Thursday, April 2, 2026
25.4 C
Odisha

    ଆମେରିକା ଯିବେ ଓଡ଼ିଶା ବ୍ରହ୍ମପୁରର ଛାତ୍ର

    ଆଗକୁ ପଢନ୍ତୁ

    ବ୍ରହ୍ମପୁର  :  ଆମେରିକା ଯିବେ ଓଡ଼ିଶା ବ୍ରହ୍ମପୁରର ଛାତ୍ର । ଯାହାକି କେବଳ ବ୍ରହ୍ମପୁର ନୁହେଁ ବରଂ ସାରା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ।  ବ୍ରହ୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ମେଡ଼ିକାଲ କ୍ୟାମ୍ପସର ତିନି ଜଣ ଛାତ୍ର ଆମେରିକାର ଡ଼ଲାସ ସହରରେ ଆୟୋଜିତ ଜୁନିକର୍ଣ୍ଣ ସମ୍ମିଳନୀରେ ଭାଗ ନେବା ନିମନ୍ତେ ଚୟନ ହୋଇଛନ୍ତି । ଆସନ୍ତା ୨୬ ତାରିଖରେ ଏହି ସମ୍ମିଳନୀ ଆରମ୍ଭ ହେବାକୁ ଥିବା ବେଳେ ବ୍ରହ୍ମପୁରରୁ ୨୪ ତାରିଖରୁ ବାହାରିବେ ଏହି ତିନି ଛାତ୍ର । ତିନି ଛାତ୍ର ହେଲେ ମେଡ଼ିକାଲ କ୍ୟାମ୍ପସ୍‌ ସ୍କୁଲର ନବମ ଶ୍ରେଣୀର ଛାତ୍ର ପି.ଆଦିତ୍ୟ ଦାଶ, ଦଶମ ଶ୍ରେଣୀର ଛାତ୍ର ସୌମ୍ୟ ସୌରଭ ଗୌଡ଼ ଓ ଶ୍ରୀଧର ଜେନା । ଆଦିତ୍ୟ ଓ ସୌମ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସୃଜନଶୀଳତାକୁ ବ୍ୟବହାର କରି ମସଲା ଜିପିଟି ପ୍ରକଳ୍ପ ଓ ଶ୍ରୀଧର ଇଥାନଲ ପ୍ରୋଡ଼କ୍ସନ ରୁରାଲ ପୁଲ ନାମକ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ନିକଟରେ ଭୁବନେଶ୍ବରରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରୀୟ ସମ୍ମିଳନୀରେ ପ୍ରଦର୍ଶନ କରି ଶ୍ରେଷ୍ଠ ପ୍ରକଳ୍ପ ଭାବେ ଘୋଷିତ ହେବା ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

    ଯାହାଫଳରେ ଓଡ଼ିଶାରୁ ମୋଟ ୮ ଜଣ ଆମେରିକାର ଜୁନିକର୍ଣ୍ଣ ସମ୍ମିଳନୀରେ ଯୋଗ ଦେବାକୁ ଥିବା ବେଳେ ବ୍ରହ୍ମପୁର ମେଡ଼ିକାଲ କ୍ୟାମ୍ପସ ସ୍କୁଲର ଏହି ତିନି ଜଣ ଛାତ୍ର ରହିଛନ୍ତି । ଶ୍ରୀଧର ନିର୍ମାଣ କରିଥିବା ଇଥାନଲ ପ୍ରୋଡ଼କ୍ସନ ରୁରାଲ ପୁଲରୁ ବାହାରୁଥିବା ଇଥାନଲକୁ ପେଟ୍ରୋଲ ପମ୍ପରେ ପ୍ରଦାନ କରିବା ପରେ ତାହାକୁ ପେଟ୍ରୋଲ ସହ ଯଦି ଗାଡ଼ିରେ ପକାଯାଏ ତେବେ ବାୟୁ ପ୍ରଦୁଷଣ ମାତ୍ରା କମିବା ସହିତ ଗାଡ଼ି ଅଧିକ ପରିମାଣର ତେଲ ମଧ୍ୟ ଆବଶ୍ୟକ କରିନଥାଏ ।

    ସେହିପରି ଆଦିତ୍ୟ ଓ ସୌମ୍ୟ ପ୍ରସ୍ତୁତ କରିଥିବା ମସଲା ଜିପିଟି ପ୍ରକଳ୍ପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଥିବା ବେଳେ ଏହି ପ୍ରକଳ୍ପ ଦ୍ବାରା କିଛି ନୂତନ ପଦ୍ଧତିର ମସଲାକୁ ପ୍ରସ୍ତୁତି କରାଯିବା ସହିତ ତାହା ହାଇଜେନିକ୍‌ ମଧ୍ୟ ରହିପାରିବ । ତିନି ଜଣ ଛାତ୍ର ନିଜ ପ୍ରକଳ୍ପକୁ ପ୍ରଦର୍ଶନକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ପ୍ରଥମ ଥର ନିମନ୍ତେ ଫ୍ଲାଇଟରେ ଯିବେ ସେ ବି ପୁଣି ନିଜ ପ୍ରକଳ୍ପକୁ ନେଇ । ଯେଉଁଥିପାଇଁ ତିନି ଛାତ୍ରଙ୍କ ମଧ୍ୟ ଖୁସିର ଲହରୀ ଖେଳିଯାଇଛି ।

    ସରକାରୀ ଉଚ୍ଚ ବିଦ୍ୟାଳୟ ମେଡ଼ିକାଲ କ୍ୟାମ୍ପସରେ ୨୦୨୩ ମସିହାରୁ ୟଙ୍ଗ ଟିଙ୍କର ସ୍ପେସ୍‌ ସ୍ଥାପିତ ହୋଇଥିଲା । ଏଥିଦ୍ବାରା ସ୍କୁଲର ୨୦ ଜଣ ଛାତ୍ର ପ୍ରତିଦିନ ଅନଲାଇନ ମାଧ୍ୟମରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସକୁ ବ୍ୟବହାର କରି ବିଭିନ୍ନ ପ୍ରକଳ୍ପ କରାଯାଇପାରିବ ତାହାର ତାଲିମ ନେଉଥିଲେ । ଏଭଳି ତାଲିମ ନେବା ପରେ ତିନି ଛାତ୍ରଙ୍କ ଦ୍ବାରା ନିର୍ମିତ ହୋଇଥିବା ଦୁଇଟି ପ୍ରକଳ୍ପକୁ ସାରା ରାଜ୍ୟରେ ଉଚ୍ଚ ପ୍ରଶଂସିତ ହେବା ପରେ ଆମେରିକାରେ ଏହା ପ୍ରଦର୍ଶିତ ହେବାକୁ ଯାଉଛି । ୟଙ୍ଗ ଟିଙ୍କର ଫାଉଣ୍ଡେସନ ପକ୍ଷରୁ ଗତ କିଛି ମାସ ହେଲା ଏହି ତିନି ଜଣ ଛାତ୍ର ନିଜର ପ୍ରକଳ୍ପକୁ ନେଇ କାମ କରୁଥିଲେ । ଯାହାଫଳରେ ବର୍ତ୍ତମାନ ସେମାନେ ନିଜର ପ୍ରକଳ୍ପକୁ ଆମେରିକା ଭଳି ଦେଶରେ ପ୍ରଦର୍ଶିତ କରିବାକୁ ଯାଉଛନ୍ତି । ଯାହାକି କେବଳ ମେଡ଼ିକାଲ କ୍ୟାମ୍ପସ ସ୍କୁଲ ନୁହେଁ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ପାଇଁ ଗର୍ବର କଥା । ନୂତନ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ପ୍ରକଳ୍ପକୁ ଆମେରିକାର ସମ୍ମିଳନୀରେ ନିଶ୍ଚିତ ଭାବେ ସମସ୍ତେ ପ୍ରଶଂସା କରିବେ ବୋଲି ଆଶା ରଖିଛନ୍ତି ଅଭିଭାବକ ଓ ସ୍କୁଲର ଶିକ୍ଷୟତ୍ରୀ । ବ୍ରହ୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ମେଡ଼ିକାଲ କ୍ୟାମ୍ପସର ତିନି ଜଣ ଛାତ୍ର ଆମେରିକାକୁ ଯାଇ ସେଠାରେ ନିଜର ପ୍ରକଳ୍ପ ପ୍ରଦର୍ଶନ ନିମନ୍ତେ ଚୟନ ହୋଇଥିବା ଯୋଗୁଁ ତିନି ଛାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ