Thursday, September 10, 2026
24.6 C
Odisha

    ଆମେରିକାର ‘ଇଣ୍ଡିଆ ଭୋଟର୍’ ପାଣ୍ଠିକୁ ନେଇ ତୀବ୍ର ପ୍ରତିକ୍ରିୟା: ‘ୟୁଏସ୍‌ଏଡ୍‌ ସବୁଠୁ ବଡ଼ ଦୁର୍ନୀତି’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ ଆମେରିକୀୟ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ ବା ଡୋଜି) ଭାରତରେ ମତଦାନକୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ ଆମେରିକୀୟ ପାଣ୍ଠି ଯୋଗାଣ ବନ୍ଦ କରିବା ପରେ ଏହା ଉପରେ ପ୍ରଧାନମନ୍ତ୍ରୀଙ୍କ ଜଣେ ପରାମର୍ଶଦାତା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବାଇଡେନ୍ ପ୍ରଶାସନ ଅମଳର ଆମେରିକୀୟ ପାଣ୍ଠିରେ ଅନିୟମିତତା ଠାବ କରିବା ପାଇଁ ଦାୟିତ୍ୱରେ ଥିବା ଡୋଜି ଗୋଟିଏ ଦିନ ପୂର୍ବରୁ କହିଥିଲା ଯେ ସେମାନେ ବିଭିନ୍ନ ଦେଶର ପ୍ରକଳ୍ପ ପାଇଁ ଆବଣ୍ଟିତ ପାଣ୍ଠିକୁ ବାତିଲ କରିଛନ୍ତି। ସେଥିମଧ୍ୟରେ ଭାରତରେ ମତଦାନ ହାର ବୃଦ୍ଧି ପାଇଁ ୨୧ ନିୟୁତ ଡଲାର, ବାଂଲାଦେଶରେ ରାଜନୈତିକ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ୨୯ ନିୟୁତ ଡଲାର ଏବଂ ନେପାଳରେ ବିତ୍ତୀୟ ସଂଘୀୟ ବ୍ୟବସ୍ଥା ପାଇଁ ୨୦ ନିୟୁତ ଡଲାର ରହିଛି।

    ଆମେରିକା ସରକାରଙ୍କ ସର୍ବବୃହତ୍ ମାନବିକ ଶାଖା ୟୁନାଇଟେଡ ଷ୍ଟେଟ୍ସ ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ (ୟୁଏସ୍‌ଏଆଇଡି) ଡୋଜିର ଶୀର୍ଷ ଟାର୍ଗେଟରେ ରହିଛି, ଯାହା ଫେଡେରାଲ ଖର୍ଚ୍ଚ ହ୍ରାସ ପାଇଁ ଟ୍ରମ୍ପଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁଛି। ଭାରତରେ ‘ମତଦାନ ବୃଦ୍ଧି’ ପାଇଁ ପାଣ୍ଠି ଯୋଗାଣ ହେଉଥିବା ନେଇ ଡୋଜିର ଦାବି ପରେ ଶାସକ ବିଜେପି ଦେଶର ନିର୍ବାଚନ ପ୍ରକ୍ରିୟାରେ ‘ବାହ୍ୟ ହସ୍ତକ୍ଷେପ’ ବନ୍ଦ କରାଯିବ ବୋଲି କହିଛି। ଅପରପକ୍ଷେ ଜଣେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଏହାକୁ ‘ଭିତ୍ତିହୀନ’ ବୋଲି କହିଛନ୍ତି। ସଦ୍ୟତମ ମନ୍ତବ୍ୟ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲଙ୍କଠାରୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ପ୍ରଶ୍ନ କରିଛନ୍ତି- ଭାରତରେ କିଏ ୨୧ ନିୟୁତ ଡଲାର ପାଣ୍ଠି ପାଇଛି ? ୟୁଏସ୍‌ଏଆଇଡିକୁ ମାନବ ଇତିହାସର ସବୁଠାରୁ ବଡ଼ ଦୁର୍ନୀତି ବୋଲି ବର୍ଣ୍ଣନା କରି ସାନ୍ୟାଲ କହିଛନ୍ତି ଯେ ଭାରତରେ ମତଦାନ ହାରରେ ଉନ୍ନତି ଆଣିବା ପାଇଁ ୨୧ ନିୟୁତ ଆମେରିକୀୟ ଡଲାର କିଏ ଖର୍ଚ୍ଚ କରିଛି ତାହା ସେ ଜାଣିବାକୁ ଚାହାନ୍ତି। ୟୁଏସ୍‌ଏଆଇଡି ଏକ ବିଶାଳ ଦୁର୍ନୀତି ଭାବେ ଏବେ ପ୍ରମାଣିତ ହେଉଛି ବୋଲି ସେ କହିଛନ୍ତି। ୨୦୧୦ରୁ ୨୦୧୨ ମଧ୍ୟରେ ନିର୍ବାଚନ ଆୟୋଗର ନେତୃତ୍ୱ ନେଇଥିବା ଏସ୍‌ୱାଇ କୁରେଶୀ ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ୨୦୧୨ରେ ମୁଁ ସିଇସି ଥିବା ବେଳେ ଇସିଆଇ ଦ୍ୱାରା ଭାରତରେ ମତଦାନ ବୃଦ୍ଧି ପାଇଁ ଆମେରିକାର ଏକ ଏଜେନ୍ସି ଦ୍ୱାରା ନିର୍ଦ୍ଦିଷ୍ଟ ନିୟୁତ ଡଲାର ପାଣ୍ଠି ଯୋଗାଣ ପାଇଁ ହୋଇଥିବା ବୁଝାମଣାପତ୍ର ସମ୍ପର୍କରେ ପ୍ରକାଶିତ ରିପୋର୍ଟରେ କୌଣସି ସତ୍ୟତା ନାହିଁ।

     

    ଭାରତୀୟ ଅନୁଷ୍ଠାନଗୁଡ଼ିକ ଭିତରେ ବିଦେଶୀ ଶକ୍ତିମାନେ ଯୋଜନାବଦ୍ଧ ଭାବେ ଅନୁପ୍ରବେଶ କରୁଥିବା ଅଭିଯୋଗ କରି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅମିତ ମାଲବ୍ୟ ଆମେରିକା ପାଣ୍ଠିରୁ କିଏ ଲାଭ ପାଇଛି ବୋଲି ଗତକାଲି ପ୍ରଶ୍ନ କରିଥିଲେ। ସେ କୋଟିପତି ନିବେଶକ ଜର୍ଜ ସୋରୋସ୍ ଓ ତାଙ୍କ ବିଶ୍ୱସ୍ତରୀୟ ପ୍ରଭାବର ନେଟ୍‌ୱର୍କକୁ ଟାର୍ଗେଟ କରି କହିଛନ୍ତି ଯେ ଭାରତର ନିର୍ବାଚନ ପ୍ରକ୍ରିୟା ଉପରେ ତାଙ୍କର କଳାଛାୟା ରହିଛି। କଂଗ୍ରେସ ନେତୃତ୍ବାଧୀନ ଉପା ଯୋଜନାବଦ୍ଧ ଭାବେ ଦେଶର ସ୍ୱାର୍ଥବିରୋଧୀ ଶକ୍ତିମାନଙ୍କ ଦ୍ୱାରା ଭାରତର ଅନୁଷ୍ଠାନଗୁଡ଼ିକର ଅନୁପ୍ରବେଶକୁ ସକ୍ଷମ କରିଥିଲା- ଯେଉଁମାନେ ପ୍ରତ୍ୟେକ ସୁଯୋଗରେ ଭାରତକୁ ଦୁର୍ବଳ କରିବାକୁ ଚାହୁଛନ୍ତି ଏବଂ ତାହା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି ବୋଲି ମାଲବ୍ୟ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.6kmh
    100 %
    Wed
    25 °
    Thu
    26 °
    Fri
    26 °
    Sat
    29 °
    Sun
    27 °

    ସମ୍ବନ୍ଧିତ