ପିଲାମାନେ ଯେତେବେଳେ ଦୌଡ଼ନ୍ତି, ଡେଇଁଥାନ୍ତି କିମ୍ବା ବିଭିନ୍ନ ଖେଳ ଖେଳନ୍ତି, ସେତେବେଳେ ହାଡ଼ ଉପରେ ସ୍ୱାଭାବିକ ଚାପ ପଡ଼ିଥାଏ। ଏହା ହାଡର ମଜବୁତି ବୃଦ୍ଧିରେ ସହାୟତା କରେ। ଏହାକୁ ଚିକିତ୍ସା ବିଜ୍ଞାନରେ ‘ୱଲ୍ଫ୍‌ସ ଲ’ କୁହାଯାଏ। ଏହାବ୍ୟତୀତ ବାହାରେ ଖେଳିବା ଦ୍ୱାରା ପିଲାଙ୍କୁ ପ୍ରାକୃତିକ ସୂର୍ଯ୍ୟକିରଣ ମିଳିଥାଏ, ଯାହା ଶରୀରରେ ଭିଟାମିନ୍‌-ଡି ତିଆରି କରିବାରେ ସହାୟକ ହୁଏ।

ପିଲାଙ୍କ ହାଡ଼ର ବିକାଶ ପାଇଁ ଦୌଡ଼ିବା, ଦଉଡ଼ି ଡିଆଁ, ଫୁଟବଲ୍‌, ବ୍ୟାଡମିଣ୍ଟନ୍‌ ଓ ଡେଇଁ ଡେଇଁ ଖେଳିବା ଭଳି କାର୍ଯ୍ୟକଳାପ ଉପକାରୀ। ଏହି ଖେଳ ଗୁଡ଼ିକ ହାଡ଼ ଉପରେ ଆବଶ୍ୟକ ଚାପ ସୃଷ୍ଟି କରିଥାଏ। ସାଇକେଲ୍‌ ଚଳାଇବା ଓ ପହଁରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ। ତେବେ ଦୌଡ଼ିବା ଓ ଡେଇଁବା ଭଳି ହାଡ଼ ଉପରେ ଏଥିରେ ସମାନ ଚାପ ପଡ଼ିନଥାଏ।

ପିଲାମାନେ ପ୍ରତିଦିନ ଅତି କମ୍‌ରେ ୬୦ ମିନିଟ୍‌ ଶାରୀରିକ କାର୍ଯ୍ୟକଳାପରେ ସାମିଲ ହେବା ଉଚିତ। ସେହିପରି ସପ୍ତାହରେ ଅତି କମ୍‌ରେ ୩ ଦିନ ହାଡ଼କୁ ମଜବୁତ କରୁଥିବା ଖେଳ ଖେଳିବା ଆବଶ୍ୟକ। ପିଲାଙ୍କ ବୟସ ଓ ଶାରୀରିକ କ୍ଷମତାକୁ ଧ୍ୟାନରେ ରଖି ଖେଳ ବାଛିବା ଜରୁରୀ।

ଖାଦ୍ୟରେ ରଖନ୍ତୁ କ୍ୟାଲସିୟମ୍‌ ଓ ଭିଟାମିନ୍‌-ଡି
ଖେଳକୁଦ ସହିତ ପିଲାଙ୍କ ଖାଦ୍ୟରେ କ୍ୟାଲସିୟମ୍‌, ଭିଟାମିନ୍‌-ଡି ଓ ପ୍ରୋଟିନ୍‌ ରହିବା ଆବଶ୍ୟକ। ଏଥିପାଇଁ କ୍ଷୀର, ଦହି, ଡାଲି, ସବୁଜ ପନିପରିବା ଓ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ତେବେ ପ୍ରତ୍ୟେକ ପିଲାଙ୍କୁ ଅଲଗା କ୍ୟାଲସିୟମ୍‌ କିମ୍ବା ଭିଟାମିନ୍‌-ଡି ସପ୍ଲିମେଣ୍ଟ ଦେବା ଜରୁରୀ ନୁହେଁ। ଡାକ୍ତରଙ୍କ ପରାମର୍ଶ ବିନା ଏହି ସପ୍ଲିମେଣ୍ଟ ଦେବା ଅନୁଚିତ।