Monday, September 21, 2026
24.5 C
Odisha

    ୧୫ରେ ବିସିସିଆଇର ବାର୍ଷିକ ପୁରସ୍କାର ‘ନମନ ’ ଗିଲ୍‌ ଶ୍ରେଷ୍ଠ କ୍ରିକେଟର ଦ୍ରାବିଡ଼ଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଭାରତୀୟ କ୍ରିକେଟ ଦଳର ଟେଷ୍ଟ ଓ ଦିନିକିଆ ଅଧିନାୟକ ଶୁଭମନ ଗିଲ୍‌ ବିସିସିଆଇ କ୍ରିକେଟର ଅଫ ଦି ଇୟର ଓ ପୂର୍ବତନ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର -୨୦୨୫ ମିଳିବ। ବିସିସିଆଇ ବାର୍ଷିକ ନମନ ପୁରସ୍କାର -୨୦୨୫ ଚଳିତ ମାର୍ଚ୍ଚ ୧୫ରେ ମୁମ୍ବାଇରେ ଅନୁଷ୍ଠିତ ହେବ। ଏଥିରେ ପୁରୁଷ ଟି୨୦ ବିଶ୍ବକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳକୁ ସମ୍ମାନତିତ କରାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଦଳ ରେକର୍ଡ ତୃତୀୟ ଥର ପାଇଁ ଟି୨୦ ବିଶ୍ବକପ ଜିତିଥିଲା।ଏହି ଅବସରରେ ବିସିସିଆଇ ପକ୍ଷରୁ ଅନ୍ୟ କ୍ରିକେଟ ତାରକାମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ। ବିସିସିଆଇ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ବୟସ ବର୍ଗର ଖେଳାଳି, ପୂର୍ବତନ ଖେଳାଳି,ଅମ୍ପାୟାରଙ୍କୁ ପୁରସ୍କାର ପ୍ରଦାନ କରିଥାଏ। ପୂର୍ବ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ପ୍ରଦାନ କରାଯିବ।

    ଭାରତୀୟ ଦଳର ତାରକା ବ୍ୟାଟ୍‌ସମ୍ୟାନ ଶୁବମନ ଗିଲ୍‌ ଓ ପୂର୍ବତନ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କୁ ସମ୍ମାନିତ କରାଯିବ। ଗତ ୨୦୨୫ରେ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ ହୋଇଥିବା ଗିଲ୍‌ଙ୍କୁ ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପ୍ରଦାନ କରାଯିବ। ଅଧିନାୟକ ହେବା ପରେ ଗିଲ୍‌ ଇଂଲଣ୍ଡ ଗସ୍ତରେ ତାଙ୍କର ଅଧିନାୟକ ପଦାର୍ପଣ ଟେଷ୍ଟ ଶୃଙ୍ଖଳାରେ ୪ଟି ଶତକ ସହିତ ରେକର୍ଡ ୭୫୪ରନ କରିଥିଲେ। ଭାରତ ଆଇସିସି ଚମ୍ପିଆନ୍‌ସ ଟ୍ରଫି -୨୦୨୫ ଜିତିଥିବାବେଳେ ଗିଲ୍‌ ଏଥିରେ ଭଲ ପ୍ରଦର୍ଶନ କରିଥିଲେ। ଟି୨୦ ଫର୍ମାଟରେ ଭତବର୍ଷ ତାଙ୍କର ସେତେ ଅବଦାନ ନଥିଲା। ସେ ଗତବର୍ଷ ୩ଟି ଯାକ ଫର୍ମାଟରେ ୪୨ଟି ଇନିଂସରେ ୪୦ ହାରରେ ୧୭୬୪ରନ କରିଥିଲେ। ଯେଉଁଥିରେ ୭ଟି ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି। ପୂର୍ବତନ ଭାରତୀୟ ଅଧିନାୟକ ଏବଂ ପ୍ରଶିକ୍ଷକ କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ରାହୁଲ ଦ୍ରାବିଡଙ୍କୁ କର୍ଣ୍ଣେଲ ସିକେ ନାଇଡୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିବ। ଟେଷ୍ଟ କ୍ରିକେଟରେ ଭାରତର ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ଦ୍ରାବିଡଙ୍କୁ ଖେଳାଳି ଏବଂ ପ୍ରଶିକ୍ଷକ ଭାବରେ ତାଙ୍କର ସଫଳତା ଏବଂ ଅବଦାନ ପାଇଁ ସମ୍ମାନିତ କରାଯିବ। ଦ୍ରାବିଡ଼ ୨୦୧୨ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ପ୍ରଶିକ୍ଷକ , ଏନ୍‌ସିଏ ମୁଖ୍ୟ ସହ ଭାରତୀୟ ସିନିୟର କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଛନ୍ତି। ତାଙ୍କ ପ୍ରଶିକ୍ଷଣରେ ଭାରତ ୨୦୨୪ ଟି୨୦ ବିଶ୍ବକପ ଜିତିଥିଲା।
    ଦ୍ରାବିଡ଼ ଟେଷ୍ଟରେ ୧୩,୨୮୮ରନ ଓ ଦିନିକିଆରେ ୧୦,୮୮୯ରନ କରିଛନ୍ତି। ସେହିପରି ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ଅଧିନାୟକ ଆୟୁଷ ମାହାତ୍ରେଙ୍କୁ ଲାଲା ଅମରନାଥ ପୁରସ୍କାର ଶ୍ରେଷ୍ଠ ଅଲରାଉଣ୍ଡର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟିକ​ା ମିତାଲି ରାଜ୍‌ଙ୍କୁ ଜୀବନବ୍ୟାପୀ ପୁରସ୍କାର ପ୍ରଦାନ କରାଯିବ। ସେହିପରି ମୁମ୍ବଇ କ୍ରିକେଟ ଆସୋସିଏସନ(ଏମ୍‌ସିଏ)କୁ ଘରୋଇ କ୍ରିକେଟରେ ଶ୍ରେଷ୍ଠ ଆସୋସିଏସନ ପୁରସ୍କାର ପ୍ରଦାନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    94 %
    1.5kmh
    100 %
    Mon
    24 °
    Tue
    28 °
    Wed
    27 °
    Thu
    27 °
    Fri
    28 °

    ସମ୍ବନ୍ଧିତ