Thursday, October 1, 2026
23.8 C
Odisha

    ଆଜି ସୁକିନ୍ଦାରେ ପକ୍ଷୀ ଗଣନା

    ଆଗକୁ ପଢନ୍ତୁ

    କଟକ  : କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ପକ୍ଷରୁ ୬ଟି ଜଳାଶୟ ଅଶୋକଝର, ଢୋଲପଥର, ଦଲକି, ଗିରିଙ୍ଗାମାଳି, ରୁଙ୍ଗୁରୁଙ୍ଗା ଓ ରଗଦା ଏବଂ ବ୍ରାହ୍ମଣୀ ନଦୀ ଓ ଏହାର ଉପନଦୀ ପାଣ୍ଡରାରେ ପକ୍ଷୀ ଗଣନା କରାଯାଇଛି। ଚଳିତବର୍ଷ ଏଠାରେ ପକ୍ଷୀ ସଂଖ୍ୟା ୭୯୫ ବୋଲି ବିଭାଗୀୟ ସୂଚନା ରହିଛି। ଏହା ମଧ୍ୟରେ ସର୍ବାଧିକ ୧୪୦ ଟି ବଗ, ୫୧ଟି କଜଳପାତି ଓ ସର୍ବନିମ୍ନ ୪ଟି ପାଣିକୁଆ ଅଛନ୍ତି। ଏଥିସହ ୫ ପ୍ରକାର ମାଛରଙ୍କା, ରାଜବଣି ସହ ୩ ପ୍ରକାର ବଣି, ସ୍ବତନ୍ତ୍ର ବଦନପାଟିଆ ଖଞ୍ଚନ ସହ ୩ ପ୍ରଜାତିର ଖଞ୍ଚନ, ୨ ପ୍ରକାର କପୋତ, ସଲରି, ଚାତକ, ଡାମରା କାଉ, ସତିରା, ବାଉଁଶ ପତିରି, ମାଳିଆପକ୍ଷୀ, କାଠହଣା, ବୁଲବୁଲ, ରବିନ, ବତାସିଆ, ଟେଁଟେଁୟା ଓ ଭଦଭଦଳିଆକୁ ମିଶାଇ ମୋଟ ୨୬ ପ୍ରଜାତିର ଚଢ଼େଇ ଦେଖାଯାଇଥିଲେ। ଡିଏଫ୍‌ଓ ଅନିଲ କୁମାର ରାୟଙ୍କ ନିର୍ଦ୍ଦେଶରେ ରେଞ୍ଜର ସତ୍ୟବ୍ରତ ପ୍ରଧାନଙ୍କ ତତ୍ତ୍ବାବଧାନରେ ବନପାଳ ମନୋରମା ହୋତା, ରାମ ତିରିଆ ଓ ପ୍ରଶାନ୍ତ ହେମ୍ବ୍ରମ ଏବଂ ବନରକ୍ଷୀ ଗୌରାଙ୍ଗ ଜାରିକା, ସୋନାଲି ମାଝୀ, ଲଲାଟେନ୍ଦୁ କଅଁର ଓ କାଲାଇ ବାନସିଂଙ୍କୁ ନେଇ ୬ଟି ବନବାହିନୀ ବଡ଼ିଭୋରୁ ନିର୍ଦ୍ଧାରିତ ସ୍ଥାନରୁ ପକ୍ଷୀ ଗଣନା କରିଥିଲେ। ସୁକିନ୍ଦା ବନାଞ୍ଚଳ‌ରେ ଗତବର୍ଷ ପକ୍ଷୀ ଗଣନା ଆଧାରରେ ସଂଖ୍ୟା ୧୯ ଶହ ପାଖାପାଖି ଥିଲା। ବର୍ଷକରେ ପକ୍ଷୀ ସଂଖ୍ୟା ୫୨ ପ୍ରତିଶତ ହ୍ରାସ ପାଇବାକୁ ନେଇ ପ୍ରାଣୀପ୍ରେମୀ ଓ ପରିବେଶବିତ ମହଲରେ ବିସ୍ମୟର କାରଣ ହୋଇଛି। ଏ ସଂପର୍କରେ ରେଞ୍ଜର ଶ୍ରୀ ପ୍ରଧାନଙ୍କୁ ପଚାରିବାରେ ୨ ମାସ ପୂର୍ବରୁ ସେ ଏଠାରେ ଯୋଗ ଦେଇଥିବାରୁ ପୂର୍ବ ବର୍ଷର ଗଣନା ସଂପର୍କରେ ଅଧିକ କିଛି କହିପାରିବେନି ବୋଲି କହିଥିଲେ। ସୁକିନ୍ଦାର ପୂର୍ବତନ ରେଞ୍ଜର ତଥା ଭଦ୍ରକ ଡିଏଫ୍‌ଓ ସୌଭାଗ୍ୟ କୁମାର ସାହୁଙ୍କୁ ପଚାରିବାରେ ଜଳବାୟୁ ପରିବର୍ତ୍ତନ ଓ ଜଳଭଣ୍ଡାରର ବାସ୍ତବ ସ୍ଥିତି ପକ୍ଷୀହ୍ରାସର ୨ ପ୍ରମୁଖ କାରଣ ହୋଇଥାଇପାରେ ବୋଲି କହିଥିଲେ।  ପକ୍ଷୀସଂଖ୍ୟା ଓ ପ୍ରଜାତି ଅହେତୁକ ହ୍ରାସକୁ ନେଇ ବନ୍ୟପ୍ରାଣୀ ବିଶାରଦ ଗ୍ରୋ ୱିଥ୍‌ ନେଚର ପ୍ରତିଷ୍ଠାତା ଗାୟତ୍ରୀ ଦେବୀ ଉଦ୍‌ବେଗ ପ୍ରକାଶକରି ଏହାର ଅନୁସନ୍ଧାନ ଓ ଆନୁଷଙ୍ଗିକ ପଦକ୍ଷେପ ନିହାତି ଆବଶ୍ୟକ କହିଥିଲେ। ସେହିପରି କ୍ରୋମ୍‌ ଉପତ୍ୟକାରେ ଲଗାମ୍‌ଛଡ଼ା ଖଣି ଖନନ ଓ କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ପ୍ରଦୂଷଣ ବଳୟରେ ଥିବା ସୁକିନ୍ଦା ବନାଞ୍ଚଳରେ ପ୍ରକୃତି  ଓ ପକ୍ଷୀବଂଶ ପ୍ରଭାବିତ ହେବା ସ୍ବାଭାବିକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ