ଭୁବନେଶ୍ୱର : ରାଜ୍ୟରେ ଆହୁରି ବଢ଼ିବ ଶୀତର ପ୍ରକୋପ । ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ କେତେକ ଅଞ୍ଚଳରେ ସକାଳୁ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି । ବେଳ ବଢ଼ିବା ସହ ଆକାଶ ମୁଖ୍ୟତଃ ନିର୍ମଳ ରହିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ ।
ଫଳରେ ରାତି ଓ ଭୋର ସମୟରେ ଅଧିକ ଶୀତ ଅନୁଭୂତ ହେବ। ଏହା ପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଟ୍ଵିନସିଟିରେ ମଧ୍ୟ ଶୀତର ପ୍ରଭାବ ବଢ଼ିବ। ସର୍ବାଧିକ ତାପମାତ୍ରା ପ୍ରାୟ ୨୮ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ରହିଛି ।
ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ। ବର୍ଷାର ସମ୍ଭାବନା ନାହିଁ । ତେବେ କୁହୁଡ଼ି ଯୋଗୁଁ ସକାଳୁ କେତେକ ସ୍ଥାନରେ ଦୃଶ୍ୟମାନତା ହ୍ରାସ ପାଇପାରେ । ତେଣୁ ଭୋର ସମୟରେ ଯାତାୟାତ କରୁଥିବା ଗାଡ଼ିଚାଳକଙ୍କୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।
