୍ର ୬ରନ କରିଛନ୍ତି। ବୋଲିଂରେ ମ୍ୟାଟ୍‌ ହେନରୀ, ୱିଲ ଓ ରୋକି, ମିଚେଲ ବ୍ରାସୱେଲ ଓ ଅଧିନାୟକ ମିଚେଲ ସାଣ୍ଟନର ରହିଛନ୍ତି।ସାଣ୍ଟନର ଦୁଇଟି ମ୍ୟାଚରୁ ୩ଟି, ରୋକି ୫ଟି, ବ୍ରାସୱେଲ ୫ଟି ୱିକେଟ ନେଇଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ମଧ୍ୟ ବେଶ ଶକ୍ତିଶାଳୀ ରହିଛି। ଦୁବାଇ ପିଚ୍‌ରେ ଭାରତ ଖେଳିଥିବା ଦୁଇଟି ଯାକ ମ୍ୟାଚରେ ରନ୍‌କୁ ପିଛା କରି ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଟସ୍‌ ବଡ଼ ଭୂମିକା ନେବା ନେଇ ଆଶା କରାଯାଉଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଭାରତ ସମସ୍ତ ମ୍ୟାଚରେ ବିଜୟୀ ହୋଇଛି। ଉକ୍ତ ପ୍ରଦର୍ଶନକୁ ଦଳ ବଜାୟ ରଖିବାକୁ ନିଶ୍ଚିତ ଉଦ୍ୟମ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    32 %
    1.1kmh
    0 %
    Sat
    38 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ