ଜମ୍ମୁ ଓ କାଶ୍ମୀର : ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁ ଓ କାଶ୍ମୀରର କୁଲଗାମରେ ଶ୍ରମିକମାନଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଛତିଶଗଡ଼ର ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ସରକାର ପିଡୀତ ପରିବାର ସହିତ ଠିଆ ହୋଇଛି ।
ସୂଚନାନୁଯାୟୀ, ବିଳମ୍ବିତ ସନ୍ଧ୍ୟାରେ କୁଲଗାମର କେଲମରେ ଏକ ଇଟା ଭାଟିରେ କାମ କରୁଥିବା ଶ୍ରମିକମାନଙ୍କୁ ଆକ୍ରମଣକାରୀମାନେ ଟାର୍ଗେଟ କରି ଗୁଳି ଚଳାଇଥିଲେ । ଫଳରେ ଏହି ଆକ୍ରମଣରେ ୨୪ ବର୍ଷୀୟ ଦୀପକ ରାତ୍ରେଙ୍କ ମୃତ୍ୟୁ ହୋଇଥିଲାବେଳେ ୨୮ ବର୍ଷୀୟ ଭୂପେନ୍ଦ୍ର ଗୁରୁତର ଆହତ ହୋଇଥିଲେ । ଭୂପେନ୍ଦ୍ରଙ୍କୁ ପ୍ରଥମେ GMC ଅନନ୍ତନାଗକୁ ନିଆଯାଇଥିଲା ହେଲେ ଡାକ୍ତର ତାଙ୍କୁ ସୌରାର SKIMS ହସ୍ପିଟାଲକୁ ରେଫର କରିଥିଲେ । କିନ୍ତୁ ଚିକିତ୍ସା ସମୟରେ ଭୂପେନ୍ଦ୍ରଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଦୁଃଖ ପ୍ରକାଶ କରିବା ସହ ସରକାର ପିଡୀତ ପରିବାର ସହିତ ଠିଆ ହୋଇଛି ବୋଲି କହିଛନ୍ତି । ଜଣେ ଶ୍ରମିକ ଚିକିତ୍ସାଧୀନ ଥିବା ସମୟରେ ସିଏମ୍ ସାଇ ଏହି ପୋଷ୍ଟ କରିଥିଲେ । ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, କାଶ୍ମୀରର କୁଲଗାମରେ ହୋଇଥିବା କାପୁରୁଷ ଆତଙ୍କବାଦୀ ଆକ୍ରମଣରେ ଛତିଶଗଡ଼ର ଜଣେ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଏବଂ ଅନ୍ୟ ଜଣେ ଶ୍ରମିକଙ୍କ ଆହତ ହେବାର ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଆହତ ଶ୍ରମିକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା କରାଯାଉଛି । ଏ ସମ୍ପର୍କରେ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ଛତିଶଗଡ଼ ସରକାର ପୀଡିତଙ୍କ ପରିବାର ସହିତ ଠିଆ ହୋଇଛି । ଏଥିସହ ସେ ମୃତ ଶ୍ରମିକଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆହତ ଶ୍ରମିକଙ୍କ ପାଇଁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।
