ଭୁବନେଶ୍ବର : ଛତିଶଗଡ଼ ମୁହାଁ ହେଲା ଲଘୁଚାପ । ଓଡ଼ିଶା ଛାଡ଼ି ଆଗକୁ ବଢ଼ିଲା ଲଘୁଚାପ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ଲଘୁଚାପ କ୍ଷେତ୍ର । ଆଜି ସକାଳ ୫ଟା ୩୦ ସୁଦ୍ଧା ଏହା ଦକ୍ଷିଣ ଛତିଶଗଡ଼ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଥିଲା । ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ବେଶ୍ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା ମିଳିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ପାଣିପାଗ ପ୍ରଣାଳୀ ଆହୁରି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ଓ ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟର ଗତିବିଧି ଉପରେ ପାଣିପାଗ ବିଭାଗ ନଜର ରଖିଛି ।
ରାଜଧାନୀ ଭୁବନେଶ୍ବର, ପୁରୀ ସମେତ ବିଭିନ୍ନ ସ୍ଥାନରେ ବର୍ଷା । ଜନଜୀବନ ପ୍ରଭାବିତ । ଆଜି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୫ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ସେହିପରି ବିଜୁଳି, ଘଡ଼ଘଡ଼ି ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତକାଲିଠୁ କମିବ ବର୍ଷା ପରିମାଣ । କାଲି ବିଜୁଳି, ଘଡ଼ଘଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
