ଭୁବନେଶ୍ୱର : କମିବ ଶୀତ । ଆସୁଛି ଯୋଡ଼ା ପଶ୍ଚିମା ଝଡ଼ । ଆସନ୍ତାକାଲି ରାତିରୁ ତାପମାତ୍ରା ବଢ଼ିବା ସମ୍ଭାବନା । ପଶ୍ଚିମାଝଡ଼ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପରେ ଦେଶର ପୂର୍ବ ଭାଗରେ ରାତି ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତାକାଲିଠାରୁ ଅନୁଭୂତ ହେବ । ହାଡ଼ଭଙ୍ଗା ଜାଡ଼ରୁ ଆଶ୍ବସ୍ତି ମିଳିବ । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଅନ୍ୟପଟେ ଆଜି ଶୀତ ଲହରୀ ପାଇଁ ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
କାଲିଠାରୁ ଶୀତ ଲହରୀ ପାଇଁ କୌଣସି ଚେତାବନୀ ଦେଇନି ପାଣିପାଗ ବିଭାଗ । ତେବେ ଅଧିକାଂଶ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ । କୁହୁଡ଼ି ପାଇଁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି । ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୫ ରୁ ୬ ଡିଗ୍ରୀ ସେଲସିଅସ୍ କମ୍ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିଭଳି ଉତ୍ତର ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ କମ ତାପମାତ୍ରା ରେକର୍ଡ ହୋଇଛି । ଆଜି ସର୍ବାଧିକ ଦିନ ତାପମାତ୍ରା ପାରଳାଖେମୁଣ୍ଡିରେ ୩୨ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି ।

