ତାଳଚେର: ରଙ୍ଗୀନ ଆଲୋକ ମାଳାରେ ଝଲସିବ କୋଇଲା ନଗରୀ ତାଳଚେର ସହର । ଗଣପର୍ବ ଗଣେଶ ପୂଜାକୁ ଆଉ କିଛି ଦିନ ବାକି ରହିଥିବା ବେଳେ ଉତ୍ସବ ମୁଖର ହୋଇଉଠିଛି ପୁରା ସହର । ପୂଜା ମଣ୍ଡପ ଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ ପର୍ଯ୍ୟନ୍ତ ସବୁଠି ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ଆସନ୍ତା ୨୭ ତାରିଖରେ ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଗଜାନନ । ଏହା ତାଳଚେରର ଗଣପର୍ବ ହୋଇଥିବାରୁ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏଥର ଅଞ୍ଚଳରେ ୧୦୦ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ ।
ତେବେ ଏନେଇ ଚଳଚଞ୍ଚଳ ହୋଇଉଠିଛି ତାଳଚେର ସହର । ଚଳିତ ବର୍ଷ ପୂଜା ୨୭ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ଦିନ ଅର୍ଥାତ ଇନ୍ଦୁ ପୂର୍ଣ୍ଣିମା ଦିନ ଭସାଣି କାର୍ଯ୍ୟକ୍ରମ ଥିବାରୁ ଦୀର୍ଘ ୧୧ ଦିନ ପର୍ଯ୍ୟନ୍ତ ସମସ୍ତ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ । ଏଥିପାଇଁ ମୂର୍ତ୍ତି କାରିଗର ଠାରୁ ଆରମ୍ଭ କରି ମଣ୍ଡପ କର୍ମକର୍ତ୍ତାମାନେ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟକୁ ଆଗେଇ ନେଇଛନ୍ତି । ଅନ୍ୟପଟେ ମୂର୍ତ୍ତି କାରିଗର ଭଳିକି ଭଳି ମୃର୍ତ୍ତି ଗଢି ତାକୁ ଶେଷ ସ୍ପର୍ଶ ଦେଉଛନ୍ତି । ଆଉ ଆଶା ରଖିଛନ୍ତି ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ।
ତାଳଚେରର ଗଣପର୍ବ ଗଣେଶ ପୂଜା ହୋଇଥିବାରୁ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଲାଗିରହିଥାଏ । ଏଥିପାଇଁ ପୂଜା କମିଟିର ତୋରଣ ଓ ମୂର୍ତ୍ତିଗୁଡିକୁ ସୁସଜ୍ଜିତ କରିବା ପାଇଁ ବାହାର ରାଜ୍ୟରୁ କାରିଗର ଆଣି ସମସ୍ତ କାର୍ଯ୍ୟ କରାଇଥାନ୍ତି । ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ତୋରଣ ଓ ମୂର୍ତ୍ତିଗୁଡିକ ଭିନ୍ନ ଭିନ୍ନ ଢଙ୍ଗରେ ପରିବେଷଣ କରାଯାଇଥାଏ । ଏହାକୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଯାହାକୁ ଆଖି ଆଗରେ ରଖି ପୋଲିସ, ପ୍ରଶାସନ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।
ଚଳିତବର୍ଷ ଭସାଣି ପୂର୍ବ ଦିନ ୪ ଟନ ବିଶିଷ୍ଟ ଲଡୁର ନିଲାମ କାର୍ଯ୍ୟ କରିବାକୁ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଠ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ଦୀର୍ଘ ଦଶ ଦିନ ଧରି ପ୍ରଭୁ ଗଜାନନ ପୂଜା ପାଇବାକୁ ଯାଉଛନ୍ତି । ତେଣୁ ପୂଜା ମଣ୍ଡପ ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।