Friday, September 11, 2026
23.8 C
Odisha

    ଆମେରିକାରେ ରାହୁଲ: ପୁଣି ଭାରତୀୟ ବ୍ୟବସ୍ଥାକୁ ସମାଲୋଚନା, ବିଜେପି କହିଲା ‘ଭାରତ ବଦନାମ ଯାତ୍ରା’

    ଆଗକୁ ପଢନ୍ତୁ

    ବୋଷ୍ଟନ: ରବିବାର ଆମେରିକାରେ ପହଞ୍ଚିଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଭାରତର ନିର୍ବାଚନ ଆୟୋଗ ସହ ବୁଝାମଣା କରାଯାଇଥିଲା। ବ୍ୟବସ୍ଥାରେ କିଛି ତ୍ରୁଟି ରହିଛି ଏବଂ ଦୁଇ ଘଣ୍ଟା ମଧ୍ୟରେ ୬୫ ଲକ୍ଷ ଭୋଟର ଭୋଟର ତାଲିକାରେ ସାମିଲ ହୋଇଥିଲେ ବୋଲି ସେ ଦାବି କରିଛନ୍ତି। ବୋଷ୍ଟନରେ ଏକ ସଭାରେ ଭାଷଣ ଦେଉଥିବା ବେଳେ ରାହୁଲ ଏହି ମନ୍ତବ୍ୟ ଦେଇଛନ୍ତି। ସେପଟେ ଭାରତୀୟ ଜନତା ପାର୍ଟି ତାଙ୍କ ଆମେରିକା ଗସ୍ତକୁ ‘ଭାରତ ବଦନାମ ଯାତ୍ରା’ ବୋଲି କହିବା ସହ ତାଙ୍କୁ ଭାରତ ବିରୋଧୀ ବୋଲି କହିଛି।

    ମହାରାଷ୍ଟ୍ରରେ ସମୁଦାୟ ଲୋକଙ୍କ ତୁଳନାରେ ଅଧିକ ଲୋକ ଭୋଟ୍ ଦେଇଛନ୍ତି ଏବଂ ଏହା ସତ୍ୟ। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ନିର୍ବାଚନ ଆୟୋଗ ଆମକୁ ଏକ ସଂଖ୍ୟା ପ୍ରଦାନ କରିଥିଲେ ଏବଂ ଦୁଇ ଘଣ୍ଟା ମଧ୍ୟରେ ଅର୍ଥାତ୍ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ୬୫ ଲକ୍ଷ ଭୋଟର ମତଦାନ କରିଥିଲେ, ଯାହା କି ଶାରୀରିକ ଭାବେ ଅସମ୍ଭବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ବିରୋଧୀ ଦଳ ନେତା ଆମେରିକା ସହ ଭାରତର ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ ଏବଂ ଦୁଇ ଦେଶ ଏକାଠି କାମ ଜାରି ରଖିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। କଂଗ୍ରେସର ଆଦର୍ଶ ଓ ପତାକାକୁ ଆମେରିକାକୁ ଆଣିଥିବାରୁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ। ସୋସିଆଲ ମିଡିଆରେ ରାହୁଲଙ୍କ ଏହି ଦାବି ଭାଇରାଲ ହେବା ପରେ ବିଜେପି ତାଙ୍କୁ ସମାଲୋଚନା କରି କହିଛି ଯେ ପୂର୍ବତନ କଂଗ୍ରେସ ମୁଖ୍ୟ ସର୍ବଦା ଭୁଲ୍ ଦାବି କରିଛନ୍ତି ଏବଂ ତାଙ୍କ ବିଦେଶ ଗସ୍ତ ସମୟରେ ଭାରତକୁ ନୀଚା ଦେଖାଇଛନ୍ତି। ରାହୁଲ ଗାନ୍ଧୀ ଅନ୍ୟ ଦେଶ ଗସ୍ତ ସମୟରେ ସବୁବେଳେ ଭାରତୀୟ ସମ୍ବିଧାନକୁ ଅପମାନିତ କରିଥାନ୍ତି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା ଏକ ଭିଡିଓରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ବିରୋଧୀ ହେବାକୁ ଯାଇ କିଛି ଲୋକ ଏବେ ଭାରତବିରୋଧୀ ହୋଇ ଅନ୍ତର୍ଜାତୀୟ ମାଟିରେ ଆମ ଦେଶ ବିରୋଧରେ ବିଷ ଉଗାରୁଛନ୍ତି। ସମଗ୍ର ବିଶ୍ୱ ଭାରତର ନିର୍ବାଚନ ଆୟୋଗଙ୍କୁ ପ୍ରଶଂସା କରୁଛି। ରାହୁଲ ଗାନ୍ଧୀ ବିଦେଶରେ ଏଭଳି ଭାଷା କହି ଭାରତ ବିରୋଧରେ ସନ୍ଦେହ ସୃଷ୍ଟି କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ଯେଉଁଠି ସେମାନେ (କଂଗ୍ରେସ) ବିଜୟୀ ହେଉଛନ୍ତି, ସେଠାରେ ଇଭିଏମ୍ ଓ ନିର୍ବାଚନ ଆୟୋଗ ଭଲ, କିନ୍ତୁ ଯେଉଁଠି ସେମାନେ ହାରିଯାଉଛନ୍ତି, ସେଠାରେ ସେମାନେ ଇଭିଏମ୍ ଓ ନିର୍ବାଚନ କମିସନଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି।

    ବିଜେପି ମୁଖପାତ୍ର ସିଆର୍ କେଶବନ୍ ଏକ ଭିଡିଓରେ କହିଛନ୍ତି, ବିଦେଶ ମାଟିରେ ଆଉ ଏକ ‘ଭାରତ ବଦନାମ ଯାତ୍ରା’ରେ ଥିବା ରାହୁଲ ଗାନ୍ଧୀ ପୁଣି ଥରେ ଭାରତର ସାମ୍ବିଧାନିକ ଅନୁଷ୍ଠାନ ଉପରେ ଆକ୍ରମଣ କରିଛନ୍ତି ଏବଂ ସେ ପୁଣି ଥରେ ବିଦେଶରେ ଭାରତର ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ବିଫଳ ପ୍ରୟାସ କରିଛନ୍ତି। ଆମେରିକାରେ ସେ ଆମ ନିର୍ବାଚନ କମିସନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି ଯେତେବେଳେ କି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥା ଏବଂ ଭାରତର ଭୋଟର ପଞ୍ଜୀକରଣକୁ ପ୍ରଶଂସା କରିଛନ୍ତି। ବିଜେପି ନେତା ସମ୍ବିତ୍ ପାତ୍ର କହିଛନ୍ତି ଯେ, ଜାମିନରେ ବାହାରିଥିବା ଗାନ୍ଧୀ ପରିବାର ଯଦି ଭାବୁଛନ୍ତି ଯେ ସେମାନେ ଗଣତନ୍ତ୍ର ଉପରେ ଦେଶ ବାହାରେ କଥା ହୋଇପାରିବେ, ତେବେ ସେମାନେ ଭୁଲ ଦିଗରେ ଅଛନ୍ତି। ରାହୁଲ ଗାନ୍ଧୀ ଯାଇ କହୁଛନ୍ତି ଯେ, ନିର୍ବାଚନ କମିସନଙ୍କ ସହ ବୁଝାମଣା ହୋଇଛି। ମୁଁ ପଚାରିବାକୁ ଚାହୁଛି, ଝାଡ଼ଖଣ୍ଡ ନିର୍ବାଚନ ମଧ୍ୟ ଏକା ସଙ୍ଗେ ହୋଇଛି, ନିର୍ବାଚନ କମିସନଙ୍କ ସହ ସେମାନଙ୍କର ବୁଝାମଣା ହୋଇଛି କି? ଆମେ ଅଯୋଧ୍ୟାକୁ ହରାଇଲୁ ଏବଂ ତୁମେ ଉତ୍ସବ ପାଳନ କରିଛ। ସେତେବେଳେ ନିର୍ବାଚନ କମିସନଙ୍କ ସହ ବୁଝାମଣା ହୋଇଥିଲା କି ବୋଲି ପାତ୍ର ପ୍ରଶ୍ନ କରିଛନ୍ତି।

    ଶିବସେନା ମଧ୍ୟ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଛି ଯେ ସେ ସର୍ବଦା ଦେଶ ବିଷୟରେ ଖରାପ କଥା କହୁଛନ୍ତି। ମୁଁ ଜାଣେ ନାହିଁ ସେ ପ୍ରକୃତରେ ଜଣେ ଭାରତୀୟ ନା ସେ ଜଣେ ଇଟାଲୀୟ ନାଗରିକ। ଯଦି ସେ ଆମ ଦେଶର ଚରିତ୍ରକୁ ହତ୍ୟା କରିବାକୁ ଚେଷ୍ଟା କରନ୍ତି, ତେବେ ଆମେ ତାଙ୍କୁ ଭାରତରେ ବୁଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଶିବସେନା ନେତା ରାଜୁ ୱାଘମାରେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    97 %
    1.7kmh
    98 %
    Fri
    24 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ